Unknown

 

 

 

 

 

 

 

 

 

 

 

ଦ୍ରାବିଡ଼ ରାଜ୍ୟର ଚାରୁଚନ୍ଦ୍ରିକା

ଗୋପୀନାଥ ପଣ୍ଡା

 

ଦ୍ରାବିଡ଼ ରାଜ୍ୟର ଚାରୁଚନ୍ଦ୍ରିକା

 

ଆର୍ଯ୍ୟମାନଙ୍କର ଭାରତ ପ୍ରବେଶ ପୂର୍ବରୁ ଏହି ଦେଶରେ ସଭ୍ୟ ଦ୍ରାବିଡ଼ମାନଙ୍କର ବସତି ଥିଲା ଏବଂ ଶାସନ ମଧ୍ୟ ଚାଲିଥିଲା । ଆର୍ଯ୍ୟମାନେ ଦଳ ଦଳ ହୋଇ ହିମାଳୟ ଗିରି ସଙ୍କଟ ଦେଇ ଏ ଦେଶରେ ପ୍ରବେଶ କଲେ । ଦ୍ରାବିଡ଼ମାନଙ୍କ ସହ ବହୁବାର ଯୁଦ୍ଧ କରି ସେମାନେ ଉତ୍ତର ଭାରତକୁ ନିଜ ଅଧୀନ କରିପାରିଲେ । ସେତେବେଳେ ସୈନ୍ଧବ ଗାଙ୍ଗେୟ ଉପତ୍ୟକାର ନାମ ହେଲା ଆର୍ଯ୍ୟାବର୍ତ୍ତ । ବିନ୍ଧ୍ୟ ପର୍ବତର ଦକ୍ଷିଣ ଦିଗକୁ ଦ୍ରାବିଡ଼ ମାନେ ଚାଲିଗଲେ ।

 

ପ୍ରସ୍ତୁତ ଉପନ୍ୟାସ ସେହି ଆର୍ଯ୍ୟ ଦ୍ରାବିଡ଼ଙ୍କ ମଧ୍ୟରେ ଘଟିଥିବା ପ୍ରାଥମିକ ଯୁଦ୍ଧର କାହାଣୀ; ଐତିହାସିକ ଭିତ୍ତିଭୂମି ଉପରେ ଗଠିତ ଏକ କାଳ୍ପନିକ ଉପନ୍ୟାସ । ଏହି କଥାଟିକୁ କେବଳ ଐତିହାସିକ ସ୍ପର୍ଶ ଦିଆଯାଇଛି କହିଲେ ଚଳେ ।

 

ଯେଉଁଠାରେ ଐତିହାସିକ ତଥ୍ୟ ଉପରେ କୁଠାରଘାତ ହୋଇଥିବ, ଇତିହାସ ବିଶାରଦମାନେ ତାହାକୁ କଳ୍ପନା ମନେକରି କ୍ଷମା ପ୍ରଦାନ କରିବେ ।

 

ବିନୀତ

ଲେଖକ

Image

 

ଲେଖା ଓ ଲେଖକ

 

ଏଥି ପୂର୍ବରୁ ଶ୍ରୀଯୁକ୍ତ ଗୋପୀନାଥ ପଣ୍ଡାଙ୍କର ଗୋଟିଏ ଐତିହାସିକ ଉପନ୍ୟାସ ‘ପାଟଳିପୁତ୍ରର ନଗର ବଧୂ’ ଆମ ପ୍ରକାଶନ ସଂସ୍ଥା ତରଫରୁ ପ୍ରକାଶିତ ହୋଇଅଛି । ବୋଧହୁଏ ଆପଣଙ୍କ ଦୃଷ୍ଟି ପଥାରୂଢ଼ ହୋଇଥିବ ।

 

ଆମ ପ୍ରକାଶନ ସଂସ୍ଥା ସଂସ୍ପର୍ଶରେ ଆସିବା ପୂର୍ବରୁ ତାଙ୍କର ଲେଖା କେତୋଟି ଯଥା ପ୍ରେତାତ୍ମା, ରିଙ୍ଗ୍ ମାଷ୍ଟର, ନାଇଟ୍‍ କୁଇନ୍, ଏଇଜହ୍ନ ଏଇରାତି ଆଦି ଖୋର୍ଦ୍ଧାରୋଡ଼ ନୀଳକମଳ ପ୍ରକାଶନ ତରଫରୁ ପ୍ରକାଶିତ ହୋଇଥିଲା ।

 

ଗୋପୀବାବୁଙ୍କର ଜନ୍ମସ୍ଥାନ ଜଟଣୀ ନିକଟସ୍ଥ ହରିରାଜପୁର ଗ୍ରାମରେ । ଭାରତୀୟ ସୈନ୍ୟବାହିନୀରୁ ଅବସର ନେବା ପରେ ସେ କୁଦିଆରୀ ମିଡିଲସ୍କୁଲର ପ୍ରଧାନ ଶିକ୍ଷକ ରୂପେ କାର୍ଯ୍ୟ କରୁଛନ୍ତି । ଓଡ଼ିଆ ସାହିତ୍ୟରେ ଐତିହାସିକ ଉପନ୍ୟାସର କିୟତ୍‍ ସ୍ଥାନ ପୂରଣ ଲାଗି ବର୍ତ୍ତମାନ ସେ ଆଗ୍ରହୀ ।

 

ତାଙ୍କର ଆଗାମୀ ଐତିହାସିକ ଉପନ୍ୟାସ ‘‘ମାନସିଂହଙ୍କ ମୃଗନୟନ’’, ‘‘ପ୍ରିୟଦର୍ଶୀଙ୍କ ପ୍ରିୟତମ’’ ଅଳ୍ପ କେତେ ଦିନ ମଧ୍ୟରେ ଆମେ ଆପଣଙ୍କ ହସ୍ତରେ ଅର୍ପଣ କରି ପାରିବୁ ବୋଲି ଆମେ ଆଶା କରୁଛୁ ।

 

—ପ୍ରକାଶକ—

Image

 

ଯୁବରାଜ ଋତୁପର୍ଣ୍ଣଙ୍କ ଧବଳ ଅଶ୍ୱ ବନଭୂମିକୁ ପ୍ରକମ୍ପିତ କରି ତୀବ୍ର ବେଗରେ ଧାବମାନ ହେବାକୁ ଲାଗିଲା । କଳକଳ-ନାଦିନୀ ସ୍ୱଚ୍ଛ ପାର୍ବତୀୟ ତଟିନୀ ନିକଟରେ ତାର ଗତି ଧୀରେ ଧୀରେ କମିଆସିଲା । ଦେବଦାରୁ ବୃକ୍ଷରେ ଅଶ୍ୱକୁ ବନ୍ଧନ କରି ଗୋଟିଏ ବୃହତ୍‍ ଶିଳାଖଣ୍ଡ ଉପରେ ଯୁବରାଜ ଉପବେଶନ କଲେ । ସୁଶୀତଳ ପବନ ସ୍ପର୍ଶରେ ଭାଲପଟର ସ୍ୱେଦବିନ୍ଦୁ ଧୀରେ ଧୀରେ ଅଦୃଶ ହେବାକୁ ଲାଗିଲା ।

 

ସେଦିନ ପ୍ରଭାତରୁ ଯୁବରାଜ ଋତୁପର୍ଣ୍ଣ ଶିକାର ଉଦ୍ଦେଶ୍ୟରେ ଏକାକୀ ବାହାରିଥିଲେ । ଧନୁ, ଶର, ବର୍ଚ୍ଛା, ଭାଲୀ ଆଦି ଅସ୍ତ୍ରରେ ସେତେବେଳେ ବନ୍ୟଜନ୍ତୁମାନଙ୍କର ଶିକାର କରାଯାଉଥିଲା-। ସମସ୍ତ ଜମ୍ବୁ ଦ୍ଵୀପ (ଭାରତବର୍ଷ)ରେ ଗୋଟିଏ ସଭ୍ୟ ଜାତିର ବସବାସ ଏବଂ ରାଜତ୍ୱ ଚାଲିଥିଲା-। ସେ ଜାତିର ନାମ ଥିଲା ଦ୍ରାବିଡ଼ । ସେମାନଙ୍କ ବ୍ୟତୀତ ଅନ୍ୟ କେତେକ ସଂଖ୍ୟାଲଘୁ ସଂପ୍ରଦାୟ ମଧ୍ୟ ଥିଲେ ।

 

ଜମ୍ବୁ ଦ୍ଵୀପରେ ଅନେକ ରାଜା ସେ ସମୟରେ ରାଜତ୍ୱ କରୁଥିଲେ । ହିମାଳୟ କ୍ରୋଡ଼ରେ ଅବସ୍ଥିତ ହିମଗିରି ରାଜ୍ୟର ରାଜା ଥିଲେ ପୁଷ୍ପାଙ୍ଗ ଧନୁ । ଯୁବରାଜ ଋତୁପର୍ଣ୍ଣ ଥିଲେ ତାଙ୍କର ଜ୍ୟେଷ୍ଠ ପୁତ୍ର । ସୁଗଠିତ ଶରୀର, ସୁନ୍ଦର ମୁଖମଣ୍ଡଳ, ଅସ୍ତ୍ର ଶସ୍ତ୍ର ଚାଳନାରେ ନିପୁଣ ଯୁବରାଜ ଥିଲେ ଅତ୍ୟନ୍ତ ସାହସୀ । ଅଙ୍ଗରକ୍ଷୀ କିମ୍ବା ସୈନିକଙ୍କୁ ସଙ୍ଗରେ ନ ନେଇ ଶିକାର କରିବା ପାଇଁ ଇଚ୍ଛାନୁସାରେ ସେ ବନ ମଧ୍ୟକୁ ଚାଲିଯାଉଥିଲେ । ମାତ ସ୍ନେହରୁ ବଞ୍ଚିତ ଯୁବରାଜଙ୍କର ସମସ୍ତ ଇଚ୍ଛା ପୂର୍ଣ୍ଣ କରିବାକୁ ରାଜା ଏବଂ କର୍ମଚାରିଗଣ ସର୍ବଦା ତତ୍ପର ରହୁଥିଲେ ।

 

ସେଦିନ ପ୍ରଭାତରୁ ଶୌଚ ସ୍ନାନାଦି ଶେଷକରି ଏକାକୀ ଯୁବରାଜ ନିଜର ଧବଳ ଅଶ୍ୱକୁ ନେଇ ଶିକାର କରିବା ପାଇଁ ବନସ୍ଥଳୀକୁ ଚରିଯାଇଥିଲେ । ପାର୍ବତୀୟ ତଟିନୀ କୂଳରେ କିଛି ସମୟ ବିଶ୍ରାମ କରିବା ପରେ ସେଇ ତଟିନୀ ପାଖେ ପାଖେ ଅଶ୍ୱକୁ ଚଳାଇ ନେଲେ ।

 

ବନସ୍ଥଳୀର ସୁନ୍ଦର ଦୃଶ୍ୟ ଉପଭୋଗ କରି କରି ଯୁବରାଜ ଆଗେଇଗଲେ । ଗୋଟିଏ ପଟେ କଳକଳ-ନାଦିନୀ ନିର୍ଝରିଣୀ, ସମ୍ମୁଖ ଭାଗରେ ତୁଷାର ବିମଣ୍ଡିତ ଗିରି ଶୃଙ୍ଗ ରାଜି, ଚତୁର୍ଦ୍ଦିଗରେ ଚିରହରିତ୍‍ ବନାନୀ ତାଙ୍କର ଚିତ୍ତ ବିନୋଦନ କରୁଥାଆନ୍ତି । ନିଜରାଜ୍ୟର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଯୁବରାଜ ବିମୋହିତ ହୋଇପଡ଼ିଲେ । କିଛି ଦୂରରେ ଦୃଷ୍ଟି ପଥାରୂଢ଼ ହେଲା ଏକ ବନ୍ୟା ବାରାସିଙ୍ଗା । ଧୀରେ ଧୀରେ ଝରଣା ଆଡ଼କୁ ଗତି କରୁଛି । ଯୁବରାଜ ଅଶ୍ୱପୃଷ୍ଠରୁ ଅବତାରଣା କରି ଧନୁଶର ଧାରଣ ପୂର୍ବକ ଦ୍ରୁତ ପଦରେ ଆଗେଇ ଗଲେ । ବୃକ୍ଷ ଉହାଡ଼ରେ ରହି ତୀରଟିକୁ ଆକର୍ଣ୍ଣ ଟାଣି ଲକ୍ଷ୍ୟ କରି ଛାଡ଼ିଦେଲେ ବାରାସିଙ୍ଗା ଉଦ୍ଦେଶ୍ୟରେ ।

 

ସେହି ସମୟରେ ଅନ୍ୟ ଏକ ଅଦୃଶ୍ୟ ଶିକାରୀ ବର୍ଚ୍ଛା ଫିଙ୍ଗିଛି । ବାରାସିଙ୍ଗାକୁ ଲକ୍ଷ୍ୟ କରି । ଦୁଇଟିଯାକ ମାରଣାସ୍ତ୍ର ପ୍ରାୟ ଏକାବେଳକେ ପଶୁଟିକୁ ବିଦ୍ଧ କଲା । ଯୁବରାଜଙ୍କ ତୀର ବାଜିଛି ପଶୁଟିର ବାମ ପଟ କଙ୍କାଳରେ; ଅଦୃଶ୍ୟ ଶିକାରୀର ବର୍ଚ୍ଛା ଭେଦ କରିଛି ତାର ଦକ୍ଷିଣପଟ ବୁକୁର ଅଗ୍ର ଭାଗକୁ । ବାରାସିଙ୍ଗାଟି ତଳେ ପଡ଼ି ଛଟ ପଟ ହେବାକୁ ଲାଗିଲା । ଅଦୃଶ୍ୟ ଶିକାରୀ ଧାଇଁ ଆସିଲା ବୃକ୍ଷଲତା ଅନ୍ତରାଳରୁ । ଯୁବରାଜ ମଧ୍ୟ ବୃକ୍ଷ ଉହାଡ଼ରୁ ବାହାରି ଧାଇଁ ଗଲେ ଶିକାର ନିକଟକୁ ।

 

ଶିକାର ନିକଟରେ ପହଞ୍ଚି ଯୁବରାଜ ଦେଖିଲେ ଅପୂର୍ବ ଦୀପ୍ତିମନ୍ତ କିରାତ କୁମାର । କିରାତ କୁମାର ଦେଖିଲା ସୁଶ୍ରୀ ଯୁବରାଜଙ୍କୁ । ଚାରି ଚକ୍ଷୁର ମିଳନ ହେଲା ମୁହୂର୍ତ୍ତକେ ପାଇଁ ।

 

: କିଏ ତୁମେ ?

 

: ମୁଁ କିରାତ ପୁଷ୍ପକେତୁ ।

 

: କିରାତ କୁମାର ପୁଷ୍ପକେତୁ ! ଯୁବରାଜ ଋତୁପର୍ଣ୍ଣର ଶିକାର ଉପରକୁ ବର୍ଚ୍ଛା ଫିଙ୍ଗିବାର ପରିଣାମ କଅଣ ଜାଣ ?

 

: ପରିଣାମ; ଆପଣ କୁହନ୍ତୁନା । ମୁଁ ତ ଜାଣେନା ଯେ ବାରାସିଙ୍ଗା ପଶୁ କେବଳ ରାଜକୁମାରଙ୍କ ଶିକାର ବୋଲି । ମୁଁ, ଯଦି କହେ ଯେ ମୋର ଶିକାର ଉପରକୁ ଆପଣ ତୀର ଚଳାଇଛନ୍ତି ବୋଲି ?

 

କିରାତ ଯୁବକର ଏପରି ଉତ୍ତର ଶୁଣି ଯୁବରାଜ କିଛି ସମୟ ହତବାକ୍ ହୋଇଗଲେ । ଭାବିଲେ ଏ ସାଧାରଣ ଯୁବକ ନୁହେଁ । କୌଣସି ନଭଚାରୀ ଦେବତା କଅଣ ତାଙ୍କର ପରୀକ୍ଷା ନେବାକୁ ଏ ବନସ୍ଥଳୀରେ ଅବତରଣ କଲେ କି ! ସାଧାରଣ କିରାତ ଯୁବକର ଏତେ ସାହସ ହୋଇ ନ ପାରେ । ପୁଷ୍ପକେତୁ ଦୁଇ ଚାରିପାଦ ଆଗକୁ ଆସି କହିଲା—ଯୁବରାଜ ରାଜପ୍ରସାଦରେ କଅଣ ମନୋରଞ୍ଜନର ସାଧନ ଅଭାବ ପଡ଼ିଗଲାଣି ? ଆପଣ ତୁଳୀତଳ୍ପ ଶଯ୍ୟା ତ୍ୟାଗ କରି ଏ କଣ୍ଟକାକୀର୍ଣ୍ଣ ବନାନୀରେ ନିଜର ଆମୋଦ ପାଇଁ ପଶୁ ବଧ କରିବା କଅଣ ନ୍ୟାୟୋଚିତ କାର୍ଯ୍ୟ ?

 

: ହୁଃ—ହିମଗିରି ଯୁବରାଜ ତା ହେଲେ ତୁମଠାରୁ ନ୍ୟାୟ ଅନ୍ୟାୟର ବ୍ୟାଖ୍ୟା ଶୁଣି ନିଜର କର୍ତ୍ତବ୍ୟ କରିବେ, ନା ?

 

: ନା ଯୁବରାଜ; ଆମ୍ଭେମାନେ ଦରିଦ୍ର, ଧନହୀନ । ଜଙ୍ଗଲର ଫଳମୂଳ ସାଙ୍ଗକୁ ପଶୁବଧ କରି ଉଦର ଜ୍ୱାଳା ଶାନ୍ତ କରିବା ବ୍ୟତୀତ ଅନ୍ୟ ଉପାୟ ନାହିଁ । ଆପଣ ତ ରାଜ ପ୍ରସାଦରେ ଅମୃତ ତୁଲ୍ୟ ଭୋଜନ ସାଙ୍ଗକୁ ସୁଧାରସ ପାନ କରୁଛନ୍ତି । ବନବାସୀଙ୍କ ଆହାର ଉପରେ ଆପଣଙ୍କର ଦୃଷ୍ଟି କାହିଁକି ?

 

: ବନ୍ଦକର ବୃଥା ଭାଷଣ । ଚାଲିଯାଅ ଏ ସ୍ଥାନ ପରିତ୍ୟାଗ କରି ନଚେତ୍—

 

ନଚେତ୍ କୁହନ୍ତୁନା, ରୋକିଗଲେ କାହିଁକି ।

 

: ଯୁବରାଜ ନିଜର କରବାଳକୁ ଚଟ୍‍କରି କୋଷମୁକ୍ତ କଲେ । ପୁଷ୍ପକେତୁ ମଧ୍ୟ ଅବିଳମ୍ବେ ନିଜର ତରବାରିକୁ ଟାଣି ବାହାର କରି ଆଣିଲା ।

 

: ମୁଁ ଆନନ୍ଦିତ ଯୁବରାଜ; ତରବାରିର ବଳ ଉପରେ ନିର୍ଣ୍ଣୟ କରାଯାଉ ଏ ଶିକାର କାହାର ।

 

ଉଭୟ ଯୋଦ୍ଧାଙ୍କର ଅତୁଳନୀୟ ବାହୁବଳ । ଦୁଇଟି ତରବାରିର ଝନତ୍‍କାରରେ ବନସ୍ଥଳୀ ଝଙ୍କୃତ ହୋଇଉଠିଲା । ଆଖପାଖ ବୃକ୍ଷ ଉପରେ ବସିଥିବା ପକ୍ଷୀଗୁଡ଼ିକ ଭୟରେ ଉଡ଼ିଗଲେ ଦୂରକୁ । ମେଘମାଳା ମଧ୍ୟରୁ ଦେଦୀପ୍ୟମାନ ଚକ୍ଷୁରେ ଉଭୟଙ୍କର ଅପୂର୍ବ ଶସ୍ତ୍ର ଚାଳନା ଦେଖିଲେ ସୂର୍ଯ୍ୟ ଦେବ । ଗହନ ବନସ୍ଥଳୀ ତରବାରିର ଝନତ୍‍କାରରେ ପ୍ରକମ୍ପିତ ହୋଇଉଠିଲା ।

 

କିରାତ କୁମାରର ଅସ୍ତ୍ର ଚାଳନା କୌଶଳରେ ଯୁବରାଜ ମୁଗ୍‍ଧ ହୋଇ ପଡ଼ିଲେ । ତରବାରି ଖେଳ ଚାଲିଥାଏ ବେଳୁବେଳ ତୀବ୍ର ଗତିରେ ।

 

: ଧନ୍ୟ ଯୁବକ ! ବନ୍ୟ ପ୍ରଦେଶରେ ରହି ମଧ୍ୟ ଅଦ୍‍ଭୁତ ତୁମର ଅସ୍ତ୍ର ଚାଳନା । କେଉଁଠାରୁ ଶିଖିଲ କିରାତ କୁମାର ?

 

ମୋ ମାଙ୍କ କୃପାରୁ, ଦେବୀ ଅମ୍ବିକାଙ୍କ ଆଶୀର୍ବାଦରୁ । ଆପଣ ଶିଥିଳ ହେଉଛନ୍ତି ଯୁବରାଜ; ସମ୍ଭାଳନ୍ତୁ ।

 

ପୁଷ୍ପକେତୁର ତରବାରି ଯୁବରାଜାଙ୍କ ମସ୍ତକରେ ଆଘାତ କଲା ଏବଂ ସେ ଭୂତଳଶାୟୀ ହେଲେ । ପୁଷ୍ପକେତୁ ତରବାରି ଫିଙ୍ଗି ପାଖକୁ ଯାଇ ଦେଖେ ତ ରକ୍ତସ୍ରାବ ବଢ଼ି ଚାଲିଛି । ଯୁବରାଜ ଅର୍ଦ୍ଧମୂର୍ଚ୍ଛିତ । ଚଞ୍ଚଳ ଝରଣାରୁ ପାଣି ତାଙ୍କ ମୁଖ ମଣ୍ଡଳରେ ପୁଷ୍ପକେତୁ ଛିଞ୍ଚିବାକୁ ଲାଗିଲା ।

 

କ୍ଷତ ସ୍ଥାନକୁ ଜଳରେ ଧୋଇ କୌଣସି ଏକ ପତ୍ର ହାତରେ ଦଳି ତାର ରସ ଲଗାଇ ଦେବା ମାତ୍ରକେ ସ୍ରାବ ବନ୍ଦ ହୋଇଗଲା । ଅଳ୍ପ ସମୟରେ ଚେତା ମଧ୍ୟ ଫେରି ଆସିଲା । ଯୁବରାଜ ଉଠି ବସିଲେ ।

 

: ମୁଁ ଆଶା କରୁଛି ଯୁବରାଜ ମୋତେ କ୍ଷମା ପ୍ରଦାନ କରିବେ ।

 

: ମୁଁ ତୁମର ଅସ୍ତ୍ରଚାଳନା ଦେଖି ଅତ୍ୟନ୍ତ ପ୍ରସନ୍ନ । ଧନ୍ୟ ତୁମର ମାତା । ଧନ୍ୟ ତୁମର ଗୁରୁ ।

 

ଯୁବରାଜଙ୍କ ହାତ ଧରି ପୁଷ୍ପକେତୁ ଉଠାଇ ଦେଲା ଏବଂ ଅଶ୍ୱ ପୃଷ୍ଠରେ ବସାଇ ପ୍ରଣାମ ଜଣାଇଲା ।

 

: ବିଦାୟ ଯୁବରାଜ ।

 

: ଆଜି ପାଇଁ ବିଦାୟ; ଦେବୀ ଯୋଗମାୟାଙ୍କ ଇଚ୍ଛା ଥିଲେ ପୁଣି ସାକ୍ଷାତ ହେବ । ପୁଣି ତରବାରି ଖେଳରେ ଦେଖିବା କିଏ କେତେ କୌଶଳ ଶିକ୍ଷା କରିଛି ।

 

: ଆପଣଙ୍କର ଆହ୍ୱାନକୁ ମୁଁ ସହର୍ଷ ଗ୍ରହଣ କରୁଛି, ପ୍ରଣାମ ।

 

ପୁଷ୍ପକେତୁ ପ୍ରଭାତରୁ ବାହାରିଥିଲା ଶିକାର ଉଦ୍ଦେଶ୍ୟରେ । ସାଙ୍ଗରେ ଥିଲେ ଚାରିଜଣ କିରାତ ଯୁବକ । ବନ ମଧ୍ୟରେ ଗୋଟିଏ ସ୍ଥାନରେ ସାଥିମାନେ କରବା ଖୋଳିବାରେ ଲାଗିଲେ । ପୁଷ୍ପକେତୁ କିଛି ବାଟ ଆଗେଇବା ପରେ ବାରାସିଙ୍ଗାକୁ ଦେଖି ତାର ଅନୁସରଣ କଲା ।

 

ଯୁବରାଜ ଚାଲିଯିବାର କିଛି ସମୟ ପର୍ଯ୍ୟନ୍ତ ପୁଷ୍ପକେତୁ ଅସହାୟ ଭାବରେ ଚତୁର୍ଦ୍ଦିଗକୁ ଦୃଷ୍ଟିପାତ କଲା । କଅଣ ଚିନ୍ତା କରି ସେମାନଙ୍କର ସାଙ୍କେତିକ ସ୍ୱରରେ ଉଚ୍ଚ ସ୍ୱରରେ ରାବିବାକୁ ଲାଗିଲା । ଚାରିଜଣ ସଙ୍ଗୀ ଛୁଟି ଆସିଲେ ପୁଷ୍ପକେତୁ ପାଖକୁ । ବାରାସିଙ୍ଗାକୁ ଦେଖି ଆନନ୍ଦିରେ ନୃତ୍ୟ କରିବାକୁ ଲାଗିଲେ । ଆଜି କିରାତ ପଲ୍ଲୀରେ ଭୋଜି ଏବଂ ଆନନ୍ଦ ଉତ୍ସବ ଲାଗିଯିବ । ଅଙ୍ଗୁରୀ ଆସବ ସାଙ୍ଗକୁ ବାରାସିଙ୍ଗା ମାଂସ ବଡ଼ ଆନନ୍ଦ ଦାୟକ ହେବ ।

 

ଚାରିଜଣ ମିଶି ବାରାସିଂଗାକୁ ଭାରକରି କାନ୍ଧେଇ ଚାଲିଲେ । ପୁଷ୍ପକେତୁ ଚାଲିଥାଏ ଆଗେ ଆଗେ । ଦିବା ଦ୍ୱିପ୍ରହର ପାଖାପାଖି ଏମାନେ କିରାତ ପଲ୍ଲୀରେ ପହଞ୍ଚିଗଲେ । କୁଟୀର ଦ୍ୱାରରେ ପୁଷ୍ପକେତୁର ମାତା ବନଜ୍ୟୋତ୍ସ୍ନା ଦେବୀ ତାକୁ ପ୍ରତୀକ୍ଷା କରି ଠିଆ ହୋଇଥିଲେ । ତାକୁ ଦେଖିବା ମାତ୍ରକେ ଅଧୀର ହୋଇ ରହି ଉଠିଲେ—

 

: ଆଜି ତ ଶିକାରରେ ବହୁତ ସମୟ ଲାଗିଗଲା ? ମନ ବଡ଼ ଅସ୍ଥିର ହେଉଛି ।

 

: ହଁ ମା, ଏଠାରୁ କେତେବାଟ କହି ହେଉ ନାହିଁ । ଦୁର୍ଗମ ବନସ୍ଥଳୀର ମଧ୍ୟ ଭାଗରେ ଗୋଟାଏ ପ୍ରତିଦ୍ୱନ୍ଦୀ ସହ ତରବାରି ଚାଳନା ପ୍ରତିଯୋଗିତା ହୋଇଗଲା । ତେଣୁ—

 

: ତରବାରି ଚାଳନା ! ତୁ ଜିତିଛୁ ନା ?

 

: ତୋର ପୁତ୍ର କଅଣ ପରାଜିତ ହୋଇପାରେ ? କିନ୍ତୁ ମା, ତୋର ମୁଖ ଆଜି ଏପରି ଚିନ୍ତାଗ୍ରସ୍ତ ଦେଖାଯାଉଛି ଯେ ?

 

ପୁଷ୍ପକେତୁର ମାଆ କିନ୍ତୁ ଉତ୍ତର ଦେଲେ ନାହିଁ । କେବଳ ଗୋଟିଏ ଦୀର୍ଘଶ୍ୱାସ ତ୍ୟାଗକରି ହୃଦୟର ଅବ୍ୟକ୍ତ ବେଦନାକୁ ଜଣାଇ ଦେଲେ । ପୁଷ୍ପକେତୁ କି ଜାଣେ ସେ କିରାତ କୁମାର କି ଆଉ କଅଣ !

 

ହିମଗିରି ରାଜ୍ୟର ରାଜଧାନୀ ଅମୃତନଗର ହିମାଳୟର ପାଦଦେଶରେ ଅବସ୍ଥିତ । ଚତୁର୍ଦ୍ଦିଗରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଅତ୍ୟନ୍ତ ମନୋରମ । ମହାରାଜା ପୁଷ୍ପାଙ୍ଗଧନୁ ରାଜମହଲର ଛାତ ଉପରେ ବସି ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରୁଛନ୍ତି । ସଂଧ୍ୟାକାଳରେ ସ୍ୱର୍ଣ୍ଣିମ କିରଣ ତୁଷାର ବିମଣ୍ଡିତ ଗିରିଶୃଙ୍ଗ ଉପରେ ନୈସର୍ଗିକ ସୌନ୍ଦର୍ଯ୍ୟ ସୃଷ୍ଟି କରୁଛି । ରାଜ ଉଦ୍ୟାନର ଓଲଟ ଦେବଦାରୁ ବୃକ୍ଷଗୁଡ଼ିକରେ ପକ୍ଷୀମାନଙ୍କର କାକଳୀ ଅତ୍ୟନ୍ତ ଶ୍ରୁତିମଧୁର ପରିବେଶ ସୃଷ୍ଟି କରୁଛି ।

 

ମହାରାଜା ପୁଷ୍ପାଙ୍ଗଧନୁ ଗିରିଚୁଡ଼ାର ସୌନ୍ଦର୍ଯ୍ୟ ଦେଖୁ ଦେଖୁ ହଠାତ୍ ଗମ୍ଭୀର ହୋଇ ଉଠିଲେ । ଭାଲପଟର ମାଂସପେଶୀ କୁଞ୍ଚିତ ହୋଇଉଠିଲା । ତାଙ୍କର ଉଜ୍ଜ୍ୱଳ ନେତ୍ର ସମ୍ମୁଖରେ ବିଗତ ଦିନରେ କୌଣସି ଦୁଃଖଦାୟକ ଘଟଣା ଚଳଚ୍ଚିତ୍ର ପ୍ରାୟ ଚାଲିବାକୁ ଲାଗିଲା ।

 

ନିଜର ଅତୁଳନୀୟ ବାହୁବଳ ଉପରେ ଦ୍ରାବିଡ଼ ରାଜ ଏ ରାଜ୍ୟକୁ ପ୍ରତିଷ୍ଠିତ କରିଥିଲେ । ଆଖପାଖ ରାଜ୍ୟଗୁଡ଼ିକରେ ଦ୍ରାବିଡ଼ରାଜଙ୍କ ନ୍ୟାୟ ଓ ନିଷ୍ଠାର ସହ ପ୍ରଜାପାଳନ ବିଶେଷ ପ୍ରଶଂସିତ ହେଉଥିଲା । ତାଙ୍କର କଥନ ଓ କାର୍ଯ୍ୟ ସର୍ବଦା ଥିଲା ନ୍ୟାୟାନୁମୋଦିତ । ପ୍ରଜାବର୍ଗ ସୁଖୀ ଥିଲେ । ତଥାପି ରାଜପ୍ରାସାଦର ଅତୁଳନୀୟ ବୈଭବ ତାଙ୍କୁ ସର୍ବଦା ଶାନ୍ତି ଦେଇପାରୁ ନ ଥିଲା । କଥାରେ ଅଛି ଜ୍ଞାନୀ ଏବଂ ଅତି ମୂର୍ଖ ନିଜର ଜିଦ୍‍କୁ ପୂରଣ କରିବାରେ ପଶ୍ଚାତପଦ ହୁଅନ୍ତି ନାହିଁ । ସେହିପରି ଅତୀତରେ ଏକ କାର୍ଯ୍ୟକଳାପ ଫଳରେ ଦ୍ରାବିଡ଼ ରାଜାଙ୍କର ହୃଦୟ ବେଳେ ବେଳେ ବ୍ୟାକୁଳ ହେଉଛି, କିନ୍ତୁ ସେ ଭୁଲର ସଂଶୋଧନ କରିବାର କିଛି ଉପାୟ ମିଳୁ ନାହିଁ । ସଂଧ୍ୟା ଯାଇ ରାତ୍ରି ଏକ ଘଡ଼ି ଅତିକ୍ରମ କଲେ ମଧ୍ୟ ମହାରାଜା ଚିନ୍ତାମଗ୍ନ ଅବସ୍ଥାରେ ବସିଛନ୍ତି ।

 

ପରିଚାରକ ଆସି ଜଣାଇଲା-ମହାପୂଜାରୀ ଆପଣଙ୍କର ଦର୍ଶନପ୍ରାର୍ଥୀ ।

ପୁଷ୍ପାଙ୍ଗଧନୁ ଯେପରି ସ୍ୱପ୍ନରୁ ଉଠିଲେ । ଅନୁମତି ସୂଚକ ସଙ୍କେତ ଜଣାଇ ପୁଣି ଚିନ୍ତାମଗ୍ନ ହେଲେ ।

ଅମୃତନଗର ରାଜାପ୍ରସାଦକୁ ଲାଗି ଦେବୀ ଯୋଗମାୟାଙ୍କ ମନ୍ଦିର । ମହାପୂଜାରୀ ଅମ୍ବାଳିକା ମନ୍ଦିରର ଧର୍ମାଚାର୍ଯ୍ୟ ଏବଂ ରାଜଗୁରୁ । ତେଣୁ ଦ୍ରାବିଡ଼ ରାଜ ତଥା କର୍ମଚାରୀଗଣ ତାଙ୍କର ବଚନକୁ ଦେବତାଙ୍କ ନିର୍ଦ୍ଦେଶ ପରି ପାଳନ କରନ୍ତି ।

ମହାପୂଜାରୀ ରାଜପ୍ରସାଦ ଛାତ ଉପରକୁ ଆସିଗଲେ । ତାଙ୍କର ଗୌରବର୍ଣ୍ଣ ଦୀର୍ଘ ବପୁ ସାଙ୍ଗକୁ ଚନ୍ଦନକୁଙ୍କୁମ ସୁଶୋଭିତ ଦେଦୀପ୍ୟମାନ ଭାଲପଟ ଚନ୍ଦ୍ରକିରଣରେ ଚମକି ଉଠିଲା । ଗଳାରେ ରୁଦ୍ରାକ୍ଷମାଳା, ପରିଧାନ ସ୍ଵର୍ଣ୍ଣଜରୀ ଖଚିତ ପୀତାମ୍ବରୀ ଏବଂ ପ୍ରତିଭାସମ୍ପନ୍ନ ବ୍ୟକ୍ତିତ୍ୱ ।

ପଦଶବ୍ଦରେ ପୁଷ୍ପାଙ୍ଗଧନୁଙ୍କର ତନ୍ଦ୍ରା ଭାଜିଗଲା । ମହାପୂଜାରୀଙ୍କୁ ଦେଖି ଚଞ୍ଚଳ ହୋଇ ଉଠିଲା ମନ । ନିଜ ସ୍ଥାନରୁ ଉଠିଆସି ଅମ୍ବାଳିକାଙ୍କର ଚରଣ ବନ୍ଦନା କଲେ ମହାରାଜ । ଆଶୀର୍ବାଦ ବଚନ ଉଚ୍ଚାରଣ କରି ବାହୁଦ୍ୱୟ ଧରି ଉଠାଇ ଦେଲେ ମହାପୂଜାରୀ । ଅମ୍ବାଳିକା ଆସନ ଗ୍ରହଣ କରି ବସିବା ପରେ, ପୁଷ୍ପାଙ୍ଗଧନୁ ତାଙ୍କର ପାଦନିକଟରେ ତଳେ ବସି ପଡ଼ିଲେ ।

: ମହାରାଜ ମୁଖମଣ୍ଡଳ ଆଜି କାହିଁକି ଚିନ୍ତାଗ୍ରସ୍ତ ଆଉ କ୍ଳାନ୍ତ ଦେଖାଯାଉଛି ! ରାଜ୍ୟ ସଞ୍ଚାଳନରେ କିଛି ଦୁରୂହ ବ୍ୟାପାର ଉପସ୍ଥିତ ହୋଇଛି ନା କଅଣ ?

: ନା ପ୍ରଭୁ, ସେପରି କିଛି ନୁହେଁ ।

: ତା ହେଲେ—ଆଜି ମହାରାଜ ସଂଧ୍ୟା ଉପାସନା ନିମିତ୍ତ ଯୋଗମାୟାଙ୍କ ମନ୍ଦିରକୁ ଯାଇପାରିଲେ ନାହିଁ ଯେ ?

: କଅଣ କହିବି ଗୁରୁଦେବ—ମହାରାଣୀ ବନଜ୍ୟୋତ୍ସ୍ନାଙ୍କୁ ଗର୍ଭ ଅବସ୍ଥାରେ ଯେଉଁ ନିର୍ବାସନ ଦଣ୍ଡ ଦେଲି, ଏତେ ବର୍ଷ ବିତିଗଲେ ମଧ୍ୟ ବେଳେ ବେଳେ ସେହି ସ୍ମୃତି ମୋତେ ବିଚଳିତ କରୁଛି । ବିବେକ ବଳରେ ନିଜର ମନକୁ ନିୟନ୍ତ୍ରଣ କରିବାକୁ ମୁଁ ଯଥାସାଧ୍ୟ ଚେଷ୍ଟାକରୁଛି । ତଥାପି ସମୟେ ସମୟେ ପଶ୍ଚାତାପ-ଅନଳରେ ମୁଁ ଦଗ୍ଧ ହୋଇଯାଉଛି ।

: ମହାରାଜ ସମଗ୍ର ଜମ୍ବୁଦ୍ଵୀପରେ ଦ୍ରାବିଡ଼ରାଜ ପୁଷ୍ପାଙ୍ଗଧନୁ ନିଜର ଅଟଳ ନ୍ୟାୟଯୋଗୁ ବିଖ୍ୟାତ । ନିଜର ନ୍ୟାୟ ନିମିତ୍ତ ପଶ୍ଚାତାପ କରିବା ଆପଣଙ୍କ ପକ୍ଷରେ ଶୋଭନୀୟ ନୁହେଁ । ଏହା କେବଳ ଆପଣଙ୍କ ସ୍ୱାସ୍ଥ୍ୟ ଓ ରାଜ୍ୟ ପକ୍ଷରେ ଅନିଷ୍ଟକାରୀ ।

: ଆପଣଙ୍କ ଆଶୀର୍ବାଦରୁ ମୁଁ ଏପର୍ଯ୍ୟନ୍ତ ଯଥେଷ୍ଟ ଧୈର୍ଯ୍ୟ ରକ୍ଷା କରିପାରିଛି ଗୁରୁଦେବ-! ଚେଷ୍ଟାକରିଚି ସେ ଘଟଣାକୁ ଭୁଲିଯାବାପାଇଁ କିନ୍ତୁ—ଘଟଣାର ଗୁରୁତ୍ୱ ଏପରି ଯେ–

: ଆପଣଙ୍କ ମନର ବ୍ୟଥା ହରଣ ନିମିତ୍ତ ମୁଁ ବର୍ତ୍ତମାନ ଗାୟକ ଚକୋରକୁ ପଠାଇ ଦେଉଛି ।

ରାଜଗୁରୁ ବିଦାୟ ନେଇ ଚାଲିଗଲେ । ଅଳ୍ପସମୟ ମଧ୍ୟରେ ଚକୋର ବୀଣାଟିଏ ହାତରେ ଧରି ସେଠାରେ ଉପସ୍ଥିତ ହେଲା । ଅଭିବାଦନ ଜଣାଇ କିଛି ସମୟ ଅପେକ୍ଷା କଲା । ହସ୍ତର ସଙ୍କେତ ପାଇ ରାଜାଙ୍କ ନିକଟରେ ତଳେ ବସିପଡ଼ିଲା ଚକୋର ।

ଚକୋର ଥିଲା ଯୋଗମାୟା ମନ୍ଦିରର ଗାୟକ ଏବଂ ବାଦକ । ବିଭିନ୍ନ ରାଗ ରାଗିଣୀର ଗୀତ ଗାଇବା ଏବଂ ବାଦ୍ୟ ବଜାଇବାରେ ଅତ୍ୟନ୍ତ ଦକ୍ଷ । ହିମଗିରି ରାଜ୍ୟରେ ନିଜର ଗାଆଁ କଳା ନିମିତ୍ତ ଚକୋର ଥିଲା ବିଖ୍ୟାତ କଳାକାର । ନମ୍ରତା ସହିତ ଚକୋର ପଚାରିଲା ।

: ମହାରାଜ ଅନୁମତି ହେଲେ ଗାୟନ ଆରମ୍ଭ କରିବି ।

ରାଜା ପୁଷ୍ପାଙ୍ଗଧନୁ କେବଳ ହସ୍ତଦ୍ୱାରା ସଙ୍କେତ ଦେଲେ । ଚକୋର ଆରମ୍ଭ କଲା ବୀଣା ଝଙ୍କାର ସହ :–

ଉଷା ପଚାରୁଛି କୁହ ଆଗୋ ବିଭାବରୀ–

ଜଳୁଥିଲା ଦୀପ ରାତ୍ରେ ଲିଭିଲା କିପରି–

କୁହ ମିତଣି ଗୋ ମୋର

ରାତ୍ରେ କିମ୍ପା ଦୀପ ଜଳି ଲିଭେ ପ୍ରଭାତର ।।

ତମସା କହୁଛି ଶୁଣ ଆଗୋ ଉଷାରାଣୀ–

ଦୀପ ଜଳିବା ଲିଭିବା ରହସ୍ୟ କାହାଣୀ—

ଶୁଣ ମିତଣି ଗୋ ମୋର

ନିଜେ ଜଳି ଜଳି କରେ ଉପକାର ।।

ତୈଳ ଦୀପ ନାଶେ ନିଶା ଅନ୍ଧକାର–

ଜ୍ଞାନ ଦୀପ ଦୂର କରେ ଅଜ୍ଞାନ ତିମିର–

ଶୁଣ ମିତଣି ଗୋ ମୋର

ଜନ ହିତେ ଯା ଜୀବନ ଧନ୍ୟ ଜନ୍ମ ତାର ।।

ତୈଳ ଶେଷ ହେଲେ ଦୀପ ଲିଭିବ ନିଶ୍ଚୟ–

ପ୍ରୀତି ଯେହ୍ନେ ଲାଭେ ମୃତ୍ୟୁ ନ ପାଇଲେ ସ୍ନେହ–

ଶୁଣ ମିତଣି ଗୋ ମୋର ।

ଏବେ ଶେଷ ତୋର କାଳ ଉଦେ ଦିନକର ।।

: ଥାଉ ଚକୋର, ବନ୍ଦ କର ଏ ଗୀତ । ହୃଦୟର ବେଦନା ଏଥିରେ ତ ଉପଶମ ହେଉ ନାହିଁ ।

: ମହାରାଜ; ନିଜର ବେଦନାକୁ ଅନ୍ୟ ଆଗରେ ବ୍ୟକ୍ତ କଲେ କିଛି ଲାଘବ ହୋଇଯାଏ-। ଯଦି ମୋ ଉପରେ ବିଶ୍ୱାସ ଥାଏ—କୁହନ୍ତୁନା ।

: ତୁମ ଉପରେ ମୋର ଅଖଣ୍ଡ ବିଶ୍ୱାସ ଚକୋର । ନିଶ୍ଚୟ ତୁମକୁ କହିବି । ହୋଇପାରେ ହୃଦୟ ବେଦନା କିଛି ଲାଘବ ହୋଇଯିବ ।

: ପ୍ରାୟ ପଚିଶି ବର୍ଷ ତଳର ଘଟଣା । ଦୀର୍ଘ ନିଶ୍ୱାସ ପକାଇ କହିଲେ ମହାରାଜ ପୁଷ୍ପାଙ୍ଗ ଧନୁ ।

: ସେତେବେଳେ ମୁଁ ଯୁବକ । ଶରୀରରେ ଅଫୁରନ୍ତ ବଳ । ମନରେ କାର୍ଯ୍ୟ କରିବା ଲାଗି ପ୍ରବଳ ଉତ୍ସାହ । ମହାରାଣୀ ବନଜ୍ୟୋତ୍ସ୍ନଙ୍କୁ ଯେ କେତେ ଭଲ ପାଉଥିଲି ତାହା ବର୍ଣ୍ଣନା କରିବାକୁ କିଛି ଭାଷା ପାଉ ନାହିଁ, ଚକୋର । କେତେଦିନ ବିତିଯିବା ପରେ ମଧ୍ୟ ଆମର କୋଳ ଶୂନ୍ୟ ରହିଲା । ଅମୃତନଗର ରାଜପ୍ରାସାଦର ଅତୁଳ ଐଶ୍ୱର୍ଯ୍ୟ ଆମକୁ ପରମ ଶାନ୍ତି ଦେବାରେ ଅସମର୍ଥ ହେଲା ।

ମହାରାଣୀ ଦେବୀ ଯୋଗମାୟାଙ୍କ ନିକଟରେ ସନ୍ତାନ ପ୍ରାର୍ଥୀ ହୋଇ ବ୍ରତ ଆଚରଣ କଲେ । ପ୍ରତିଦିନ ଏକଶହ ଆଠ ନୀଳକମଳ ଦେଇ ଦେବୀଙ୍କ ପୂଜା ଅର୍ଚ୍ଚନା କରାଗଲା । ସଂଧ୍ୟା ପୂର୍ବରୁ ଥରେ ମାତ୍ର ଅନ୍ନ ଭୋଜନ କରି ମହାରାଣୀ ଯୋଗମାୟାଙ୍କ ଧ୍ୟାନରେ ରହିଲେ । ଏକୋଇଶ ଦିନ ରାତିରେ ଠାକୁରାଣୀ ସ୍ୱପ୍ନରେ ଦୃଶ୍ୟ ହୋଇ କିଛି ଆଶ୍ୱାସନା ଦେବାରୁ ରାଣୀ ବ୍ରତ ଶେଷ କଲେ । ତାର ଏକ ବର୍ଷ ପରେ ଜନ୍ମଲାଭ କଲା ଋତୁପର୍ଣ୍ଣ । ଆହା, କି ଅନିର୍ବଚନୀୟ ଆନନ୍ଦ । ତାର ଜନ୍ମ ଉତ୍ସବ ଅତି ଆଡ଼ମ୍ବର ସହ ପାଳନ କରାଗଲା ।

 

ଋତୁପର୍ଣ୍ଣ ଜନ୍ମ ନେବାର ପ୍ରାୟ ଦେଢ଼ ବର୍ଷ ପରେ, ପୁଣି ମହାରାଣୀଙ୍କର ଗର୍ଭ ଅବସ୍ଥା ଜଣାପଡ଼ିଲା । ମହାରାଣୀ ପ୍ରତିଦିନ ରାତିରେ କାଳ ସ୍ୱପ୍ନ ଏବଂ ଅନ୍ୟାନ୍ୟ ଭୟାବହ ସ୍ୱପ୍ନ ଦେଖିବାକୁ ଲାଗିଲେ । ମହା ପୂଜାରୀଙ୍କ ସହ ପରାମର୍ଶ କରାଗଲା ଆମର ଗୋଟିଏ ଅତି ପୁରାତନ ରତ୍ନ ପଦକ ଯୁକ୍ତ ମୋତିମାଳା ଥିଲା । ସେହି ନବରତ୍ନ ପଦକଟିରେ ନଅ ପ୍ରକାର ରତ୍ନ ଅଭିମନ୍ତ୍ରିତ ହୋଇ ଖଞ୍ଜା ହୋଇ ଥିବାରୁ ତାକୁ ପିନ୍ଧିଲେ ନବଗ୍ରହ ଶାନ୍ତ ହୁଅନ୍ତି, ବହୁତ ବିପଦରୁ ମଧ୍ୟ ରକ୍ଷା ମିଳେ । ପ୍ରତିବର୍ଷ ଦେବୀପୂଜା ଉତ୍ସବ ସମୟରେ ଏହା ପୁନର୍ବାର ଅଭିମନ୍ତ୍ରିତ ହୁଏ ।

 

ସେହି ନବରତ୍ନ ଯୁକ୍ତ ପଦକ ସହ ମୋତିମାଳାକୁ ମୁଁ ରାଣୀଙ୍କ ଗଳାରେ ପିନ୍ଧାଇ ଦେଲି । ଦେବା ସମୟରେ ସାବଧାନ କରି ଦେଇଥିଲି ଯେ ପଦକର ଯେପରି କୌଣସି ଅମର୍ଯ୍ୟାଦା ନହୁଏ କିମ୍ବା ହଜି ନ ଯାଏ । ଅତି ଯତ୍ନ ସହ ପଦକଟିକୁ ରଖିବା ପାଇଁ ଉପଦେଶ ଦେଇଥିଲି ।

 

ଦିନକର ଘଟଣା, ରାଣୀ ପ୍ରାତଃସ୍ନାନ ପୂର୍ବରୁ ମୋତିମାଳାଟି ଗଳାରୁ ବାହାର କରି ମଞ୍ଜଷାରେ ନ ରଖି ଅସାବଧାନତାବଶତଃ ଅନ୍ୟ ସ୍ଥାନରେ ରଖି ସ୍ନାନ କରିବାକୁ ପୁଷ୍କରିଣୀକୁ ଚାଲିଗଲେ । ତାପରେ ଗୋଟିଏ ବାନର କେଉଁଠାରୁ ଆସି ତାଙ୍କ କକ୍ଷରେ ପ୍ରବେଶକଲା ଏବଂ ମାଳାଟିକୁ ନେଇ ଚାଲିଗଲା । ରାଣୀ ସ୍ନାନ ପରେ ଆସି ଦେଖନ୍ତି ତ ମାଳା ନାହିଁ । ସେ ବିବ୍ରତ ହୋଇଥିବେ ନିଶ୍ଚୟ । କିନ୍ତୁ ସନ୍ଧ୍ୟା ସମୟରେ ମୁଁ ଯେତେବେଳେ ମାଳା କାହିଁ ବୋଲି ପଚାରିଲି, ମୋତେ ମିଥ୍ୟା କହିଲେ । କହିଲେ ଯେ ମାଳାଟିକୁ ଯତ୍ନ ସହକାରେ ସେ ମଞ୍ଜୁଷାରେ ରଖିଛନ୍ତି ।

 

ଏ ଘଟଣାର ଏକ ସପ୍ତାହ ପରେ ଦେବୀପୂଜା ଉତ୍ସବ ଦିନ ଆସିଲା । ମାଳାଟିକୁ ଅଭିମନ୍ତ୍ରିତ କରି ପୂଜା କରିବା ଲାଗି ମହାପୂଜାରୀ ମାଗିଲେ, କିନ୍ତୁ ରାଣୀ ଦେଇପାରିଲେ ନାହିଁ । ମାଳାଟି ମଞ୍ଜୁଷାରୁ କେଉଁଆଡ଼େ ଗଲା, ସମସ୍ତେ ବ୍ୟସ୍ତ ହୋଇପଡ଼ିଲେ । ପରିଚାରିକା, ପ୍ରହରୀ, ପରିଚାରକ ସମସ୍ତଙ୍କୁ ପଚରାଗଲା । କେତେ ଜଣଙ୍କୁ ସନ୍ଦେହରେ କାରାଗାର ମଧ୍ୟରେ ରଖାଗଲା, ତଥାପି ରାଣୀ ସତ୍ୟକଥା ପ୍ରକାଶ କଲେ ନାହିଁ ।

 

ସେଦିନ ଦେବୀପୂଜା ଉତ୍ସବ ଦର୍ଶନକୁ ନଗରର ଅନେକ ମାନ୍ୟଗଣ୍ୟ ତଥା ସାଧାରଣ ବ୍ୟକ୍ତି ଆସିଥିଲେ ।

 

ନଗର ସାଧବଙ୍କ ପତ୍ନୀ ଗଳାରେ ସେ ହାର ଦେଖି ମହାପୂଜାରୀ ପ୍ରଶ୍ନ କରିବାରୁ ମାଳାଟି ତାଙ୍କ ସ୍ୱାମୀ ଦେଇଛନ୍ତି ବୋଲି ସେ କହିଲେ । ଘଟଣା ବଡ଼ ବିଷମ ହେଲା । ନଗର ସାଧବକୁ ଡ଼କାଇ ପଚରାଗଲା । ସାଧବ ଭୟରେ ଥରି ଥରି କହିଲା—ମହାରାଜା, ମୋ ବଗିଚାରେ ଗୋଟିଏ ବାନର ଏହାକୁ ଧରି ବୃକ୍ଷ ଶାଖାରେ ବସିଥିବାର ମୁଁ ଦେଖିଲି । ତା ପାଖକୁ ଲାଲ ବର୍ଣ୍ଣର ଆତ ଫିଙ୍ଗିବାରୁ ସେ ହାରଟିକୁ ଫିଙ୍ଗିଦେଇ ଫଳ ଧରିବାକୁ ଚେଷ୍ଟା କଲା । ମୋ ବଗିଚା ମଧ୍ୟରୁ ମୁଁ ହାରଟିକୁ ଆଣିଛି ।

 

ଯାହେଉ ଶେଷରେ ନବରତ୍ନ ପଦକ ଯୁକ୍ତ ହାରଟି ପୁଣି ଯୋଗମାୟାଙ୍କ ନିକଟକୁ ଆସିଗଲା । ହାରଟିକୁ ଶୋଧନ କରି ଅଭିମନ୍ତ୍ରିତ କରି ଯୋଗମାୟାଙ୍କ ପଦ ତଳେ ରଖାଗଲା । ଜଣାନାହିଁ କିପରି ଯୋଗମାୟା ଦେବୀଙ୍କ ଶାଢ଼ୀ ପଣତରେ ଅଗ୍ନି ଲାଗିଗଲା ! ମହାପୂଜାରୀ ତ ଭୟଙ୍କର କ୍ରୋଧରେ ପ୍ରଜ୍ଜ୍ଵଳିତ । ମହାରାଣୀ ଅସାବଧାନ ହୋଇଥିବାରୁ ନବରତ୍ନ ମାଳା ଅପମାନିତ ହେଲା । ସେ ନିଜ ସ୍ୱାମୀଙ୍କ ନିକଟରେ ପୁଣି ଅସତ୍ୟ ଭାଷଣ କଲେ । ମହାରାଣୀଙ୍କୁ ନ୍ୟାୟାଦଣ୍ଡ ଗ୍ରହଣ କରିବାକୁ ହେବ । ଓଃ ! କି ହୃଦୟ ବିଦାରକ ଦୃଶ୍ୟ ! ତା ପରଦିନ ଘଟଣା–

 

ରାଜସଭା ଗୃହରେ ଆଜି ମହାରାଣୀ ନ୍ୟାୟଦଣ୍ଡର ସମ୍ମୁଖୀନ ହେବେ । ସଭାଗୃହକୁ ଯିବା ପୂର୍ବରୁ ରାଜାଙ୍କ ନିକଟରେ ମହାପୂଜାରୀ ପହଞ୍ଚିଲେ ।

 

: ଆସନ୍ତୁ ମହାରାଜ, ସଭାସଦମାନେ ଆପଣଙ୍କୁ ଅପେକ୍ଷା କରିଛନ୍ତି ।

 

: ଗୁରୁଦେବ, ରକ୍ଷା କରନ୍ତୁ । ଏ କାର୍ଯ୍ୟ ମୁଁ କିପରି କରିବି କିଛି ବୁଦ୍ଧି ଦେଖାଯାଉ ନାହିଁ । ଯେ ମୋର ପ୍ରାଣଠାରୁ ବଳି ପ୍ରିୟ, ତାକୁ କିପରି ରାଜଦଣ୍ଡରେ ଦଣ୍ଡିତ କରିବି ? ହେ ବିଧାତା, ମୋ କପାଳରେ କି ବିଡ଼ମ୍ବନା ଲେଖାଅଛି !

 

: ନ୍ୟାୟ ବିଚାର କରି ମହାରାଣୀଙ୍କୁ ଦଣ୍ଡ ଦେବାକୁ ପଡ଼ିବ ।

 

: ନା ଗୁରୁଦେବ ! ନା ନା, ଏପରି କରିପାରିବି ନାହିଁ । ମୁଁ ଅସମର୍ଥ, ମୋତେ କ୍ଷମା କରନ୍ତୁ ।

 

ଦ୍ରାବିଡ଼ ରାଜାଙ୍କ ଚକ୍ଷୁରୁ ଧାର ଧାର ଲୋତକ ବହିବାକୁ ଲାଗିଲା ।

 

: ଗୁରୁଦେବ, ରାଜା ମହିଷୀଙ୍କର ନ୍ୟାୟ ବିଚାର ଆପଣ କରନ୍ତୁ । ମୁଁ ଆପଣଙ୍କୁ କ୍ଷମତା ଅର୍ପଣ କରୁଛି । ଯେଉଁ ମୁଖରେ ମୁଁ ତାଙ୍କୁ ପ୍ରାଣପ୍ରିୟେ ବୋଲି ସମ୍ବୋଧନ କରିଛି ସେଇ ମୁଖରେ କିପରି କଠୋର ଦଣ୍ଡର ଆଜ୍ଞା ଦେଇପାରିବି...... ?

 

: ମହାରାଜ...ଆପଣ ପଥଭ୍ରଷ୍ଟ ହେଉଛନ୍ତି । ଯେଉଁ ନ୍ୟାୟଧର୍ମର ପାଳନ ପାଇଁ ଆପଣ ପ୍ରଜାବର୍ଗଙ୍କୁ ଦଣ୍ଡିତ କରୁଛନ୍ତି, ସେହି କଥା ନିଜେ ପାଳନ କରିବାକୁ ଅସମର୍ଥ । ସମସ୍ତେ କହିବେ ଦ୍ରାବିଡ଼ ରାଜ ପୁଷ୍ପାଙ୍ଗଧନୁଙ୍କର ନ୍ୟାୟ ବିଚାର ପ୍ରବଞ୍ଚନା ମାତ୍ର ।

 

ଦ୍ରାବିଡ଼ ରାଜବଂଶର ସମସ୍ତ ନ୍ୟାୟପଣ ଉପରେ ଆପଣ କଳଙ୍କ ଲେପନ କରୁଛନ୍ତି । ଭୁଲିଯାଆନ୍ତୁ ମହାରାଜ, ସାଂସାରିକ ମୋହମାୟାର ଉପରେ ରାଜଧର୍ମ । ସଂସାରକୁ ଦେଖାଇ ଦିଅନ୍ତୁ ଦ୍ରାବିଡ଼ ରାଜବଂଶର ନ୍ୟାୟପ୍ରିୟତା, ଧର୍ମପ୍ରିୟତା ହିମାଳୟ ପରି ଅଟଳ, ଅଚଳ ।

 

: ହେଉ ଗୁରୁଦେବ, ଦ୍ରାବିଡ଼ ରାଜବଂଶର ନ୍ୟାୟପ୍ରିୟତାରେ କଳଙ୍କ ଲାଗିବ ନାହିଁ । ମୁଁ ରାଜସଭାକୁ ଆସୁଛି । ଆପଣ ଚାଲନ୍ତୁ ।

 

ମହାରାଜ ପୁଷ୍ପାଙ୍ଗଧନୁଙ୍କ ମୁଖମଣ୍ଡଳରେ କଠୋରତା ଏବଂ ଦୃଢ଼ତାର ଲକ୍ଷଣ ପରିସ୍ଫୁଟିତ ହୋଇଉଠିଲା । ଉଠିବାକୁ ଉଦ୍ୟତ ହେଉଛନ୍ତି, ମହାମନ୍ତ୍ରୀ ଆସି ଦ୍ୱାର ଦେଶରେ ଦଣ୍ଡାୟମାନ ହୋଇ ଅଭିବାଦନ ଜଣାଇଲେ ।

: କଅଣ ସମାଚାର ମହାମନ୍ତ୍ରୀ ?

: ରାଜପ୍ରାସଦର ଦ୍ୱାର ଦେଶରେ ଅସଂଖ୍ୟ ପ୍ରଜା ଉପସ୍ଥିତ । ସେମାନେ ଆବେଦନ କରୁଛନ୍ତି ଯେ ମହାରାଣୀଙ୍କୁ କ୍ଷମା ପ୍ରଦାନ କରାଯାଉ ।

: ନା ମହାମନ୍ତ୍ରୀ, ପ୍ରଜାଙ୍କର ଏପରି ଇଚ୍ଛା ମୁଁ ପୂର୍ଣ୍ଣ କରିବାକୁ ଅସମର୍ଥ !

: ନିଜର ହୃଦୟକୁ ଦେଖନ୍ତୁ ମହାରାଜ, ନ୍ୟାୟ ନିମିତ୍ତ ନିଜର ଅତିପ୍ରିୟ ବସ୍ତୁକୁ ବଳିଦାନ କଲେ ହୃଦୟ ଖଣ୍ଡ ବିଖଣ୍ଡ ହୋଇଯିବ ।

: ନ୍ୟାୟର ନିୟମ ଅନ୍ଧ ମହାମନ୍ତ୍ରୀ, ସେଥିରେ ଭାବୁକତାର ସ୍ଥାନ ନାହିଁ । ଚାଲନ୍ତୁ ରାଜସଭାକୁ ।

ରାଜସଭାରେ ଆଜି ସୋରିଷ ପକାଇବାକୁ ମଧ୍ୟ ସ୍ଥାନ ନାହିଁ । ମହାପୂଜାରୀ, ମନ୍ତ୍ରୀ ପରିଷଦ ଓ ଅନ୍ୟାନ୍ୟ ମୁଖ୍ୟ କର୍ମଚାରିଗଣ ନିଜ ନିଜର ଆସନରେ ବସି ରାଜାଙ୍କ ଆଗମନକୁ ଉତ୍‍କଣ୍ଠାର ସହ ପ୍ରତୀକ୍ଷା କରିଛନ୍ତି । ଏତେବଡ଼ ଜନସଭାରେ ମଧ୍ୟ ଶ୍ମଶାନ ପରି ନିସ୍ତବଧତା । ସମସ୍ତଙ୍କ ମୁଖମଣ୍ଡଳରେ ଦୁଃଖ ଶୋକର ଚିହ୍ନ । କେବଳ ମହାପୂଜାରୀ ଧୀର, ଶାନ୍ତ ମୁଦ୍ରାରେ ବସିଛନ୍ତି । ରାଜାଙ୍କ ଆଗମନରେ ସମସ୍ତେ ଦଣ୍ଡାୟମାନ ହୋଇ ଅଭିବାଦନ ଜଣାଇଲେ । ମହାରାଜାଙ୍କ ଜୟ ଘୋଷରେ ସଭାଗୃହ ପ୍ରକମ୍ପିତ ହୋଇଉଠିଲା ।

ଦ୍ରାବିଡ଼ ରାଜ ପୁଷ୍ପାଙ୍ଗଧନୁ ସିଂହାସନ ଗ୍ରହଣ କଲେ । ସମସ୍ତଙ୍କର ଦୃଷ୍ଟି ମହାରାଜାଙ୍କ ଉପରେ କେନ୍ଦ୍ରୀଭୂତ ହେଲା ।

ସଭାର ଉତ୍ତର ଭାଗରେ ପରଦା ଅନ୍ତରାଳରେ ପରିଚାରିକାମାନଙ୍କୁ ନେଇ ମହାରାଣୀ ବନଜ୍ୟୋତ୍ସ୍ନା ଉପସ୍ଥିତ ।

ମହାପୂଜାରୀ ଦଣ୍ଡାୟମାନ ହୋଇ ଅଭିଯୋଗ ଉପସ୍ଥାପିତ କଲେ । ଦ୍ରାବିଡ଼ ରାଜବଂଶର ନବରତ୍ନ ପଦକ-ଯୁକ୍ତ ମୁକ୍ତମାଳା । ସେ ବଂଶର ଗୌରବ, ବିପଦର ସୁରକ୍ଷା ଏବଂ ଉନ୍ନତିରେ ସହାୟକ । ତାର ଅମର୍ଯ୍ୟାଦା କରିବା ଦଣ୍ଡନୀୟ ଅପରାଧ । ତାପରେ, ରାଜ୍ୟର ମହାରାଣୀ ମହାରାଜାଙ୍କ ସମକ୍ଷରେ ଅସତ୍ୟ ଭାଷଣ କରି ନିଜକୃତ ଅପରାଧକୁ ଲୁଚାଇ ରଖିବାର ପ୍ରୟାସ କରିଛନ୍ତି । ମହାରାଜା ଏହାର ନ୍ୟାୟ ବିଚାର କରନ୍ତୁ ।

ପରିଚାରିକାଟିଏ ପରଦା ଅନ୍ତରାଳରୁ ବାହାରି ଆସି କହିଲା—ମହାରାଣୀ ଏଥିପାଇଁ ଲଜ୍ଜିତ ଏବଂ ସେ ପଶ୍ଚାତାପ କରୁଛନ୍ତି ।

ମହାରାଜା ପୁଷ୍ପାଙ୍ଗଧନୁ ଉଚ୍ଚ ସ୍ୱରରେ କହିଲେ ।

: ବର୍ତ୍ତମାନ ପଶ୍ଚାତାପରେ କିଛି ଫଳ ନାହିଁ । ରାଜଦଣ୍ଡ ତାଙ୍କୁ ଭୋଗ କରିବାକୁ ପଡ଼ିବ-

ଅନ୍ୟ ଏକ ପରିଚାରିକା ବାହାରକୁ ଆସି ଉତ୍ତର ଦେଲା–ମହାରାଣୀ ଏହାକୁ ନତବଦନରେ ସ୍ୱୀକାର କରୁଛନ୍ତି ।

 

ମହାରାଜା କିଛି ସମୟ ନେତ୍ରଦ୍ୱୟ ମୁଦ୍ରିତ କରି କିଛି ଚିନ୍ତା କରିବାକୁ ଲାଗିଲେ । ତା' ପରେ ଗମ୍ଭୀର ସ୍ୱରରେ କହିଲେ—

 

ମହାରାଣୀ ବନଜ୍ୟୋତ୍ସ୍ନାଙ୍କ ନାମରେ ମହାପୂଜାରୀ ରାଜଗୁରୁ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ସତ୍ୟ । ପ୍ରଚଳିତ ନ୍ୟାୟ ଅନୁସାରେ ତାଙ୍କ ଅପରାଧରେ ନିମିତ୍ତ ତାଙ୍କୁ ଆଜୀବନ ନିର୍ବାସନ ଦଣ୍ଡ ଦିଆଗଲା । ଯଥାଶୀଘ୍ର ଏହି ଦଣ୍ଡାଜ୍ଞା ପାଳନ କରାଯିବ ।

 

ଦଣ୍ଡାଜ୍ଞା ଶୁଣାଇବା ପରେ ମହାରାଜ ସେହିଠାରେ ମୂର୍ଚ୍ଛିତ ହୋଇ ପଡ଼ିଗଲେ ।

 

ଏପରି ଘଟଣା ଜାଣିବା ପରେ ଗାୟକ ଚକୋରର ଭାବୁକ ହୃଦୟ ଅତ୍ୟନ୍ତ ବ୍ୟଥିତ ହୋଇ ଉଠିଲା । ତଥାପି ଆହୁରି କିଛି ଶୁଣିବା ନିମିତ୍ତ ସେ ମହାରାଜାଙ୍କ ମୁଖକୁ ପ୍ରଶ୍ନବାଚକ ଦୃଷ୍ଟିରେ ଚାହିଁଲା । ମହାରାଜାଙ୍କ କଣ୍ଠ ସ୍ୱର ସେତେବେଳକୁ ରୁଦ୍ଧ ହୋଇ ଆସିଲାଣି ।

 

: ଏଇ ଦୁଃଖଦ ଘଟଣା ବହୁ ବର୍ଷ ତଳର ହେଲେ ମଧ୍ୟ ତାର ଗଭୀର ଛାପ ହୃଦୟ ପଟରେ ଅଙ୍କିତ ହୋଇ ରହିଛି । ଏହି ଥିଲା ମୋର ନ୍ୟାୟ ଯେ କି ମୋର ଦୃଦୟକୁ ସର୍ବଦା ପଶ୍ଚାତାପ ଅନଳରେ ଦଗ୍‍ଧ କରୁଛି ।

 

: ମହାରାଜ, ତା ପରେ ଆପଣ କଅଣ ମହାରାଣୀଙ୍କୁ ବନ ମଧ୍ୟରେ ଖୋଜି ନାହାନ୍ତି ?

 

: ଅନେକ ଥର ଚେଷ୍ଟା କରିଛି ଚକୋର, କେତେ କେତେ ଗ୍ରାମ ନଗର, ଅରଣ୍ୟରେ ସନ୍ଧାନ ନେଇଛି, ମାତ୍ର ସଫଳ ହୋଇପାରି ନାହିଁ । ଆଜି ଭାବୁଛି, ଯଦି ନ୍ୟାୟ ରକ୍ଷା ପାଇଁ ରାଣୀଙ୍କୁ ନିର୍ବାସନ ଦଣ୍ଡ ଦେଇପାରିଲି ତେବେ ପବିତ୍ର ପ୍ରେମର ଶପଥ ରକ୍ଷା ପାଇଁ ରାଜସିଂହାସନ ତ୍ୟାଗ କରି ତାଙ୍କ ସହିତ ମୁଁ ମଧ୍ୟ ବନଚାରୀ ହୋଇପାରି ଥାଆନ୍ତି । ସେତେବେଳେ ଯେଉଁ ବିରାଟ ଭୁଲ ମୁଁ କଲି ସତେ ଯେପରି ତାର ସଂଶୋଧନ ଆଉ ନାହିଁ ।

 

ମହାରାଜ, ଯୁବରାଜ ଋତୁପର୍ଣ୍ଣଙ୍କର ମଧ୍ୟ ବିବାହ ଯୋଗ୍ୟ ବୟସ ହୋଇଆସିଲାଣି ପୁତ୍ରବଧୁ ପ୍ରାସାଦକୁ ଆସିଗଲେ ଅବା ଆପଣଙ୍କ ମନକୁ କିଛି ପରିମାଣରେ ସାନ୍ତ୍ୱନା ମିଳିପାରିବି ।

 

ପରିଚାରକ ଆସି ରାତ୍ରି ଭୋଜନର ସମୟ ହେଇଯିବା କଥା ସୂଚାଇ ଦେଲା ।

 

ରାଜପ୍ରାସାଦକୁ ଲାଗି ଦେବୀ ଯୋଗମାୟାଙ୍କର ସୁଦୃଶ୍ୟ ମନ୍ଦିର । ମନ୍ଦିର ସମ୍ମୁଖରେ ମଣ୍ଡପ । ବେଢ଼ା ମଧ୍ୟରେ ମହାପୂଜାରୀ, ଗାୟକ ଚକୋର, ଦେବଦାସୀ ଚାରୁଚନ୍ଦ୍ରିକା ଏବଂ ପରିଚାରକମାନେ ରହିବା ନିମିତ୍ତ କେତେଗୁଡ଼ିଏ ସୁନ୍ଦର ପ୍ରକୋଷ୍ଠ ନିର୍ମିତ ହୋଇଛି ।

 

କିନ୍ନରୀ ଚାରୁଚନ୍ଦ୍ରିକା ହିମଗିରି ରାଜ୍ୟର ସର୍ବଶ୍ରେଷ୍ଠ ସୁନ୍ଦରୀ କହିଲେ ଅତ୍ୟୁକ୍ତି ହେବ ନାହିଁ । ଗୋଲାପ ପୁଷ୍ପ ପରି ଶରୀରର ରଙ୍ଗ, କାକ କୃଷ୍ଣ କବରୀ, ଖଞ୍ଜନ ପକ୍ଷୀ ସମ ନୟନ ଯୁଗଳ ସଙ୍ଗକୁ କ୍ଷୀଣ କଟି ଧାରିଣୀ ଚନ୍ଦ୍ରିକା ହାସ୍ୟ ଲାସ୍ୟ ଭଙ୍ଗିମା ନେଇ ଯେତେବେଳେ ଯୋଗମାୟାଙ୍କ ସମକ୍ଷରେ ନୃତ୍ୟ କରେ, ସେତେବେଳେ ଜଣାପଡ଼େ ସତେକି ଇନ୍ଦ୍ର ସଭାର କେଉଁ ଅପସରା ଅଭିଶାପ ପାଇ ଧରାପୃଷ୍ଠରେ ଅବତୀର୍ଣ୍ଣ ହୋଇଛି ।

 

କଳାମୟୀ କିନ୍ନରୀ ଚାରୁଚନ୍ଦ୍ରିକା ନୃତ୍ୟଗୀତରେ ଯେପରି ପ୍ରବୀଣା, ଗାୟକ ବାଦକ ଚକୋର ମଧ୍ୟ ନିଜ କଳାରେ ସେହିପରି ସୁନିପୁଣ । ସଂଧ୍ୟାକାଳୀନ ପୂଜା ସମୟରେ ଉଭୟ ଯୋଗମାୟାଙ୍କ ମନ୍ଦିରରେ ଉପସ୍ଥିତ ହୋଇ ନିଜ ନିଜର କର୍ତ୍ତବ୍ୟ ସୂଚାରୁ ରୂପେ ସମ୍ପାଦନ କରନ୍ତି ।

 

ସେଦିନ ସଂଧ୍ୟା ସମୟର ଘଟଣା । ଯଥା ସମୟରେ ଦେବୀଙ୍କର ପୂଜା ଅର୍ଚ୍ଚନା ଆରମ୍ଭ ହେଲା । ଗାୟକ ଚକୋରର ସୁଲଳିତ କଣ୍ଠରୁ ନିସୃତ ହେଲା ଦେବୀଙ୍କର ବନ୍ଦନା ବାଦକବୃନ୍ଦ ଉପଯୁକ୍ତ ତାଳ ମାନ ଲୟରେ ବିବଧ ବାଦ୍ୟ ବଜାଇବାକୁ ଲାଗିଲେ ।

 

ଦେବଦାସୀ ଚାରୁଚନ୍ଦ୍ରିକାର ଅପୂର୍ବ ନୃତ୍ୟ ଆରମ୍ଭ ହେଲା । ବିଭିନ୍ନ ଛନ୍ଦ ବନ୍ଧର ମୁଦ୍ରା ପ୍ରଦର୍ଶନ ପୂର୍ବକ ତାର ଅଙ୍ଗ ଚାଳନା ଥିଲା ଅତିବ ଚିତ୍ତାକର୍ଷକ । ସବୁଠାରୁ ଆକର୍ଷକ ଥିଲା ଚନ୍ଦ୍ରିକାର ନେତ୍ର ଭଙ୍ଗିମା ପ୍ରଦର୍ଶନ । ତାର ଭ୍ରୁଭଙ୍ଗିରେ ଥିଲା ଅନଙ୍ଗ ପୁଷ୍ପଶାୟକର ଶକ୍ତି । ଉନ୍ନତ ବକ୍ଷୋଜ ଉପରେ ଶୋଭା ପାଉଥିଲା ସ୍ଵର୍ଣ୍ଣଜରୀର କାରୁକାର୍ଯ୍ୟ ବିଶିଷ୍ଟ କଞ୍ଚୁକୀ । କଟିଦେଶରେ ଝିଲମିଲ କରୁଥିବା ମେଖଳା, କଚରୀର ଶ୍ୱେତ ସୁମନ ଖଚିତ ଟାହିଆ; ସବୁକିଛି ଥିଲା ଅତ୍ୟନ୍ତ ସୁନ୍ଦର, ଚିତ୍ତ-ଆକର୍ଷକ ।

 

ବାଦ୍ୟ ସହିତ ତାଳ ଦେଇ ନାଚୁଥିଲା ପଦର ନୁପୁର ମାଳା । ସଂଧ୍ୟା ଉପାସନାରେ ସମ୍ମିଳିତ ମହାରାଜା, ମହାମନ୍ତ୍ରୀ, ରାଜକୁମାର ଏବଂ ଅନ୍ୟାନ୍ୟ ସଂଭ୍ରାନ୍ତ କର୍ମଚାରୀ ବର୍ଗ ଦେବଦାସୀର ନୃତ୍ୟ ସଂଦର୍ଶନରେ ଆତ୍ମବିସୃତ ହୋଇପଡ଼ିଲେ ।

 

ଆରତୀ ଶେଷରେ ସୁବର୍ଣ୍ଣ ଥାଳୀରେ ସିନ୍ଦୁର, କୁଙ୍କୁମ ନେଇ ଦେବଦାସୀ ପ୍ରଥମେ ପହଞ୍ଚିଲା ରାଜା ପୁଷ୍ପାଙ୍ଗଧନୁଙ୍କ ସମ୍ମୁଖରେ । ତାଙ୍କ ମସ୍ତକରେ କୁଙ୍କୁମ ଲଗାଇ ଦେବା ପରେ ଯୁବରାଜଙ୍କ ଭାଲପଟରେ ମଧ୍ୟ ଲଗାଇଦେଲା । ଆଜି ଜଣା ନାହିଁ କେଉଁ କାରଣରୁ କିନ୍ନରୀ ଚନ୍ଦ୍ରିକାର ହସ୍ତ ଥରି ଉଠିଲା ଏବଂ କିଛି କୁଙ୍କୁମ ଖସି ପଡ଼ିଲା ଯୁବରାଜଙ୍କ ତୀକ୍ଷଣ ନାସିକା ଉପରେ-। ସଲଜ ଭଙ୍ଗୀରେ ନିଜ ପଣତରେ ଦେବଦାସୀ ପୋଛି ଆଣିଲା ଧୀରେ । କିଛି ସମୟ ପାଇଁ ଚାରିଚକ୍ଷୁର ମିଳନ ଘଟିଲା ଏତେ ନିକଟତମ ଦୂରତ୍ୱ ମଧ୍ୟରେ । କିନ୍ନରୀର ଦୀପ୍ତିମନ୍ତ ମୁଖମଣ୍ଡଳ ଉପରେ ଲଜ୍ୟାଜନିତ ଅରୁଣିମା ଫୁଟି ଉଠିଲା । କଳା ଭ୍ରମର ସଦୃଶ ନେତ୍ରପୁତ୍ତଳି ମଧ୍ୟ ଦେଇ ସତେ ଅବା ବିଦ୍ୟୁତ୍‍ର ପ୍ରବାହ ପ୍ରବେଶ କଲା ଉଭୟଙ୍କ ଶରୀରରେ । ନିଜର ଅସାବଧାନତା ବଶତଃ କୁଙ୍କୁମ ଚୁର୍ଣ୍ଣ ରାଜକୁମାରଙ୍କ ନାସିକା ଉପରେ ଖସି ପଡ଼ିଥିବା ଯୋଗୁ ଥର ଥର କଣ୍ଠ ସ୍ୱରରେ ଚନ୍ଦ୍ରିକା କହିଲା—

 

କ୍ଷମା କରିବେ ଯୁବରାଜ ।

 

ସ୍ମିତହାସ୍ୟର ଛଟା ଖେଳାଇ ଯୁବରାଜ ଉତ୍ତର ଦେଲେ—

 

: ତୁମର ଅଜ୍ଞାତ ଅବସ୍ଥାରେ ଯାହା ଘଟିଗଲା, ସେଇଟା କିଛି ଅକ୍ଷମଣୀୟ ଅପରାଧ ନୁହେଁ ।

 

: ଆମ ଯୁବରାଜଙ୍କ ହୃଦୟ ଅତ୍ୟନ୍ତ ଉଦାର ।

 

ଯୁବରାଜ ଆଉ କିଛି ନକହି ମୌନ ରହିଲେ । କେବଳ ସ୍ମିତ ହାସ୍ୟର ରେଖାଟିଏ ଓଷ୍ଠାଧାରରେ ଲାଖି ରହିଲା । ଦେବଦାସୀ ଜଣ ଜଣ କରି ସମସ୍ତଙ୍କ ଭାଲପଟରେ କୁଙ୍କୁମ ରେଖା ଆଙ୍କିଦେଲା ।

 

ସମସ୍ତେ ମନ୍ଦିରରୁ ବିଦାୟ ନେଇ ଚାଲିଯିବା ପରେ ଗାୟକ ଚକୋର ଆଉ କିନ୍ନରୀ ଚନ୍ଦ୍ରିକା ଏକ ସଙ୍ଗେ ନିଜର ପ୍ରକୋଷ୍ଠ ଆଡ଼କୁ ବାହାରିଲେ । ପ୍ରଥମେ ଚନ୍ଦ୍ରିକାର ଶୟନ କକ୍ଷ । ଦ୍ୱାର ଦେଶରେ ଦୁହେଁ କିଛି ସମୟ ଅଟକି ଗଲେ । ତା' ପରେ ଘର ଭିତରକୁ ଯାଇ ଦୁଇଟି କାଷ୍ଠାସନ ଉପରେ ବସି ପଡ଼ିଲେ ।

 

: ଚନ୍ଦ୍ରିକା

 

: କଅଣ କହୁଛ ଚକୋର ?

 

: ଆଜି ଯୁବରାଜ ତୁମ ସହିତ ପ୍ରଥମ କରି କଥାବାର୍ତ୍ତା କଲେ । ଏପର୍ଯ୍ୟନ୍ତ ତୁମକୁ କେବେ ହେଲେ କଥା କହି ନ ଥିଲେ ।

 

: ମୋ ସହିତ ଯୁବରାଜଙ୍କର ସମ୍ପର୍କ ବା କଅଣ ? ହିମଗିରି ରାଜ୍ୟର ଭାବି ରାଜାଧିରାଜ ସାଧାରଣ ଦେବଦାସୀ ସହିତ କଥୋପକଥନ କରିବାର ଆବଶ୍ୟକତା ମଧ୍ୟ କଅଣ ଅଛି ?

 

କିନ୍ତୁ ଗୋଟିଏ କଥା ଚନ୍ଦ୍ରିକା, ଲୋକ-ଲଜ୍ୟା ଏବଂ ବାହ୍ୟ ମର୍ଯ୍ୟାଦାକୁ ଜଗି ସେ ସିନା ତୁମ ସହିତ କଥାବାର୍ତ୍ତା କରନ୍ତି ନାହିଁ; ମାତ୍ର ତାଙ୍କ ଅନ୍ତରରେ ତୁମ ପ୍ରତି, ତୁମର କଳାପ୍ରତି ପ୍ରଗାଢ଼ ସ୍ନେହ ଶ୍ରଦ୍ଧା ଭରି ରହିଛି । ମୋ ସମକ୍ଷରେ ଅନେକଥର ଯୁବରାଜ ତୁମ୍ଭର ନୃତ୍ୟ କଳାକୁ ପ୍ରଶଂସାସୂଚକ ବାକ୍ୟରେ ବର୍ଣ୍ଣନା କରିଛନ୍ତି ।

 

ସତରେ ଚକୋର !

 

: ମିଥ୍ୟା କାହିଁକି କହିବି ଚନ୍ଦ୍ରିକା ?

 

ମହାପୂଜାରୀଙ୍କ କଠାଉ ଖଟ୍ ଖଟ୍ ଶୁଣି ଦୁହେଁ ସତର୍କ ହେଲେ । ଚକୋର ଧୀରେ ଧୀରେ ବୀଣା ବାଦନ ଆରମ୍ଭ କରିଦେଲା ଏବଂ ଚନ୍ଦ୍ରିକା ମଧ୍ୟ ଗୀତ ଗାଇବାକୁ ଲାଗିଲା ଧୀର ସ୍ୱରରେ । ସତେ ଯେପରି ସେମାନେ ଅଭ୍ୟାସ କରିଛନ୍ତି କୌଣସି ନୂତନ ରାଗ ରାଗିଣୀର

 

ପରଦିନ ପ୍ରଭାତରେ ଯୋଗମାୟାଙ୍କ ମନ୍ଦିରରୁ ସେବାକାର୍ଯ୍ୟ ଶେଷକରି ଆଗ ଚନ୍ଦ୍ରିକା ଚାଲି ଆସିଲା ନିଜର କକ୍ଷକୁ । ଦ୍ୱାର ବନ୍ଦକରି ବସ୍ତ୍ର ପରିବର୍ତ୍ତନ କରିବାକୁ ଲାଗିଲା ।

 

କିଛି ସମୟ ପରେ ଯୁବରାଜଙ୍କ ସହ ଚକୋର ମନ୍ଦିର ବାହାରକୁ ଆସିଲେ ।

 

: ଚକୋର ?

 

: ଆଜ୍ଞା ଶ୍ରୀ ଯୁବରାଜ ।

 

: ଆଜିତ ଚନ୍ଦ୍ରିକାର ନୃତ୍ୟଗୀତ ଅତୀବ ଚିତ୍ତାକର୍ଷକ ଥିଲା । ପ୍ରଭାତରେ ତା’ ଗୀତାର ଭାବଭଙ୍ଗୀ ସାଙ୍ଗକୁ, ହାସ୍ୟ ଲାସ୍ୟମୟୀ ତନୁଲତାର ଛନ୍ଦ ବନ୍ଧ-ଐଶ୍ୱରିକ ସୌନ୍ଦର୍ଯ୍ୟ ସାଙ୍ଗକୁ କଳାର ସମାବେଶ-ବାସ୍ତବିକ ପ୍ରଶଂସା କରିବାକୁ ମୁଁ ଭାଷା ଖୋଜି ପାଉ ନାହିଁ ।

 

ସତ୍ୟକଥା ଯୁବରାଜ; ଆପଣଙ୍କ ଦୃଦୟରେ ଯେ ତା’ ନୃତ୍ୟକଳା ନିମିତ୍ତ ଏତେ ଆଦର ଭାବ ପୂର୍ଣ୍ଣହୋଇ ରହିଛି, ତା' ପକ୍ଷରେ ପରମ ଗୌରବର ବିଷୟ ।

 

: ଯେଉଁ ନୈସର୍ଗିକ କଳାରେ ଦେବଦେବୀମାନେ ସନ୍ତୁଷ୍ଟ ହୁଅନ୍ତି, ଭଲା ମୁଁ ତାର ଅନାଦର କରିବି କିପରି ?

 

: ଚନ୍ଦ୍ରିକା ହୃଦୟରେ ମଧ୍ୟ ଆପଣଙ୍କ ପ୍ରତି ବହୁତ ସ୍ନେହଶ୍ରଦ୍ଧା ବିଦ୍ୟମାନ । ଆପଣଙ୍କ ସହିତ ବାର୍ତ୍ତାଳପ କରିବାକୁ ତା’ ମନରେ ପ୍ରବଳ ଆକାଙ୍‍କ୍ଷା, ମାତ୍ର......ଲୋକଲଜ୍ୟା ।

 

: ମୁଁ ମଧ୍ୟ ଚନ୍ଦ୍ରିକା ସହ କିଛି ସମୟ କଥୋପକଥନ କରିବାକୁ ଚାହୁଁଛି । ଚାଲ ଆଜି କିଛି ବିଶେଷ କାର୍ଯ୍ୟକ୍ରମ ନାହିଁ, ଚନ୍ଦ୍ରିକା ସହିତ କିଛି ସମୟ ବାର୍ତ୍ତାଳାପ କରିବା ।

 

ଚକୋରକୁ ସଙ୍ଗରେ ନେଇ ଯୁବରାଜ ଚନ୍ଦ୍ରିକାର କକ୍ଷ ଆଡ଼କୁ ଅଗ୍ରସର ହେଲେ ।

 

ଚନ୍ଦ୍ରିକା ସେତେବେଳକୁ ଦ୍ୱାର ବନ୍ଦକରି ବସ୍ତ୍ର ପରିବର୍ତ୍ତନ କରିବାରେ ଲାଗିଥାଏ । ଚକୋର କବାଟ ଉପରେ ଟିପ ମାରିବାରୁ ଭିତରୁ ଚନ୍ଦ୍ରିକା ପଚାରିଲା—

 

: କିଏ...... ?

 

: ଚକୋର ।

 

: ଚକୋର ? ବର୍ତ୍ତମାନ ମୋତେ କିଛି ଭଲ ଲାଗୁ ନାହିଁ । ମୁଁ ବିଶ୍ରାମ ଚାହୁଁଛି । ଅତି ଆବଶ୍ୟକ କାର୍ଯ୍ୟ, ମହାରାଜାଙ୍କ ସମାଚାର ।

 

କିନ୍ନରୀ ଶୀଘ୍ର ଆସି ଦ୍ୱାର ଖୋଲିଦେଲା । ହଠାତ୍ ଯୁବରାଜଙ୍କୁ ଦେଖି ତାର ହୃତ୍‍ସ୍ପନ୍ଦନ ବଢ଼ିଗଲା । ମସ୍ତକ ଅବନତ କରି ଅଭିବାଦନ ଜଣାଇଲା ଯୁବରାଜଙ୍କୁ । ଚକୋର କହି ଉଠିଲା—

 

: ଯୁବରାଜ ତୁମ ସହିତ କିଛି ବାର୍ତ୍ତାଳାପ କରିବାକୁ ଆସିଛନ୍ତି ଚନ୍ଦ୍ରିକା ।

 

ସୌଭାଗ୍ୟ ମୋର, ସ୍ନେହ ଶ୍ରଦ୍ଧାର ସହ ସ୍ୱାଗତ ଜଣାଉଛି ।

 

ଯୁବରାଜ କକ୍ଷ ମଧ୍ୟକୁ ଆସି ଆସନ ଗ୍ରହଣ କଲେ । ତାଙ୍କ ସମ୍ମୁଖରେ ଭୂମି ଉପରେ ବସି ପଡ଼ିଲେ ଚନ୍ଦ୍ରିକା ଆଉ ଚକୋର । ଯୁବରାଜ ପ୍ରଥମେ ମୌନଭଙ୍ଗ କଲେ ।

 

: ଚନ୍ଦ୍ରିକା, ତୁମର ନୃତ୍ୟକଳା ଅତୀବ ଚିତ୍ତାକର୍ଷକ ।

 

ଚନ୍ଦ୍ରିକା ଚାହିଁଲା ଯୁବରାଜଙ୍କ ମୁଖ, ମଣ୍ଡଳକୁ ।

 

: ଆପଣଙ୍କର ଉଦାର ହୃଦୟ ଯୁବରାଜ, ତେଣୁ ଏ ତୁଚ୍ଛ କିନ୍ନରୀକୁ ପ୍ରଶଂସା କରୁଛନ୍ତି ।

 

ଚକୋର ନିଜ ସ୍ଥାନରୁ ଉଠି ବାହାରକୁ ଯିବାକୁ ଉଦ୍ୟତ ହେଲା ।

 

: କ୍ଷମାକରିବେ ଯୁବରାଜ, ଗୋଟିଏ ଆବଶ୍ୟକ କାର୍ଯ୍ୟ ଭୁଲିଯାଇଛି । ଅଳ୍ପ ସମୟ ପାଇଁ ବାହାରକୁ ଯିବାକୁ ଅନୁମତି ଦିଅନ୍ତୁ ।

 

ଯୁବରାଜଙ୍କ ସଙ୍କେତ ପାଇ ଚକୋର ବାହାରକୁ ଚାଲିଗଲା । କକ୍ଷ ମଧ୍ୟରେ ରହିଗଲେ କେବଳ କିନ୍ନରୀ ଆଉ ଯୁବରାଜ ।

 

ଚନ୍ଦ୍ରିକା ।

 

: ଆଜ୍ଞା ଶ୍ରୀଯୁବରାଜ ।

 

: ତୁମର କକ୍ଷକୁ ଅସମୟରେ ଆସିଯିବାରୁ ତୁମର କିଛି ଅସୁବିଧା ହେଲା କି ? ମଧୁର ହାସ୍ୟଛଟା ଖେଳାଇ ଚନ୍ଦ୍ରିକା କହିଲା—ଅସୁବିଧା: ନା ନା ଦେବତାଙ୍କ ଆଗମନ ତ ଦେବଦାସୀ ନିମିତ୍ତ ବରଦାନ ସଦୃଶ । ମୋର ସୌଭାଗ୍ୟ......ଶ୍ରୀଯୁବରାଜଙ୍କ ପଦରଜ ଲାଗି ମୋର ପ୍ରକୋଷ୍ଠ ପବିତ୍ର ହୋଇଗଲା । ମୋର ନୃତ୍ୟକଳା ପ୍ରତି ଆପଣଙ୍କ ଦୃଦୟରେ ଏତେ ଶ୍ରଦ୍ଧା ଜାଣି ମୁଁ ଅତ୍ୟନ୍ତ ଆନନ୍ଦିତ ।

 

: ଚନ୍ଦ୍ରିକା.....

 

: ଆଜ୍ଞା......

 

କାଲି ସନ୍ଧ୍ୟା ଆରତୀ ପରେ ଉଦ୍ୟାନ ଭିତରେ ଥିବା ସରୋବର ନିକଟରେ ଦମାତେ ସାକ୍ଷାତ କରିପାରିବ ?

 

: ଦେବତାଙ୍କର ଆଦେଶକୁ କେବେ ଦେବଦାସୀ ଅମାନ୍ୟ କରିପାରେ ?

 

ଚକୋର ଆସିବାର ପଦଶବ୍ଦ ଶୁଣାଗଲା । ଉଭୟଙ୍କର ବାକ୍‍ସ୍ଫୁରଣ ବନ୍ଦ ହୋଇଗଲା କିଛି ସମୟ ପାଇଁ । ଦୁହେଁ ଅବାକ୍ ନୟନରେ ପରସ୍ପରକୁ ଚାହିଁ ରହିଲେ । ଆଖିରେ ଆଖି ମିଶିଲେ ସ୍ନେହ ଶ୍ରଦ୍ଧାର ବାର୍ତ୍ତା ଆପେ ଆପେ ହୃଦୟ ପର୍ଯ୍ୟନ୍ତ ପହଞ୍ଚିଯାଏ । ପରସ୍ପରକୁ ଭଲ ପାଇବାର କଥା କଅଣ କେବଳ ମୁଖଦ୍ୱାରା କୁହାଯାଏ !

 

ଚକୋର ଅନୁମତି ନେଇ ପ୍ରବେଶ କଲା ଏବଂ ଯଥାସ୍ଥାନରେ ଭୂମି ଉପରେ ବସି ପଡ଼ିଲା ।

 

: ଚକୋର.....

 

: ଆଜ୍ଞା ଶ୍ରୀଯୁବରାଜ !

 

: ଗୋଟିଏ ଗୀତ ଗାଅନା......

 

: ମୋର ଅହୋଭାଗ୍ୟ ! ଶ୍ରୀଯୁବରାଜଙ୍କ ଇଚ୍ଛାକୁ ମୁଁ ଅବିଳମ୍ବେ ପୂରଣ କରିବି । ହାତରେ ବୀଣାଧରି ଚକୋର ଗାୟନ ଆରମ୍ଭ କଲା:—

 

ଫୁଲ ହୋବ କିମ୍ପା ଫୁଟିଲି ବନେ

ଫୁଟିଥାନ୍ତି ଯଦି ରାଜ ଉଦ୍ୟାନେ ମୁଁ

ମଣ୍ଡିଥାନ୍ତି ଜେମା ଗଭା

କିବା ଦେବଦାସୀ ଗଳାହାର ମଧ୍ୟେ ପାଇଥାନ୍ତି ମୁହିଁ ଶୋଭା......

ଫୁଟିଥାନ୍ତି ଯଦି ତମାଳ ବନେ

କୃଷ୍ଣଚନ୍ଦ୍ର ତୋଳି ଅତି ଯତନେ କି

କରିଥାନ୍ତେ ଗଳାହାର......

କିଅବା ରାଈ କିଶୋରୀଙ୍କ କାବେରୀ ଦିଶିଥାନ୍ତା କି ସୁନ୍ଦର

ମୋ କରମ ହୀନ ମୁଁ ବନଫୁଲ

କେହି ନ ବୁଝିବେ ମୋହର ମୂଲ କି

ଭୂତଳେ ପଡ଼ିବି ଝଡ଼ି.......

କିଅବା ପବନ ଖରେ ବୋହିଗଲେ ଦୂରକୁ ଯିବି ମୁଁ ଉଡ଼ି

 

ଯୁବରାଜ ମୁଗ୍‍ଧ ହୋଇ ଚକୋରର ଗୀତ ଶୁଣୁଥିଲେ । ସତେ ଯେପରି ଶୀତର ଭାବଧାରାକୁ ହୃଦୟଙ୍ଗମ କରି ଭାବ ବିଭୋର ହୋଇଯାଇଛନ୍ତି ! ବୀଣାର କରୁଣ ମୂର୍ଚ୍ଛନା ବନ୍ଦ ହେବା ମାତ୍ରକେ ତାଙ୍କର ତନ୍ଦ୍ରା ଭାଜିଗଲା ।

 

: ଧନ୍ୟବାଦ ! ଚମତ୍‍କର ଗାୟନ ତୁମର ।

 

: ସବୁ ଦେବୀ ଯୋଗମାୟାଙ୍କର ଆଶୀର୍ବାଦ । ଆପଣଙ୍କର କୃପା ଦୃଷ୍ଟି ଅଧୀନ ଉପରେ ରହିଲେ ଗାୟନ କଳାର ଆହୁରି ଉନ୍ନତି ଘଟିବ ବୋଲି ଆଶା ରଖିଛି ।

 

: ତୁମର କୌଣସି ଅସୁବିଧା ହେଲେ ତତ୍‍କ୍ଷଣାତ୍ ଜଣାଇ ପାରିବ ଚକୋର ।

 

: ଅନୁକମ୍ପା ଅନୁକମ୍ପା ଯୁବରାଜଙ୍କର ।

 

କିରାତପଲ୍ଲୀର ନାୟକ ସାତଦିନ ଶଯ୍ୟାଶାୟୀ ହେବାପରେ ଆଜି ତା’ ଜୀବନ ଦୀପ ନିର୍ବାପିତ ହେବା ଉପରେ । ଧର୍ମତଃ ପାଳିତା କନ୍ୟା ବନଜ୍ୟୋତ୍ସ୍ନା ଆଉ ପୁଷ୍ପକେତୁ ଶଯ୍ୟା ନିକଟରେ ବସିଛନ୍ତି । ନାୟକର ପତ୍ନୀ ପାଦ ପାଖରେ ବସି ରଡ଼ ନିଆଁରେ ପାଦ ସେକି ଲାଗିଛି । ପଲ୍ଲୀର ଚିକିତ୍ସକ, ବନଦୁର୍ଗାଙ୍କ କାଳିସୀ କିଛି ଜଡ଼ିବୁଟି ପଥର ଖଲରେ ଘୋଟି ପିଆଇ ଦେବାକୁ ତତ୍ପର ।

 

ଜନ୍ମ ପରେ ଦିନେ ନା ଦିନେ ମୃତ୍ୟୁ ସୁନିଶ୍ଚିତ । ଏଇ କଠୋର ସତ୍ତାକୁ କେହି ହେଲେ ଫାଙ୍କି ଦେଇପାରିବେ ନାହିଁ । ରାମ, କୃଷ୍ଣ ଇଶ୍ଵରଙ୍କର ଅବତାର ହେଲେ ମଧ୍ୟ ସେମାନଙ୍କୁ ଦେହ ତ୍ୟାଗ କରିବାକୁ ପଡ଼ିଥିଲା । ମୃତ୍ୟୁ ସମୟରେ ଯଦି ନିଜ ସଂଚିତ ଧନରୁ କିଛି ହେଲେ ମନୁଷ୍ୟ ନେଇପାରନ୍ତା ତା’ହେଲେ ଧନ ପ୍ରତି ଲୋଭ, ଅନ୍ୟାୟ ଉପାୟରେ ଧନ ଆହରଣ ଆହୁରି ବୃଦ୍ଧି ପାଆନ୍ତା । ସଭ୍ୟ ବୋଲାଉଥିବା ନଗରବାସୀମାନଙ୍କ ଠାରୁ ବନବାସୀ କିରାତମାନେ ସରଳ ପ୍ରକୃତିର । ବନସ୍ଥଳୀ ହେଉଛି ତାଙ୍କର ସମ୍ପତ୍ତି । ବାସଗୃହ ତଥା ଖାଦ୍ୟ ଉପକରଣ ସେମାନେ ବନରୁ ସଂଗ୍ରହ କରି ଜୀବନ ଯାତ୍ରା ନିର୍ବାହ କରନ୍ତି । ଗୋଟିଏ ପଲ୍ଲୀର ବାସିନ୍ଦା, ଗୋଟିଏ ପରିବାର ପରି ଚଳନ୍ତି । ଜଣେ ଯଦି ଗୋଟିଏ ବଡ଼ ପଶୁ ଶିକାର କରି ଆଣେ, ସେ ନିଜ ପରିବାର ନିମିତ୍ତ ମାଂସ ରଖି ବାକୀତକ ପଡ଼ିଶା ଘର ମାନଙ୍କରେ ବାଣ୍ଟି ଦିଏ । ପଲ୍ଲୀର ମୁଖିଆ ଏବଂ ଦେବୀଙ୍କର କାଳିସୀ ପ୍ରତି ଲୋକମାନଙ୍କର ହୃଦୟରେ ଯଥେଷ୍ଟ ସମ୍ମାନ ରହିଥାଏ ।

ନାୟକର ଶେଷ ସମୟ ଉପସ୍ଥିତ ଜାଣି କିରାତ ପଲ୍ଲୀର ଅଧିକାଂଶ ପୁରୁଷ, ସ୍ତ୍ରୀ, ବାଳକ, ବାଳିକା ତା କୁଟୀର ନିକଟରେ ଉପସ୍ଥିତ । ଜଣ ଜଣକରି ଭିତରକୁ ଆସି, ଶେଷ ଦର୍ଶନ କରି, ପାଦରେହାତ ଲଗାଇ ମଥାରେ ମାରି, ବାହାରକୁ ଚାଲି ଯାଉଛନ୍ତି ।

ବୃଦ୍ଧ ନାୟକର ନିଶ୍ୱାସ ପ୍ରଶ୍ୱାସର ବେଗ ବଢ଼ିଗଲା । ସଙ୍କେତ ଦ୍ୱାରା ପୁଷ୍ପକେତୁକୁ ପାଖକୁ ଆସିବାକୁ ଡାକିଲା କିରାତ ନାୟକ ।

ପୁଷ୍ପକେତୁ ଆସି ଶେଯ ପାଖରେ ବସିବା ମାତ୍ରକେ ତା ମସ୍ତକ ଉପରେ ହାତ ରଖି ବୃଦ୍ଧ ନାୟକ କହିଲା–ମୋ ପରେ–ମୋ ପରେ–ଏଇ ବୀର ଯୁବକ–ସମସ୍ତଙ୍କର—ସର୍ଦ୍ଦାର । ସମସ୍ତେ—ମିଳିମିଶି–ଚଳିବ ।

ସେତେବେଳକୁ ହିକ୍‍କା ଉଠିଲାଣି । ବାକ୍‍ଶକ୍ତି ରୁଦ୍ଧ ହୋଇ ଆସିଲା । ଅଳ୍ପ ସମୟ ମଧ୍ୟରେ ଜୀବନ ଦୀପ ଲିଭିଗଲା । ଉପସ୍ଥିତ ସ୍ତ୍ରୀ ପୁରୁଷ ସମସ୍ତେ ଭୋ ଭୋ ରଡ଼ି କରି କାନ୍ଦିବାକୁ ଲାଗିଲେ ।

ଯଥାବିଧି ଶେଷ କୃତ୍ୟ ସମାପନ ପରେ ଦିନେ ପୁଷ୍ପକେତୁକୁ ନାୟକ ପଦରେ ଅଧିଷ୍ଠିତ କରିବାର ଉତ୍ସବ ବନଦୁର୍ଗା ମନ୍ଦିର ସମ୍ମୁଖରେ ପାଳିତହେଲା । ଦେବୀଙ୍କର ପୂଜା, ସାମୁହିକ ଭୋଜନ ଏବଂ ନୃତ୍ୟଗୀତରେ ଗୋଟିଏ ଦିନ ଆଉ ଗୋଟିଏ ରାତି ଅତିବାହିତ ହୋଇଗଲା ।

ପର ଦିନ ଠାରୁ ପୁଷ୍ପକେତୁ ଆରମ୍ଭ କଲା ଏକ କ୍ଷୁଦ୍ର ସୈନିକ ଦଳ । ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାବେଳେ ସେମାନଙ୍କୁ ବିଭିନ୍ନ ଅସ୍ତ୍ର ଶସ୍ତ୍ର ଚାଳନା ଏବଂ ମଲ୍ଲ ଯୁଦ୍ଧ ଶିକ୍ଷା ଦେବାକୁ ଲାଗିଲା । ନିକଟବର୍ତ୍ତୀ ପଲ୍ଲୀମାନଙ୍କରୁ ଆଗ୍ରହୀ ଯୁବକମାନେ ଜଣଜଣ ହୋଇ କିରାତ ସୈନ୍ୟବାହିନୀରେ ଯୋଗଦେବାକୁ ଲାଗିଲେ । କ୍ରମେ ସେମାନଙ୍କର ସଂଖ୍ୟା ପାଞ୍ଚଶହରେ ପହଞ୍ଚିଗଲା ।

ପୁଷ୍ପକେତୁ ଥିଲା ସେମାନଙ୍କର ମୁଖ୍ୟ ସେନାପତି । ସମସ୍ତେ ତାକୁ ମହାନାୟକ ବୋଲି ସମ୍ବୋଧନ କରୁଥିଲେ । ପୁତ୍ରର କାର୍ଯ୍ୟକଳାପରେ ମାତା ବନଜ୍ୟୋତ୍ସ୍ନା ଦେବୀଙ୍କର ସନ୍ତୋଷ ଦିନକୁ ଦିନ ବୃଦ୍ଧି ପାଇଲା । ମାତାଙ୍କ ପରାମର୍ଶରେ ଶରତ ପୂର୍ଣ୍ଣିମା ଦିବସରେ ସୈନ୍ୟବାହିନୀରେ ଅସ୍ତ୍ର ଚାଳଣ କୌଶଳ ଏବଂ ମଲ୍ଲଯୁଦ୍ଧ ଆଦିର ପ୍ରତିଯୋଗିତା ଉତ୍ସବ ପାଳିତ ହେଲା ।

ପ୍ରତିଯୋଗିତାରେ ବିଜୟ ଲାଭ କରିଥିବା ସୈନ୍ୟମାନଙ୍କୁ ପୁରସ୍କାର ବିତରଣ କଲେ ବନଜ୍ୟୋତ୍ସ୍ନା ଦେବୀ । ଲୁକ୍‍କାୟିତ ସ୍ୱର୍ଣ୍ଣ ମୁଦ୍ରାରୁ କିଛି ବ୍ୟୟ କରି ଆଗରୁ ପୁରସ୍କାର ସାମଗ୍ରୀ ସେ ସଂଗ୍ରହ କରିଥିଲେ । ଏତଦ୍‍ବ୍ୟତୀତ ପୂର୍ଣ୍ଣିମା ରାତ୍ରିରେ ନୃତ୍ୟଗୀତ, ପାନ ଭୋଜନର ମଧ୍ୟ ଆୟୋଜନ କରାଯାଇଥିଲା । ନିକଟବର୍ତ୍ତୀ କିରାତ ପଲ୍ଲୀରୁ ଅନେକ ଦର୍ଶକ ଆସିଥିଲେ । ସମସ୍ତଙ୍କ ଦୃଷ୍ଟିରେ ମହାନାୟକ ପୁଷ୍ପକେତୁର ସମ୍ମାନ ଯଥେଷ୍ଟ ବୃଦ୍ଧି ପାଇଲା । ପୁଷ୍ପକେତୁର ଜୟଘୋଷରେ ଗଗନ ପବନ ମୁଖରିତ ହୋଇଉଠିଲା ।

ଉତ୍ସବ ଶେଷରେ ପୁଷ୍ପକେତୁ ମାତାଙ୍କୁ ନେଇ ବାସ ଭବନକୁ ଫେରିଆସିଲା । ବସ୍ତ୍ର ପରିବର୍ତ୍ତନ କରି ଶଯ୍ୟା ଉପରେ ଶୟନ କରିବାକୁ ଉଦ୍ୟତ ହେବା ଅବସ୍ଥାରେ ମାତାର ପାଦ ଶବ୍ଦ ବାରି ସେହି ସ୍ଥାନରେ ବସି ରହିଲା ପୁଷ୍ପକେତୁ ।

: ପୁଷ୍ପ—

: କଅଣ ମା–

: ଆଜିର ଉତ୍ସବରେ ମୁଁ ଅତ୍ୟନ୍ତ ଆନନ୍ଦିତ । ତୋର କାର୍ଯ୍ୟକଳାପ ଆଉ ବୀରତ୍ୱର ପ୍ରଶଂସାବାଣୀ ଧୀରେ ଧୀରେ ଚତୁର୍ଦ୍ଦିଗକୁ ନିଶ୍ଚୟ ବ୍ୟାପିଯିବ । ଦିନେ ନିଜର ବାହୁବଳ ଦ୍ୱାରା ଗୋଟିଏ ରାଜ୍ୟ ସ୍ଥାପନ ମଧ୍ୟ ତୋ ଦ୍ୱାରା ସମ୍ଭବ ହେବ ।

: ସବୁ ତୋର ମସ୍ତକରେ ରାଜମୁକୁଟ ଆଉ ଗୃହରେ ପୁତ୍ରବଧୁ ଦେଖିଲେ ମୋର ମନୋକାମନା ପୂର୍ଣ୍ଣ ହେବ । ସେ ସମୟ ନିକଟ ହୋଇ ଆସିବାପରି ମୋର ମନେହେଉଛି । ମା ଯୋଗମାୟା, ଏ ହୃଦୟର ବେଦନା କେତେ ଦିନରେ ଉପଶମ ହେବ ତୋତେ ହିଁ ଜଣା ।

ରାଜ ଉଦ୍ୟାନ ମଧ୍ୟବର୍ତ୍ତୀ ସରୋବର ସ୍ନାନ ଘଟ । ପ୍ରଥମ ପାବଚ୍ଛ ଉପରେ ବସିଛି କିନ୍ନରୀ ଚାରୁଚନ୍ଦ୍ରିକା । ପୁଷ୍ପରାଶିର ସୁଗନ୍ଧ ନେଇ ପବନ ବହୁଛି ଧୀରେ ଧୀରେ । ନୀଳ ଆକାଶରେ ଚନ୍ଦ୍ରଙ୍କର ଜ୍ୟୋତ୍ସ୍ନା ସମୟ କ୍ରମେ ବୃଦ୍ଧି ପାଇବାକୁ ଲାଗିଲା । ସରୋବର ମଧ୍ୟରେ ଥିବା କୁମୁଦ କଳିକା ପ୍ରସ୍ଫୁଟିତ ହେବାକୁ ଲାଗିଲେ । ମନରେ ରାଜକୁମାରଙ୍କ ଆଗମନର ଭାବନା ନେଇ ଚନ୍ଦ୍ରିକା ଗୋଟିଏ ଗୋଟିଏ କ୍ଷୁଦ୍ର ପ୍ରସ୍ତର ଖଣ୍ଡ ସରୋବର ମଧ୍ୟକୁ ଫିଙ୍ଗିବା ସଙ୍ଗେ ସଙ୍ଗେ ଗୁଣୁ ଗୁଣୁ ହୋଇ ଗୀତ ଗାଇବାକୁ ଲାଗିଲା ।

ଜଳ ଉପରେ ସୃଷ୍ଟି ହେଲା ଅସଂଖ୍ୟ ଲହରୀ ମାଳିକା । ଚନ୍ଦ୍ର ତାରାଙ୍କ ପ୍ରତିବିମ୍ବ ଖଣ୍ଡ ବିଖଣ୍ଡିତ ହୋଇ ତା ମଧ୍ୟରେ ନୃତ୍ୟ କରିବାକୁ ଲାଗିଲେ । ତା ସଙ୍ଗେ ସଙ୍ଗେ ଚନ୍ଦ୍ରିକାର ଗୁଣୁ ଗୁଣୁ ସ୍ୱର ଆହୁରି ସ୍ୱଷ୍ଟ ହୋଇ ଉଠିଲା

ଚକୋର କହୁଛି କହୁଛି ଚାହାଁ ଲୋ ଚକୋରୀ

ଅସ୍ତାଚଳେ ବିଭାବସୁ ଆସେ ବିଭାବରୀ

ପ୍ରାଣ ମିତଣି ଗୋ ମୋର–

ଅଳ୍ପକ୍ଷଣେ ଦିବା ଲୋକ ହୋଇଯିବ ଦୂର—

ନୀଳାକାଶେ ରିତନର ଦୀପାଳୀ ଜଳିବ

ନିଶାରାଣୀ ଓଢ଼ଣୀରେ ହୀରା ଝଟକିବ

ପ୍ରାଣ ମିତଣି ଗୋ ମୋର—

ପୂର୍ବଦିଗୁ ଉଦୟ ହୋଇବେ ନିଶାକର ।

 

ଅର୍ଦ୍ଧ ନିମିଳିତ ଚକ୍ଷୁ; ସ୍ୱପ୍ନ ରାଜ୍ୟରେ ବିଚରଣ କରି କରି ଗୀତ ଗାଉଛି କିନ୍ନରୀ ଚାରୁଚନ୍ଦ୍ରିକା । ରାଜକୁମାର ଋତୁପର୍ଣ୍ଣ କେତେବେଳେ ଯେ ପାଦ ଚିପି ଆସି ପଛ ପଟ ଦଣ୍ଡାୟମାନ ହେଲେଣି ତା ଜଣା ନାହିଁ । ଧୀରେ ଆଣ୍ଠୁ ମାଡ଼ି ବସି ପଡ଼ିଲେ ଯୁବରାଜ । ମନରେ ଭାବିଲେ ଚନ୍ଦ୍ରିକାର ଚକ୍ଷୁ ଦୁଇଟିକୁ ହାତରେ ବୁଜି ଧରିବେ । ହଠାତ୍ ମନ ମଧ୍ୟରେ ଆଉ ଗୋଟିଏ କଥା ଖେଳି ଉଠିଲା । ଅନ୍ୟ ପ୍ରକାର କୌତୁକ କରିବା ଉଦ୍ଦେଶ୍ୟରେ ସେ ଫେରି ଆସିଲେ ଲତା କୁଞ୍ଜ ଉହାଡ଼କୁ । ଚନ୍ଦ୍ରିକାର ଗୀତ ଶେଷ ହୋଇ କେବଳ ସ୍ଵରଟି ଗୁଣୁ ଗୁଣୁ ଅବସ୍ଥାରେ କଳାଗୁଞ୍ଜୁନ କରୁଥାଏ । ଗୋଟାଏ ଭୟଙ୍କର ବ୍ୟାଘ୍ର ଗର୍ଜନ କର୍ଣ୍ଣ ପଟରେ ବାଜିଲା । ଚନ୍ଦ୍ରିକାର ତନ୍ଦ୍ରା ଭାଜିଗଲା-। ଭୟ ବିଜଡ଼ିତ କଣ୍ଠରେ ଡାକିଲା :—କୁମାର–ଯୁବରାଜ–ଭୀତତ୍ରସ୍ତା ହରିଣୀ ପରି ଚତୁର୍ଦ୍ଦିଗକୁ ଚାହିଁଲା ଚନ୍ଦ୍ରିକା । ଆଃ—କେହି ଯେ ନିକଟରେ ନାହାନ୍ତି । ଯିବାକୁ ଉଦ୍ୟତ ହେଲା । ଦୁଇ ପାଦ ପକାଇଛି କି ନାହିଁ ଯୁବରାଜ ଚଞ୍ଚଳ ଗତିରେ ଆସୁଥିବାର ଦେଖାଗଲା । ଭୟ ବିହ୍ଵଳିତ ଅବସ୍ଥାରେ ଧାଇଁଗଲା ଚନ୍ଦ୍ରିକା । ଋତୁପର୍ଣ୍ଣ ‘‘କଅଣ କଅଣ’’ କହୁ କହୁ ତାଙ୍କୁ କୁଣ୍ଢାଇ ପକାଇଲା । କମାର ଶାଳ ଭାତି ପରି ଛାତି ତା’ର ପଡ଼ୁଥାଏ ଉଠୁଥାଏ । ଯୁବରାଜଙ୍କୁ ଜାବୁଡ଼ି ଧରି ଚନ୍ଦ୍ରିକା କହି ଉଠିଲା ଥର ଥର ଗଳାରେ—

: ବା—ବା—ବାଘ ଗର୍ଜନ ଶୁଣିଲା ।

ଯୁବରାଜ ଥକା ହୋଇ ଠିଆ ହୋଇଗଲେ ସେଇ ଅବସ୍ଥାରେ । ଚନ୍ଦ୍ରିକାର ବହୁ ବନ୍ଧନକୁ ଶିଥିଳ ନ କରି କହିଲେ ।

: ବାଘ ! କାଇଁ—ନା ନା—ରାଜ ଉଦ୍ୟାନକୁ ବାଘ ଆସିବ କିପରି ? ଚତୁର୍ଦ୍ଦିଗ ଯେ ଆବଦ୍ଧ । ତୁମକୁ ସେହିପରି ଅନ୍ୟ କିଛି ଶୁଣାଯାଇଥିବ......

: ନା—ନା କୁମାର, ମୁଁ ମିଥ୍ୟା କହୁ ନାହି ।

: ହେଉ, ଭୟ କରନା । ମୁଁ ଯେ ଆସିଗଲି । ମୋ ପାଖରେ ଥିବା ପର୍ଯ୍ୟନ୍ତ କାହାକୁ ତୁମର ଭୟ କରିବା ଅନାବଶ୍ୟକ । ଚାଲ, ଚାଲ ଯେଉଁଠାରେ ତୁମେ ବସିଥିଲ ।

ଚନ୍ଦ୍ରିକାର ହାତ ଧରି ଯୁବରାଜ ସରୋବର ନିକଟକୁ ଆସିଲେ । ପ୍ରଥମେ ସେପାନ ଉପରେ ପାଖାପାଖି ବାସୁ ବାସୁ ଯୁବରାଜ ପଚାରିଲେ :—ବହୁତ ଭୟ ପାଇଗଲ ଚନ୍ଦ୍ରିକା ?

ସେତେବେଳକୁ ଚନ୍ଦ୍ରିକାର ହୃତ୍‍ସ୍ପନ୍ଦନ ପ୍ରାୟ ସାଧାରଣ ଅବସ୍ଥାକୁ ଆସିଗଲାଣି । ତଥାପି ମନରୁ ସମ୍ପୂର୍ଣ୍ଣ ଭୟ ଦୂର ହୋଇ ନ ଥାଏ । କୁମାରଙ୍କ ହାତ ମୁଠାରେ ତାର ହାତଟି ସେହିପରି ବନ୍ଦୀ ଅବସ୍ଥାରେ ଥାଇ ଚନ୍ଦ୍ରିକା ଉତ୍ତର ଦେଲା ।

: ଆପଣଙ୍କ କଥନ ସତ୍ୟ ଯୁବରାଜ !

: ଏବେ ତ ଆଉ ଭୟ ଲାଗୁ ନାହିଁ ।

: ଆପଣଙ୍କୁ ଦେଖିବା ମାତ୍ରକେ ମୋର ଭୟ ଅନେକ ଦୂର ହୋଇଗଲା । ତଥାପି ସାମାନ୍ୟ ଭୟ ଏବେ ମଧ୍ୟ ରହିଛି ।

: ହେଉ, ଏବେ ନିର୍ଭର ହୋଇଯାଅ । ମୁଁ ନିଜେ ସେପରି ବ୍ୟାଘ୍ର ଗର୍ଜନର ଅନୁକରଣ କରିଥିଲି କୌତୁକ ଦେଖିବା ପାଇଁ ।

: ଆଁ ! ଆପଣ—ବଡ଼ ଦୁଷ୍ଟ—କିନ୍ତୁ ଏତେ ଅବିକଳ ଅନୁକରଣ ! ବାପରେ ମୁଁ ତ ଭୟରେ ଅଚେତ ହୋଇଯାଇ ଥାଆନ୍ତି ।

: ମୁଁ ଆସି ଚୈତନ୍ୟ ଉଦୟ କରାଇ ଥାଆନ୍ତି ସରୋବରରେ କଅଣ ଜଳର ଅଭାବ ଅଛି-

: ଅଚେତ ଅବସ୍ଥାରେ ଯଦି ପ୍ରାଣପକ୍ଷୀ ଉଡ଼ିଯାଇଥାନ୍ତା ?

: ଅସମ୍ଭବ, ଯୋଗମାୟା ଆଉ ଋତୁପର୍ଣ୍ଣଙ୍କ ସମୀପରୁ କଳାମୟୀ କିନ୍ନରୀକୁ ଈଶ୍ୱର ଏତେ ଚଞ୍ଚଳ ସ୍ୱର୍ଗରାଜ୍ୟକୁ ନେଇଯିବା ଭଳି ନିଷ୍ଠୁରତା କେବେ ଦେଖାଇବେ ନାହିଁ ।

: ମୋତେ ଏତେ ଉଚ୍ଚ ଆସନରେ ବସାନ୍ତୁ ନାହିଁ ଯୁବରାଜ ! ତଳକୁ ଖସିଲେ ପ୍ରକୃତରେ ପ୍ରାଣ ରହିବ ନାହିଁ ।

 

: ମା ଯୋଗମାୟାଙ୍କ ଆଶୀର୍ବାଦ ଥିଲେ, ଭବିଷ୍ୟତ ହିଁ ସ୍ଥିର କରିବ ତୁମର ଆସନ ଯୁବରାଜଙ୍କ ହୃଦୟରେ କି ଅନ୍ୟ କେଉଁଠି ।

 

: ଅହୋଭାଗ୍ୟ ମୋର ।

 

: ଯେଉଁ ଗୀତ ଅଧା କରିଥିଲ ତାକୁ ପୂର୍ଣ୍ଣ କରିଦିଅନା ।

 

: ଦେବତାଙ୍କ ଆଗ୍ରହକୁ ଦେବଦାସୀ ନିଶ୍ଚୟ ରକ୍ଷା କରିବ ।

 

ଚାରୁଚନ୍ଦ୍ରିକା ସୁଲଳିତ କଣ୍ଠରେ ଗାଇବାକୁ ଆରମ୍ଭ କଲା—

 

ଚନ୍ଦ୍ରଙ୍କୁ ଚାହିଁ ହସିବ ରାଣୀ କୁମୁଦିନୀ

ତଟିନୀ ଆର ପାରିକୁ ଉଡ଼ିବି ଏକ୍ଷଣି

ପ୍ରାଣ ମିତଣି ଗୋ ମୋର

ରାତ୍ରେ ବିରହ ପ୍ରଭାତେ ମିଳନ ଆମ୍ଭର ।

 

ବିଧିର ବିଧାନ ଏଡ଼ିବାକୁ ଶକ୍ତି କା’ର

ଅଭିଶପ୍ତ ଜୀବ ଆମ୍ଭେ ଚକୋରୀ ଚକୋର

ପ୍ରାଣ ମିତଣି ଗୋ ମୋର ।

ଚନ୍ଦ୍ରିକାକୁ ଚାହିଁ ରାତ୍ର ବିତିବ ଆମ୍ଭର ।

 

: ହାଁ ହାଁ ଉଚିତ ଗାୟନ ତୁମ୍ଭର । ଚନ୍ଦ୍ରିକାକୁ ଚାହିଁ ରାତ୍ରି ବିତିବ ଆମ୍ଭର ।

 

: ନା—ବଡ଼ ଦୁଷ୍ଟ ଆପଣ ।

 

: ଦୁଷ୍ଟ ସହିତ, ଆପଣ ଶବ୍ଦଟା କିଛି ଶ୍ରୁତି ମଧୁର ହେଉ ନାହିଁ ଚନ୍ଦ୍ରିକା । ମୁଁ ଅନୁମତି ଦେଲି, ଏଣିକି ଏକାନ୍ତ ବାର୍ତ୍ତାଳାପ ବେଳେ ମୋତେ ତୁମେ ବୋଲି ସମ୍ବୋଧନ କରିବ ।

 

: ଯାହା ଶ୍ରୀମୁଖରୁ ବାହାରିଲା ଅବଶ୍ୟ ପାଳନ କରିବି ।

 

କାହାର ପଦ ଶବ୍ଦ ଶୁଣି ଚମକି ଚାହିଁଲା ଚନ୍ଦ୍ରିକା । ଚକୋର ସେମାନଙ୍କ ଆଡ଼କୁ ଆସୁଛି-। ଚନ୍ଦ୍ରିକା ଧୀରେ ଟିକିଏ ଦୂରେଇ ବସିଲା । ଯୁବରାଜ କହି ଉଠିଲେ : ଆସ ଆସ ଚକୋର ବର୍ତ୍ତମାନ ସମୟରେ ତୁମର ଅଭାବ ଅନୁଭୂତ ହେଉଥିଲା ।

 

ଅଭିବାଦନ ଜଣାଇ ଚକୋର ଟିକିଏ ଦୂରରେ ବସି ପଡ଼ିଲା ।

 

: ଯୁବରାଜଙ୍କ ଅନୁକମ୍ପା, କୁହନ୍ତୁ ନା ମୁଁ କି କାର୍ଯ୍ୟ କରିପାରେ ।

 

: ପାଖକୁ ଆସନା, ଏତେ ଦୂରରେ ବସିଲେ ବାର୍ତ୍ତାଳାପରେ ଆନନ୍ଦ ଲାଗେ ନାହିଁ । ଚକୋର ନିଜ ସ୍ଥାନରୁ ଉଠି ଯୁବରାଜଙ୍କ ନିକଟରେ ବସିଲା ।

 

: ଚକୋର !

 

: ଆଜ୍ଞା !

 

: ଚନ୍ଦ୍ରିକା ସହ ବାର୍ତ୍ତାଳାପ କରି ମୁଁ ଅତ୍ୟନ୍ତ ଆନନ୍ଦିତ । ଯାହା କହୁଥିଲ ଯେ ଚନ୍ଦ୍ରିକା ହୃଦୟରେ ମୋ ପାଇଁ ଅନେକ ସ୍ନେହ ଶ୍ରଦ୍ଧା ଭରି ରହିଛି, ତାହା ସତ୍ୟ ।

 

ଯୁବରାଜଙ୍କୁ ମିଥ୍ୟା କହି ପୁଣି କେଉଁ ରାଜ୍ୟକୁ ଯିବି ?

 

ଚକୋରର ସରଳ କଥନରେ ଚନ୍ଦ୍ରିକା ହସି ଉଠିଲା, କହିଲା—ଶୁଣିଲେ କୁମାର, ଚକୋରର ଏଇ ସରଳ ହୃଦୟ ଯୋଗୁଁ ମହାରଣା ତାକୁ ଏତେ ଶ୍ରଦ୍ଧା କରନ୍ତି

 

: ସରଳତାକୁ କିଏ ଭଲ ନ ପାଏ ଚନ୍ଦ୍ରିକା !

 

ଅନତି ଦୂରରେ ମହାପୂଜାରୀଙ୍କ କଠଉ ଶବ୍ଦ ଶୁଣାଗଲା । ଚନ୍ଦ୍ରିକା ପ୍ରଥମେ ଚାହିଁଲା ଅବାକ୍ ନୟନରେ । ଯୁବରାଜ ମଧ୍ୟ କିଛି ମାତ୍ରାରେ ବିଚଳିତ ହୋଇଉଠିଲେ ।

 

ଚକୋର କହିଲା—ବୋଧହୁଏ ମହାପୂଜାରୀ ଆସୁଛନ୍ତି ।

 

: ତୁମେ ଗୀତ ଗାଇବା ଆରମ୍ଭ କରିଦିଅ ଚକୋର ।

 

ଚକୋର ତତ୍‍କ୍ଷଣାତ୍ ଧୀର ସ୍ୱରରେ ଗୀତ ଗାଇବାକୁ ଲାଗିଲା । ମହାପୂଜାରୀ ଆସି ପହଞ୍ଚିଗଲେ ସେମାନଙ୍କ ନିକଟରେ । ଚକୋରର ଗାୟନ ଆପେ ଆପେ ବନ୍ଦ ହୋଇଗଲା ।

 

ତିନିଜଣ ଉଠି ଅଭିବାଦନ ଜଣାଇଲେ । ମହାପୂଜାରୀ ଗମ୍ଭୀର ମୁଦ୍ରାରେ ଚାହିଁଲେ ଯୁବରାଜଙ୍କୁ । ହସ୍ତ ଉତ୍ତୋଳନ କରି ଆଶିଷ ପ୍ରଦାନ କଲେ ।

 

: ଚକୋର :

 

: ଆଜ୍ଞା ଗୁରୁଦେବ :

 

: ଚନ୍ଦ୍ରିକାକୁ ସଙ୍ଗରେ ନେଇ ବାସସ୍ଥାନକୁ ଚାଲିଯାଅ । ଯୁବରାଜଙ୍କ ସହିତ ମୋର କିଛି ଏକାନ୍ତରେ କଥାବାର୍ତ୍ତା ଅଛି ।

 

ଚନ୍ଦ୍ରିକା ଆଉ ଚକୋର ନତ ବଦନରେ ସେଠାରୁ ଅପସରିଗଲେ । ମହାପୂଜାରୀ ଗମ୍ଭୀର ସ୍ୱରରେ କହିଲେ ।

 

: ବସନ୍ତୁ ଯୁବରାଜ !

 

ଯୁବରାଜ ନିଜସ୍ଥାନରେ ବସିପଡ଼ିଲେ । ମୁଖ ମଣ୍ଡଳ ପୂର୍ବାପେକ୍ଷା ମ୍ଳାନ ଦେଖାଗଲା । ତାଙ୍କ ସମ୍ମୁଖରେ ବସିଲେ ମହାପୂଜାରୀ ।

 

: ଯୁବରାଜ, ଆଜି ଚକୋର ଆଉ ଚନ୍ଦ୍ରିକା ସହ ସରୋବର ନିକଟରେ ଏକ ପ୍ରହର ରାତ୍ରି ପର୍ଯ୍ୟନ୍ତ ରହିବାର କାରଣ ?

 

: କିଛି ବିଶେଷ ନୁହେଁ ଗୁରୁଦେବ ! ସାଧାରଣ ବାର୍ତ୍ତାଳାପ ଆଉ ଚକୋରର ଗୀତ ଶ୍ରବଣ ।

 

: ହୁଁ..., ଆଉ ଏପରି ଘଟଣା ନ ଘଟିଲେ ଭଲ । ନଚେତ୍‍ ମୁଁ ମହାରାଜାଙ୍କୁ କହିବାକୁ ବାଧ୍ୟ ହେବି ।

 

: କାହିଁକି ପିତାଙ୍କୁ କହିବେ ? ଆପଣ କଅଣ ମୋର କେହି ନୁହନ୍ତି ? ଆପଣ ମୋର ଶିକ୍ଷାଦାତା, ଗୁରୁ । ଆପଣଙ୍କର କଅଣ ମୋ ଉପରେ କିଛି ଅଧିକାର ନାହିଁ । ଯଦି ମୁଁ କିଛି ମନ୍ଦ ପନ୍ଥାରେ ଅଗ୍ରସର ହେଉଥାଏ, ଆପଣ ମଧ୍ୟ ଲେଉଟାଇ ଆଣି ପାରିବେ ।

 

ଯୁବରାଜଙ୍କ କଥାର ପ୍ରଭାବ ମହାପୂଜାରୀଙ୍କ ହୃଦୟ ଉପରେ ପଡ଼ିଲା । ତାଙ୍କର ରୋଷ କ୍ଷଣକେ ଅନ୍ତର୍ଦ୍ଧାନ ହୋଇଗଲା । ସ୍ୱର କୋମଳ ହୋଇଉଠିଲା । ଯୁବରାଜଙ୍କୁ ବୁଝାଇବା ସ୍ୱରରେ କହିଲେ—

 

: ବତ୍ସ, ମୋ କହିବାର ତାତ୍‍ପର୍ଯ୍ୟ, ତୁମେ ହେଉଛ ହିମଗିରି ରାଜ୍ୟର ଭବିଷ୍ୟତ ମହାରାଜା । ତେଣୁ ନିଜର ସମସ୍ତ କାର୍ଯ୍ୟକଳାପ ବଂଶ ମର୍ଯ୍ୟାଦା ଅନୁସାରେ ହେଲେ ଭଲ । ଯୁବକ ଅବସ୍ଥାରେ ସାଧାରଣ ମନୁଷ୍ୟ ଉଚ୍ଛୃଙ୍ଖଳ ହୁଅନ୍ତି । କିନ୍ତୁ ତୁମର ଆସନ ସାଧାରଣ ମନୁଷ୍ୟଙ୍କ ଠାରୁ ଯଥେଷ୍ଟ ଉଚ୍ଚରେ । ଯେଉଁ କାର୍ଯ୍ୟଦ୍ୱାରା ବଂଶମର୍ଯାଦାରେ କଳଙ୍କ ଲାଗିବାର ଆଶଙ୍କା ସେପରି କାର୍ଯ୍ୟଠାରୁ ଦୂରରେ ରହିବା ଉଚିତ ।

 

: ଗୁରୁଦେବ, ଚନ୍ଦ୍ରିକାର ନୃତ୍ୟକଳାର ଆକର୍ଷଣ ମୋତେ ଏପର୍ଯ୍ୟନ୍ତ ନେଇ ଆସିଲା । ଏଥିରେ କୌଣସି ଅନୈତିକ କାରଣ ନାହିଁ । ତଥାପି ଅପାଙ୍କର ଉପଦେଶ ମୁଁ ସ୍ମରଣ ରଖିବି ।

 

: ଉତ୍ତମ କଥା । ଚାଲ ରାଜପ୍ରାସାଦକୁ ଲେଉଟିଯିବା ।

 

ବନଦୁର୍ଗାଙ୍କ ସମକ୍ଷରେ କିରାତ ବାହିନୀର ଆଖଡ଼ା ପ୍ରାଙ୍ଗଣ । ପ୍ରତିଦିନ ସେଠାରେ ସୈନିକମାନେ କୁସ୍ତି କସରତ୍ ଏବଂ ସମର କୌଶଳ ଶିକ୍ଷା କରନ୍ତି ।

 

ସେଦିନ ପୂର୍ବାହ୍ନରେ ପୁଷ୍ପକେତୁ ତା’ର ସାଥିମାନଙ୍କୁ ତୀର ଚାଳନା ଅଭ୍ୟାସ କରାଇବା ପରେ କୁଟୀରକୁ ଫେରିଆସିଲା । ସେତେବେଳକୁ ମଧ୍ୟାହ୍ନ ଆସନ୍ନ ପ୍ରାୟ । କୁଟୀରର ଦ୍ୱାର ଦେଶରେ ତାର ମା ଆକଶକୁ ଚାହିଁ କିଛି ଭାବି ଚାଲିଛନ୍ତି । ଦୁଇଧାର ଲୁହ ବହିଆସିଛି ।

 

ପୁଷ୍ପକେତୁ ଆସି ମା’ର ଏପରି ଅବସ୍ଥା ଦେଖି ପଚାରିଲା—

 

: ମା’ ତୋ ଆଖିରେ ଲୁହ ! କଅଣ ତୋର ଏତେ ଚିନ୍ତା ମା ? ତୋ ହୃଦୟର ଦୁଃଖ ମୋତେ କହିଦେଲେ ମୁଁ କିଛି ପ୍ରତିକାର କରିପାରନ୍ତି ନାହିଁ ?

 

: କିଛି ନାହିଁ ବାବା, ଏମିତି ଏଣୁ ତେଣୁ ଭାବି କେତେବେଳେ ଯେ ଆଖିରୁ ଲୁହ ବହି ଆସିଛି; ମୁଁ ଜଣେ ନାହିଁ । ତୁ ଆସିଲୁ ଆଗ କିଛି ଖାଇ ନେବୁ ।

 

ପୁଷ୍ପକେତୁ କୁଟୀର ମଧ୍ୟକୁ ଆସି ବସ୍ତ୍ର ପରିବର୍ତ୍ତନ କଲା । ହସ୍ତପଦ ପ୍ରକ୍ଷାଳନ କରି ଭୋଜନ ନିମିତ୍ତ ଗୋଟିଏ କାଷ୍ଠାସନ ଉପରେ ବସି ପଡ଼ିଲା । ଭୋଜନର ମଧ୍ୟ ଭାଗରେ କିଏ ଜଣେ ଦ୍ୱାରଦେଶରେ ରହି ତାର ମା’କୁ ଡାକିଲା ।

 

କିଛି ସମୟ ପରେ ମା’ଆସି ଜଣାଇଲେ ଯେ ଜଣେ ସୈନିକ କିଛି ସମାଚାର ନେଇ ଆସିଛି । ମୁଁ ତାକୁ ଅପେକ୍ଷା କରିବାକୁ କହିଛି । ପୁଷ୍ପକେତୁ ଚଞ୍ଚଳ ଭୋଜନପର୍ବ ସମାପ୍ତ କରି ଉଠିଆସିଲା ।

 

: ଆରେ, କୁମ୍ଭକ ! କଅଣ କଥା ?

 

: ଆମ୍ଭେମାନେ ଶିକାରକୁ ଯାଇଥିଲୁ । ଖଟ୍‍ୱାଙ୍ଗ ଘାଟି (ଖାଇବର୍ ଗିରିସଂକଟ) ନିକଟରେ ଗୋଟିଏ ସେନାଛାଉଣୀ ଦେଖିଲୁ ।

 

: ସେନାଛାଉଣୀ ! କାହାର ?

 

: ଖବର ନେବାରେ ଜଣାଇଲା ଯେ ଆର୍ଯ୍ୟ ମହାରାଜା ତ୍ରିଭୁବନ ଦେବ ନିଜର ସୈନ୍ୟସାମନ୍ତ ନେଇ ଦେଶ ବିଜୟ ଉଦ୍ଦେଶ୍ୟରେ ବାହାରିଛନ୍ତି । ସମ୍ଭବତଃ ଆମ ରାଜ୍ୟ ଉପରେ ଆକ୍ରମଣ କରିବେ ।

 

: ଦେଶ ଜୟ କରିବାର କାରଣ ?

 

: ମୁଁ ଯେତିକି ବୁଝିଛି, ମହାଦେଶର ମଧ୍ୟ ଭାଗରେ ଆର୍ଯ୍ୟଜାତି ଚଳିବାରେ ବିଶେଷ ଅସୁବିଧାର ସମ୍ମୁଖୀନ । ସେମାନେ ଦେଶଜୟ କରି ବସବାସ କରିବା ସଙ୍ଗେ ସଙ୍ଗେ ଆର୍ଯ୍ୟଧର୍ମ ଏବଂ ସଂସ୍କୃତିର ପ୍ରସାର କରିବାକୁ ଚାହାନ୍ତି ।

 

: କିନ୍ତୁ ଏପରି ଅନ୍ୟାୟ ପୂର୍ଣ୍ଣ ବଳ ପ୍ରୟୋଗ କରିବା କଅଣ ଆର୍ଯ୍ୟ ଜାତିର ଧର୍ମ ?

 

: ତାଙ୍କର ଧର୍ମ ଯା’ହେଉ ସେନାପତି ମହାଶୟ, ଆମେ ନିଜର କର୍ତ୍ତବ୍ୟ ଯଥାଶୀଘ୍ର ସ୍ଥିରକରିବା ଉଚିତ୍ ।

 

: ହୁଁ ଆମର ପାଞ୍ଚଜଣ ମୁଖ୍ୟ ଅଧିନାୟକଙ୍କୁ ଯଥାଶୀଘ୍ର ଆସିବାକୁ ସମ୍ବାଦ ଦିଅ ।

 

ଅପରାହ୍ନରେ ପୁଷ୍ପକେତୁ ସହ କିରାତ ବାହିନୀର ଅଧିନାୟକମାନେ ପରାମର୍ଶ କରିବା ନିମିତ୍ତ ଆସି ପହଞ୍ଚିଲେ । ସେମାନଙ୍କ ସହିତ ଗୁପ୍ତଚର ବାହିନୀର ସଂଚାଳକ ଏବଂ ମୁଖ୍ୟ ଗୁପ୍ତଚର ମଧ୍ୟ ଥାଆନ୍ତି । କ୍ଷୁଦ୍ର ସଭାଟି ପୁରାତନ ନାୟକଙ୍କର ପୂଜାଗୃହ ମଧ୍ୟରେ ଆରମ୍ଭ ହେଲା । ପ୍ରଥମେ ପୁଷ୍ପକେତୁ ମୌନ ଭଙ୍ଗ କଲା ।

 

: ମିତ୍ରଗଣ, ଆର୍ଯ୍ୟ ମହାରାଜ ତ୍ରିଭୁବନ ଦେବ ତାଙ୍କର ବିଶାଳ ସୈନ୍ୟବାହିନୀ ନେଇ ଆମ ମାତୃଭୂମିର ଦ୍ୱାରା ଦେଶରେ ଉପସ୍ଥିତ । ସେମାନେ ଜମ୍ଭୁ ଦୀପରେ ଆର୍ଯ୍ୟବସତି ସ୍ଥାପନ କରିବା ସଙ୍ଗେ ସଙ୍ଗେ ଆର୍ଯ୍ୟ ଧର୍ମର ପ୍ରସାର କାର୍ଯ୍ୟ ଚଳାଇବେ । ସେଥିପାଇଁ ଯୁଦ୍ଧ ଅନିବାର୍ଯ୍ୟ ହେଲେ ମଧ୍ୟ ସେମାନେ ପଶ୍ଚାତ୍ ପଦ ହେବେ ନାହିଁ । ଏ ପରିସ୍ଥିତିରେ ଆମର କର୍ତ୍ତବ୍ୟ କଅଣ, ବର୍ତ୍ତମାନ ସ୍ଥିର କରିବା ।

ଅଧିନାୟକମାନେ କିଛି ସମୟ ଚିନ୍ତିତ ମୁଦ୍ରାରେ ରହିବା ପରେ ସେମାନଙ୍କ ମଧ୍ୟରୁ ଜଣେ ବୟସ୍କ ଅଧିନାୟକ କହିଲେ ।

: ନାୟକ ମହାଶୟ ଯେଉଁ ସମସ୍ୟାଟି ଉପସ୍ଥାପିତ କଲେ ତାର ଆସୁ ସମାଧାନ ହେଉଛି; ଆମର କ୍ଷୁଦ୍ର ସୈନ୍ୟ ବାହିନୀ ସାହାଯ୍ୟରେ ପ୍ରଥମେ ଖଟ୍ୱାଙ୍ଗ ଘାଟିର ଦ୍ୱାର ରକ୍ଷା କରିବା-। ଯଥାଶୀଘ୍ର ଦୁଇଜଣ ସୈନିକଙ୍କ ରାଜଧାନୀ ଅମୃତ ନଗର ଉଦ୍ଦେଶ୍ୟରେ ପଠାଇ ଦେବା-। ମହାରାଜ ପୁଷ୍ପାଙ୍ଗଧନୁଙ୍କୁ ସମାଚାର ଦେବା ପରେ ସେ ନିଶ୍ଚୟ ରାଜ୍ୟ ରକ୍ଷା ଲାଗି ତତ୍‍ପର ହୋଇ ଉଠିବେ ।

: ଉତ୍ତମ ପରାମର୍ଶ ଦେଇଛନ୍ତି । ଏପରି ବିକଟ ପରିସ୍ଥିତିରେ ସ୍ୱଦେଶ ରକ୍ଷା ଆମର ପରମ କର୍ତ୍ତବ୍ୟ । କିନ୍ତୁ ଆର୍ଯ୍ୟ ମହାରାଜାଙ୍କ ବିଶାଳ ସେନାକୁ କିଛି ଦିନ ରୋକି ରଖିବାକୁ, ହେଲେ କିଛି କୌଶଳ ପ୍ରୟୋଗ କରିବାକୁ ପଡ଼ିବ । କେବଳ ସମ୍ମୁଖ ସମରରେ ଆମେ ସେମାନଙ୍କର ସମକକ୍ଷ ହୋଇପାରିବା ନାହିଁ ।

ଅନ୍ୟ ଜଣେ ଅଧିନାୟକ କହିଲେ,—ଭଲକଥା, ଆମର ସୈନ୍ୟବାହିନୀକୁ ପାଞ୍ଚ ଭାଗରେ ବିଭକ୍ତ କରି ସେମାନଙ୍କୁ ଭିନ୍ନ ଭିନ୍ନ ଦାୟିତ୍ୱ ଅର୍ପଣ କରାଯିବ । ଅତର୍କିତ, ଲୁକ୍‍କାୟିତ ଆକ୍ରମଣ କରି ଅସ୍ତ ବ୍ୟସ୍ତ କରିବାକୁ ପଡ଼ିବ ।

ଏମାନଙ୍କର ବିଚାର ସହିତ ପୁଷ୍ପକେତୁ ଏକମତ ହୋଇ କହିଲା :—ଉତ୍ତମ ପ୍ରସ୍ତାବ ବନ୍ଧୁ ଗଣ; ଆଜି ଗୋଟାଏ ବୈଦେଶିକ ଶକ୍ତି ରକ୍ତ ପିପାସୁ ଦୃଷ୍ଟିରେ ଆମର ମାତୃଭୂମିକୁ ଚାହୁଁଛି । ଯଥାଶୀଘ୍ର ଆମର ସୈନ୍ୟମାନଙ୍କୁ ପ୍ରସ୍ତୁତ କରି ଇଟାର ଉତ୍ତର ପଥରରେ ଦେବାକୁ ପଡ଼ିବ ।

ପୁଷ୍ପକେତୁ ନିଜ ମା'ଙ୍କ ନିକଟରେ ଆର୍ଯ୍ୟମାନଙ୍କର ଆକ୍ରମଣ ବିଷୟ ବର୍ଣ୍ଣନା କରି ପରାମର୍ଶ ମାଗିଲା । କିଛି ସମୟ ଚିନ୍ତାକରି ମା’କହିଲେ—ଦେଖ୍ ବାପା, ତୋର ମା ତୋତେ ଅସ୍ତ୍ର ଶସ୍ତ୍ର ସଂଚାଳନ ଶିକ୍ଷା ଦେଇଛି । ନିଜ ବକ୍ଷରୁ କ୍ଷୀର ଦେଇ ତୋତେ ଅତୁଳିତ ଶକ୍ତି ଦେଇଛି । ବର୍ତ୍ତମାନ ବିପତ୍ତି ଆସି ପଡ଼ିଛି ଦେଶାମାତା ଉପରେ, ଯାହାର ଅନ୍ନ, ପାଣି, ପବନ ତୋତେ ବଳଶାଳୀ ଯୁବକରେ ପରିଣତ କରିଛି । ଯାଅ, ନିଜର ବୁଦ୍ଧି ଆଉ ବଳ ପ୍ରୟୋଗ କରି ଶତ୍ରୁ ସୈନ୍ୟଙ୍କୁ ଉପଯୁକ୍ତ ଉତ୍ତର ଦିଅ ।

ଦ୍ରାବିଡ଼ ରାଜ ପୁଷ୍ପାଙ୍ଗଧନୁଙ୍କୁ ଅଶ୍ରୁପ୍ଲାବିତ ନୟନରେ କୁମାର ଋତୁପର୍ଣ୍ଣ ଆଶ୍ଚର୍ଯ୍ୟ ହେଲେ-

: ବାବା, ଏ କଅଣ ! ଆଜି ଆପଣଙ୍କ ଚକ୍ଷୁରେ ଲୋତକର ବନ୍ୟା ? କି ପ୍ରକାର ଦାରୁଣ ଦୁଃଖରେ ଆପଣଙ୍କ ହୃଦୟ ଏପରି ବିଚଳିତ ହୋଇପଡ଼ିଛି ।

ମହାରାଜା ବଡ଼ କଷ୍ଟରେ ଅଶ୍ରୁ ପୋଛି କହିଲେ—ଶୁଣ ଋତୁପର୍ଣ୍ଣ । ତୋର ମା ଜ୍ୟୋତ୍ସ୍ନାମୟୀଙ୍କୁ ମୁଁ ଦିନେ ନ୍ୟାୟ ବିଚାର କରି ଦେଇଥିଲି ନିର୍ବାସନ ଦଣ୍ଡ । କିନ୍ତୁ ମୋର ନ୍ୟାୟ; ରାଜା ହିସାବରେ କେବଳ ପୂର୍ଣ୍ଣ ହେଲା, ମାତ୍ର ଗୋଟିଏ ସ୍ତ୍ରୀର ସ୍ୱାମୀ ହିସାବରେ କର୍ତ୍ତବ୍ୟ ପୂର୍ଣ୍ଣ ହେଲା ନାହିଁ ।

 

ମୁଁ ଯଦି ଏ ରାଜ୍ୟର ଦାୟିତ୍ୱ ମନ୍ତ୍ରୀଙ୍କୁ ଦେଇ ତୋର ମା’ଙ୍କ ସହିତ ବନ ଚାରି ହୋଇ ଯାଇଥାଆନ୍ତି ତେବେ ମୋର କର୍ତ୍ତବ୍ୟ ପୂର୍ଣ୍ଣ ହୋଇଥାଆନ୍ତା । ଏପର୍ଯ୍ୟନ୍ତ ତୋର ମା କେଉଁଠାରେ ଅଛନ୍ତି ସନ୍ଧାନ ପାଇଲି ନାହିଁ । ବେଳେ ବେଳେ ପଶ୍ଚାତାପ ଅନଳ ଏ ହୃଦୟକୁ ଦୁଗ୍‍ଧ କରୁଛି ।

 

ପୂଜାଗୃହ ମଧ୍ୟରେ ବସି ପିତା ପୁତ୍ରର ଆଲୋଚନା ଚାଲିଛି । ଋତୁପର୍ଣ୍ଣ ଦେଖିଲେ ପୂଜା ଖଟୁଲି ଉପରେ ଠାକୁରଙ୍କ ନିକଟରେ ଗୋଟିଏ ସୁବର୍ଣ୍ଣ ନାରୀ ପ୍ରତିମା ।

 

: ବାବା, ଆଜି ପର୍ଯ୍ୟନ୍ତ ଏ ଘଟଣା ମୋତେ ଲୁଚାଇ ରଖିଲେ କାହିଁକି ? ଶିକାର ଉଦ୍ଦେଶ୍ୟରେ କେତେ କେତେ ବନ ମଧ୍ୟରେ ମୁଁ ଭ୍ରମଣ କରୁଛି । କେବେହେଲେ ମୁଁ ସନ୍ଧାନର ଚେଷ୍ଟା କରିଥାଆନ୍ତି । ଏପରି ନିର୍ବାସନ ଦଣ୍ଡ କେଉଁ ପରିସ୍ଥିତିରେ ଦେବାକୁ ପଡ଼ିଲା ବାବା ?

 

ମହାରାଜା ନିଜର ପୁତ୍ର ସମକ୍ଷରେ, ରାଣୀ ବନ ଜ୍ୟୋତ୍ସ୍ନାଙ୍କୁ ନିର୍ବାସନ ଦଣ୍ଡ ଦେବାର କାହାଣୀ କହିବାକୁ ଲାଗିଲେ ।

 

ରାଜ ଉଦ୍ୟାନରେ ଆମ୍ର ବୃକ୍ଷ ଶାଖାରେ ଦୋଳି ଲାଗିଛି । କିନ୍ନରୀ ଚାରୁଚନ୍ଦ୍ରିକା ସେଥିରେ ଝୁଲିବା ସଙ୍ଗେ ସଙ୍ଗେ ଗୋଟିଏ ବିରହ ଗୀତିକା ଗାୟନ କରୁଛି ।

 

ନୀଳ ଆକାଶରେ ଚନ୍ଦ୍ରିକାର ବିମଳ ଜ୍ୟୋତ୍ସ୍ନା । ଉଦ୍ୟାନ ମଧ୍ୟରେ ଖେଳୁଛି ପୁଷ୍ପରାଜିର ସୁଗନ୍ଧିତ ମହକ । ମନ୍ଦ ମନ୍ଦ ଶୀତଳ ବାୟୁ ପ୍ରବାହ ବାତାବରଣକୁ ମାଦକପୂର୍ଣ୍ଣ ଅବସ୍ଥାରେ ପହଞ୍ଚାଇ ଦେଇଛି ।

 

ଚାରୁ ଚନ୍ଦ୍ରିକା ଝୁଲା ଝୁଲୁଛି । ମୁକୁଳିତ କେଶରାଶି ବାୟୁର ପ୍ରବଳ ବେଗରେ ଉଡ଼ି ଉଡ଼ି ତା’ର ଆରକ୍ତ କପୋଳ ଉପରେ ଚୁମ୍ବନ ଆଙ୍କି ଦେଉଛି । ବେଳେ ବେଳେ ତାର ପଦ ନୁପୁରର ସାମାନ୍ୟ ଝଙ୍କାର ମଧ୍ୟ ଶ୍ରୃତି ଗୋଚର ହେଉଛି ।

 

ଯୁବରାଜ ଋତୁପର୍ଣ୍ଣ ଉଦ୍ୟାନ ମଧ୍ୟରେ ଭ୍ରମଣ କରୁ କରୁ ଚନ୍ଦ୍ରିକାର ମଧୁର ସ୍ୱର କର୍ଣ୍ଣପଟରେ ବାଜିଲା । ଅଜ୍ଞାତରେ ପାଦ ଦୁଇଟି ଟାଣି ହୋଇ ଚାଲିଲା ଦୋଳି ଆଡ଼କୁ । ଦୋଳିଠାରୁ କିଛି ଦୂରରେ ସ୍ୱତଃ ପାଦ ଦୁଇଟି ଅଟକି ଗଲା ।

 

ସମ୍ମୁଖରେ ଚାରୁଚନ୍ଦ୍ରିକା ଝୁଲୁଛି ଝୁଲାରେ । କଳାମୟୀ କିନ୍ନରୀ ସୌନ୍ଦର୍ଯ୍ୟର ପ୍ରତିମା, ପ୍ରସ୍ଫୁଟିତ ଯୌବନର ସୁଷମା ଆକର୍ଷିତ କଲା ଋତୁପର୍ଣ୍ଣର ତରୁଣ ହୃଦୟକୁ । ଲୌହଦଣ୍ଡ ଚୁମ୍ବକରେ ଆକର୍ଷିତ ହେଲାପରି ଋତୁପର୍ଣ୍ଣଙ୍କ ପାଦ ପୁଣି ଆଗେଇଲା । ଝୁଲାଠାରୁ ପ୍ରାୟ ଦଶହାତ ଦୂରରେ ଅଟକି ଗଲା ପାଦ ଦୁଇଟି । ସେତେବେଳକୁ ଚନ୍ଦ୍ରିକା ତନ୍ଦ୍ରା ବିଜଡ଼ିତ ଅବସ୍ଥାରେ ଗୀତ ଗାଈ ଝୁଲୁଛି-। ଅର୍ଦ୍ଧ ନିମିଳିତ ଚକ୍ଷୁ, ପାରିପାର୍ଶ୍ଵିକ ଅବସ୍ଥା ପ୍ରତି ଦୃଷ୍ଟି ନାହିଁ ।

 

କିଛି ସମୟ ମୁଗ୍‍ଧ ନୟନରେ ଚାହିଁଲେ ଯୁବରାଜ । ସ୍ୱତଃ ହୃଦୟ ପ୍ରଦେଶରୁ ବାହାରି ଆସିଲା ।

 

: ଚନ୍ଦ୍ରିକା...ଚନ୍ଦ୍ରିକା ।

 

ସ୍ୱପ୍ନରୁ ଉଠିଲା ଚାରୁଚନ୍ଦ୍ରିକା । ଦୋଳିକୁ ନିୟନ୍ତ୍ରଣ କଲା ଧୀରେ ଧୀରେ । ଯୁବରାଜଙ୍କୁ ଦେଖି ତାର ତନ୍ଦ୍ରା । କେଉଁଆଡ଼େ ଉଭେଇ ଗଲା । ହଠାତ୍ ହୃଦୟର ସ୍ପନ୍ଦନ ବୃଦ୍ଧି ପାଇଲା । ଝୁଲା ବନ୍ଦ ହେବାକ୍ଷଣି ଚନ୍ଦ୍ରିକା ଡେଇଁ ପଡ଼ିଲା ତଳକୁ । ଦୁଇ ହାତରେ ରଶିକୁ ଧରି ଚାହିଁଲା ଯୁବରାଜଙ୍କୁ ସନ୍ଦେହ ଦୃଷ୍ଟିରେ । ଯୁବରାଜଙ୍କର ସୁନ୍ଦର ସୁଗଠିତ ବଦନ, ସତେ ଅବା ସ୍ୱର୍ଗ ରାଜ୍ୟର ଗନ୍ଧର୍ବ କୁମାର ଅଭିଶାପ ପାଇ ଧରାଧାମକୁ ଅବତରଣ କରିଛନ୍ତି ।

 

ପାଖକୁ ଲାଗି ଆସିଲେ ଯୁବରାଜ । ଚନ୍ଦ୍ରିକା ପାଦସ୍ପର୍ଶ କରି ଅଭିବାଦନ ଜଣାଇଲା । ଦୁଇ ହାତରେ ତା’ର ବହୁ ମୂଳ ଧରି ଉଠାଇ ଦେଲେ ଯୁବରାଜ । ଦୁଇଟି ଯୁବା ଶରୀରରେ ବିଦ୍ୟୁତ୍ ପ୍ରବାହ ଖେଳିଗଲା ଖାନକେ ନିମିତ୍ତ ।

: ଚନ୍ଦ୍ରିକା....

: କୁମାର...

: ଉଦ୍ୟାନର ପ୍ରାକୃତିକ ଦୃଶ୍ୟ କେତେ ସୁନ୍ଦର ! ଏମିତି ଜ୍ୟୋତ୍ସ୍ନା ବିଧୌତ ରଜନୀରେ ତୁମ ସହିତ ଝୁଲା ଝୁଲିବାକୁ ଇଚ୍ଛା ହେଉଛି ଚନ୍ଦ୍ରିକା ।

: ଆସନ୍ତୁ ନା...ଆପଣଙ୍କର ଆଗ୍ରହ ମୋର ସୌଭାଗ୍ୟ ।

ଚାରୁଚନ୍ଦ୍ରିକା ସହ ଦୋଳିରେ ବସି ଯୁବରାଜ ଋତୁପର୍ଣ୍ଣ ଝୁଲିବାକୁ ଲାଗିଲେ । ବନ ମଲ୍ଲୀକା ଆଉ ରଜନୀ ଗନ୍ଧାର ସୁବାସ ନେଇ ବହୁଥିବା ମୃଦୁ ସମୀର ଦୁହିଁଙ୍କ ପ୍ରାଣରେ ସୃଷ୍ଟି କଲା ଅବର୍ଣ୍ଣନୀୟ ଉନ୍ମାଦନା । ସତେକି ଆକାଶରେ ଉନ୍ମୁକ୍ତ ପକ୍ଷୀ ଯୁଗଳ ଉଡ଼ୁଛନ୍ତି । ଚନ୍ଦ୍ରିକାର କର ସ୍ପର୍ଶରେ କୁମାରଙ୍କ ଶରୀର ଉଲ୍ଲସିତ ହୋଇ ଉଠୁଥିଲା । ଚନ୍ଦ୍ରିକା ମନରେ ତ ଅପାର ଆନନ୍ଦ । ସତେ ଅବା ସେ ଆନନ୍ଦକୁ ଧରି ରଖିବାକୁ ହୃଦୟରେ ଶକ୍ତିର ଅଭାବ । କାହିଁକି ବା ନ ହେବ । କାର୍ତ୍ତିକ କୁମାର ସମ ସୁନ୍ଦର ବଳିଷ୍ଠ ରାଜକୁମାର ତା’ର କଳାକୁ ଏତେ ଭଲ ପାଆନ୍ତି ! କଳାକୁ ସ୍ନେହ ଶ୍ରଦ୍ଧା ଦୃଷ୍ଟିରେ ଦେଖୁ ଦେଖୁ ଯୁବରାଜ ଯେ ଅଜ୍ଞାତରେ କିନ୍ନରୀ ଚାରୁଚନ୍ଦ୍ରିକାକୁ ଭଲପାଇ ବସିଲେଣି; ଏକଥା କଅଣ ସେ ଜାଣେ ନାହିଁ ! କିନ୍ନରୀ ରାଜ ପ୍ରସାଦରେ କୁଳବଧୁ ହେବାକୁ ମହାରାଜାଙ୍କ ଦୃଷ୍ଟିରେ ଅଯୋଗ୍ୟ ହୋଇପାରେ କିନ୍ତୁ ଯୁବରାଜଙ୍କ ପ୍ରେମିକା ହେବା ପାଇଁ କଅଣ ଯୋଗ୍ୟତାର ଅଭାବ ଅଛି ?

: ଚନ୍ଦ୍ରିକା...

: କୁମାର...

: ଆମ ଝୁଲାଖେଳ ଦେଖି ଚନ୍ଦ୍ର କିପରି ଆନନ୍ଦିତ ଦେଖିଲ ! ତାଙ୍କର କିରଣ କ୍ରମେ ଉଜ୍ଜ୍ୱଳରୁ ଉଜ୍ଜ୍ୱଳତର, ସ୍ନିଗ୍‍ଧରୁ ସ୍ନିଗ୍‍ଧତର ହୋଇ ହୋଇଯାଉଛି ।

: ଚନ୍ଦ୍ରକୁ ଚକୋର ଚାହିଁଲା ପରି, ମୁଁ ତ ଆପଣଙ୍କ ମୁଖଚନ୍ଦ୍ରକୁ ଦେଖି ମନେ ମନେ ସୁଧାରସ ପାନ କରି ଚାଲିଛି । ଆକାଶ ଚନ୍ଦ୍ରଙ୍କୁ ଚାହିଁବି କାହିଁକି ?

: ସତେ ଚନ୍ଦ୍ରିକା, ତୁମେ ମୋତେ ଏତେ ସ୍ନେହ ଦୃଷ୍ଟିରେ ଦେଖ ?

: ଚନ୍ଦ୍ର ଦେବଙ୍କୁ ଚାହିଁ ଶପଥ କରୁଛି କୁମାର, ମୋତେ ଯଦି ଆପଣଙ୍କଠାରୁ ବିଛିନ୍ନ କରିବାକୁ କେହି ଚେଷ୍ଟା କରି ସଫଳ ହୁଏ ତେବେ ଏ ପ୍ରାଣ ପକ୍ଷୀ ଉଡ଼ିଯିବ ।

ଚନ୍ଦ୍ରିକାର ଓଠ ଉପରେ ହାତ ରଖିଦେଲେ କୁମାର ।

: ଅଧର ପଲ୍ଲବରୁ ଏ ଅଶୁଭ କଥା ଝରି ନ ପଡ଼ୁ ଚନ୍ଦ୍ରିକା । ମା ଯୋଗମାୟାଙ୍କ ନାମରେ ଶପଥ କରି କହୁଛି ତୁମ ଲାଗି ମୁଁ ରାଜସିଂହାସନ ତ୍ୟାଗ କରିଦେଇପାରେ । ସଂସାରର କୌଣସି ଶକ୍ତି ମୋଠାରୁ ତୁମକୁ ଛଡ଼ାଇ ନେଇପାରେ ନାହିଁ ।

: ଏପରି ବଚନ ତୁଚ୍ଛ କିନ୍ନରୀ ପ୍ରତି ଅତି ସ୍ନେହ ଶ୍ରଦ୍ଧାର ପରିଚାୟକ ।

 

: ମୁଁ ଚାହେଁ ରାଜ ଭବନର ତୁଳିତଳ୍ପ ଶଯ୍ୟା, ମୁଁ ଚାହେଁ ଅତୁଳ ବୈଭବ । ବଚନ ଦିଅ କୁମାର, ପଦତଳୁ, ଦାସୀକୁ କେବେ ଅନ୍ତର କରିବ ନାହିଁ ।

 

: ତ୍ରିବାର ସତ୍ୟ କରି କହୁଛି ଚନ୍ଦ୍ରିକା, ଏ ପ୍ରାଣ ଯିବ; ବଚନ ପାଳନରୁ ମୋତେ କେହି କ୍ଷାନ୍ତ କରିପାରିବେ ନାହିଁ ।

 

: ପ୍ରଣାମ ଯୁବରାଜ ।

 

ଚମକି ଚାହିଁଲେ ଚନ୍ଦ୍ରିକା ଆଉ ଯୁବରାଜ । ଚକୋରକୁ ଦେଖି ବିସ୍ମିତ ହେଲେ ଦୁହେଁ । ଝୁଲର ଗତି ମନ୍ଥର ହୋଇ ଆସିଲା । ଚକୋର ସେହିପରି ହାତ ଯୋଡ଼ି ନିଶ୍ଚଳ ହୋଇ ଠିଆ ହୋଇଥାଏ । ଚାହିଁଥାଏ ଯୁଗଳ ମୂର୍ତ୍ତିକୁ ଅପଲକ ନେତ୍ରରେ ।

 

: କି ସମ୍ବାଦ ଚକୋର ।

 

: ବିଶେଷ କିଛି ନାହିଁ, ଆପଣ ଉଠାନ୍ତୁ ନାହିଁ । ସେହିପରି ଅବସ୍ଥାରେ ବସି ରହନ୍ତୁ । ଶିବ ଶକ୍ତିଙ୍କର ଅବିକଳ ରୂପ ଦେଖି ମୋର ମନରେ ଆନନ୍ଦର ଜୁଆର ଉଠୁଛି । ପ୍ରାଣରେ ଉଠୁଛି ସଙ୍ଗୀତର ମୂର୍ଚ୍ଛନା ।

 

ଦୁହେଁ ହସି ଉଠିଲେ ପରସ୍ପର ଚାହିଁ ।

 

: ସତେ ଚକୋର, ତୁମ ପରି ସରଳ ସ୍ନେହୀ ବ୍ୟକ୍ତି ଜଣେ ହେଲେ ମୁଁ କେଉଁଠି ଦେଖି ନାହିଁ ।

 

: ମୋର ଗୋଟିଏ ଅନୁରୋଧ ରକ୍ଷା କରନ୍ତୁ ଯୁବରାଜ !

 

: କୁହ ନା ।

 

: ମୁଁ ଗୀତ ଗାଉଥିବ, ଆପଣ ଦୁହେଁ ଝୁଲା ଝୁଲୁଥିବେ । କେତେ ଆନନ୍ଦ ଲାଗିବ ମୋତେ ।

 

ଚାରଣ ଯୁବକ ଚକୋରର ଆଗ୍ରହକୁ ଭାଙ୍ଗିପାରିଲେ ନାହିଁ ଯୁବରାଜ ।

 

: ତୁମର ଇଚ୍ଛା ପୂର୍ଣ୍ଣ ହେଉ ଚକୋର । ଗାଅ ମନଖୋଲି ଗାଅ । ତୁମର ଗାୟନରେ ପ୍ରକୃତି ଆହୁରି ଜୀବନ୍ତ ହୋଇଉଠୁଛି । ରଜନୀଗନ୍ଧା ଆଉ ବନମଲ୍ଲିକାର ସୁବାସ ଅଧିକ ଚହଟି ଉଠୁ-

 

ଜ୍ୟୋତ୍ସ୍ନାପ୍ଲାବିତ ଉଦ୍ୟାନ; କୁଞ୍ଜ ବନ, ପ୍ରସ୍ଫୁଟିତ କୁସୁମ, ପକ୍ଷୀଙ୍କର କାକଳୀ ଝରଣାର କୁଳୁ କୁଳୁ ନିନାଦ-ବର୍ଣ୍ଣନା କରି ଚକୋର ଗୀତ ଗାଇବାକୁ ଲାଗିଲା । ପ୍ରାଣଖୋଲା ହସ ହସି ଚନ୍ଦ୍ରିକା ସହ ଦୋଳି ଖେଳିବାରେ ମଜ୍ଜିଗଲେ ଯୁବରାଜ । ଚନ୍ଦ୍ରିକା ପ୍ରାଣରେ ହେଲା ଅପୂର୍ବ ପୁଲ୍ଲକର ସଂଚାର । ହିମଗିରି ରାଜ୍ୟ ଯୁବରାଜଙ୍କ ହୃଦୟ ସାମ୍ରାଜ୍ୟର ସେ ଅଧିଶ୍ୱରୀ । ମନରୁ ତାର ବାରମ୍ବାର ଆକୁଳ ପ୍ରାର୍ଥନାର ସ୍ୱର ଉଠୁଥାଏ :—ମା’ ଯୋଗମାୟା, ତୋ ଚରଣ ଦାସୀର ହୃଦୟ ବେଦନା, ମନର କାମ ତୁ'କି ଜାଣୁନା । ତୋ ଶକ୍ତି ଆଗରେ ଅନ୍ୟ ସମସ୍ତ ଶକ୍ତି ତୁଚ୍ଛ । ତୋର କରୁଣା ହେଲେ ମୋ’ଠାରୁ ଯୁବରାଜଙ୍କୁ କେହି ବିଚ୍ଛନ୍ନ କରିପାରିବେ ନାହିଁ । ମୋର ଅହୋଭାଗ୍ୟ, କୁମାର ଋତୁପର୍ଣ୍ଣଙ୍କ ହୃଦୟରେ ମୁଁ ସ୍ଥାନ ପାଇଛି । ଏ ସ୍ନେହ ବନ୍ଧନକୁ ଦୃଢ଼ କରିଦିଅ ମା ।

 

ଗୀତ ଶେଷ ହୋଇ ଆସିଲା । ଝୁଲର ଗତି ମନ୍ଥର ଦେଲା, ଚକୋରକୁ ଅଶେଷ ପ୍ରଶଂସା ଢାଳିଦେଲେ ଯୁବରାଜ । ନିଜ ଶପଥର ପ୍ରତୀକ ସ୍ୱରୂପ ଗଳାର ରତ୍ନମାଳାକୁ ପିନ୍ଧାଇ ଦେଲେ ଚନ୍ଦ୍ରିକାକୁ । ହସ ହସ ବଦନରେ ଚାହିଁଲେ ତାର ଦୀପ୍ତିମାନତା ମୁଖ ମଣ୍ଡଳକୁ ।

 

ଚନ୍ଦ୍ରିକା ମାଳାଟିକୁ ବାହାର କରି ହାତରେ ଧରିଲେ; ପୁଣି ପିନ୍ଧାଇ ଦେଲା ଯୁବରାଜଙ୍କୁ ।

 

: ଏ କଅଣ ଚନ୍ଦ୍ରିକା ! ମୁଁ ତ ତୁମକୁ ଦେଇଥିଲି ସ୍ନେହ ଶ୍ରଦ୍ଧାର ଉପହାର ।

 

: ଆଉ ମୁଁ ପିନ୍ଧାଇ ଦେଲି ମୋ ହୃଦୟର ଦେବତାଙ୍କୁ ବରଣମାଳା । ରତ୍ନହାର ଆପଣଙ୍କ ନିକଟରେ ଥାଉ । ମୋ ଗଳାରେ ମହାପୂଜାରୀ ଦେଖିଲେ ମହା ଅନର୍ଥ ଉପୁଜିବ । ଆପଣ ପୁଣି ଭୁଲିଗଲେ...

 

: ନା, ନା ମୁଁ ଏହାକୁ ଲେଉଟାଇ ନେବି ନାହିଁ ।

 

: ମୋ କଥା ବୁଝିବାକୁ ଚେଷ୍ଟା କରନ୍ତୁ କୁମାର ! ସବୁଦିନ ପାଇଁ ମୁଁ ଯେ ଆପଣଙ୍କୁ ବରଣ କରିଛି ।

 

କୌଣସି ଦିନ ମନ୍ଦିରରେ ନୃତ୍ୟ ସମୟରେ ଆପଣ ପୁରସ୍କାର ସ୍ୱରୂପ ମୋତେ ଦେଇ ପାରନ୍ତି । ତା'ହେଲେ ଆପଣଙ୍କ ହୃଦୟକୁ ଆନନ୍ଦ ମିଳିବା ସଙ୍ଗେ ସଙ୍ଗେ କିଛି ଅନର୍ଥ ଘଟିବାର ସମ୍ଭାବନା ମଧ୍ୟ ନାହିଁ । କଅଣ କହୁଛ ଚକୋର ?

 

ଚକୋର ମଧ୍ୟ ଚନ୍ଦ୍ରିକା କଥାକୁ ସମର୍ଥନ ଜଣାଇଲା । ଯୁବରାଜ ମାଳାଟିକୁ ଆଉ ଗଳାରୁ ଉତାରିଲେ ନାହିଁ । ଯୋଗମାୟାଙ୍କ ମନ୍ଦିର ପର୍ଯ୍ୟନ୍ତ ତିନିଜଣ ସାଙ୍ଗ ହୋଇ ଆସିବାକୁ ଇଚ୍ଛା ଥିଲେ ମଧ୍ୟ ମହାପୂଜାରୀଙ୍କ ଦୃଷ୍ଟି ଏଡ଼ାଇବା ପାଇଁ ସେପରି କାର୍ଯ୍ୟକୁ କ୍ଷାନ୍ତ ହେଲେ ।

 

ଚନ୍ଦ୍ରିକା ଆଉ ଚକୋର ଆଗପଛ ହୋଇ ଉଦ୍ୟାନରୁ ବାହାରି ଆସିଲେ । ତା’ର କିଛି ସମୟ ପରେ ଯୁବରାଜ ବାହାରି ଆସିଲେ ମନରେ ଅସରନ୍ତି ଭାବନା ଏବଂ ମିଠା ମିଠା ମାଦକ ନେଇ ।

 

ଜମ୍ଭୁ ଦୀପର ଉତ୍ତରରେ ନଗାଧିରାଜ ହିମାଳୟ ପ୍ରାକୃତିକ ଅଭେଦ୍ୟ ପ୍ରାଚୀର ପରି ଦଣ୍ଡାୟମାନ । ଉତ୍ତର ଏସିୟାର ତୁଷାର ଶୀତଳ ବାୟୁ ପ୍ରବାହ ହିମାଳୟ ସକାଶେ ଏ ଦେଶରେ ପ୍ରବେଶ କରିପାରେ ନାହିଁ । ଏ ଦେଶକୁ ବାହ୍ୟ ଶତ୍ରୁ ଆକ୍ରମଣରୁ ମଧ୍ୟ ଯୁଗ ଯୁଗ ଧରି ହିମାଳୟ ରକ୍ଷା କରି ଆସିଛି । ଏହାର ଉପତ୍ୟକାମାନଙ୍କରେ ଯେଉଁ ପାର୍ବତୀୟ ଅଧିବାସୀ ରହିଥିଲେ, ସେମାନେ ଥିଲେ ବୀର, ଦୁଃସାହସୀ । ଏହି ପର୍ବତମାଳାର ସ୍ଥାନେ ସ୍ଥାନେ ଗିରି ସଙ୍କଟ ରହିଅଛି । ଏହି ପାର୍ବତୀୟ ପାଠ ଦେଇ ଯାତାୟତ କରିବା ଦୁରୁହ, କଷ୍ଟସାଧ୍ୟ । ତଥାପି ଏହି ସଂକୀର୍ଣ୍ଣ ପାର୍ବତୀୟ ପଥ ଦେଇ ଉତ୍ତର ଦିଗରୁ ଅନେକ ଥର ଶତ୍ରୁ ମାନଙ୍କର ଆକ୍ରମଣ ଘଟିଛି । ଆଧୁନିକ ଖାଇବାର ପାସ୍‍ର ପ୍ରାଚୀନ ନାମ ଥିଲା ଖଟ୍‍ୱାଙ୍ଗ ଘାଟି । ଏହି ଘାଟି ଠାରୁ ଦକ୍ଷିଣ ଦିଗକୁ ଥିଲା ଅନେକ ପାର୍ବତୀୟ କ୍ଷୁଦ୍ର ରାଜ୍ୟ । ସେହି ରାଜ୍ୟ-ମାନଙ୍କ ମଧ୍ୟରୁ ଗୋଟିକର ନାମ ଥିଲା ହିମଗିରି ।

 

ହିମଗିରି ରାଜ୍ୟର ଦ୍ରାବିଡ଼ ରାଜା ଥିଲେ ପୁଷ୍ପାଙ୍ଗଧନୁ । ଆଖ ପାଖରେ ପାଞ୍ଚ ସାତଟି ରାଜ୍ୟର ସେ ଥିଲେ ରାଜାଧିରାଜ । ଏ ପର୍ଯ୍ୟନ୍ତ ହିମାଳୟର ଅପର ପାର୍ଶ୍ୱରୁ ତାଙ୍କ ଦେଶକୁ ଆକ୍ରମଣ କରିବାକୁ କେହି ଶତ୍ରୁ ଆସି ନଥିଲେ । କେବଳ ଜମ୍ଭୁ ଦୀପ ମଧ୍ୟରେ ଥିବା ତାଙ୍କର କରଦ ରାଜ୍ୟଗୁଡ଼ିକୁ ଆୟତ୍ତରେ ରଖିବା ପାଇଁ ସେ ପ୍ରାୟ ବିଂଶସହସ୍ର ସୈନିକ ବିଶିଷ୍ଟ ସଶସ୍ତ୍ର ବାହିନୀ ଗଠନ କରିଥିଲେ ।

 

ଏବେ ଆର୍ଯ୍ୟ ମହାରାଜା ତ୍ରିଭୁବନ ଦେବ ନିଜର ସୈନ୍ୟ ମାନଙ୍କୁ ନେଇ ଖଟ୍ୱାଙ୍ଗ୍‍ ଘାଟି ପରି ହୋଇ ଦ୍ରାବିଡ଼ ରାଜ୍ୟ ମଧ୍ୟରେ ଶିବିର ପକାଇ ରହିଛନ୍ତି । ଧାଡ଼ି ଧାଡ଼ି ହୋଇ ନିର୍ମିତ ହୋଇଥିବା ଶିବିରଗୁଡ଼ିକ ଦୂରରୁ ଦେଖିଲେ ଜଣାଯାଉଛି, ସତେ ଅବା ଗୋଟାଏ ପାର୍ବତୀୟ ନଗର-

 

ସେଦିନ ସନ୍ଧ୍ୟା ସମୟରେ ଆର୍ଯ୍ୟ ସମ୍ରାଟ ତ୍ରିଭୁବନ ଦେବ ନିଜ ଶିବିରରେ ବସି ସେନାପତି, ଉପସେନାପତିଙ୍କ ସହ ସମର ସଜ୍ଜା ଏବଂ ରଣକୌଶଳ ସମ୍ପର୍କରେ ପରାମର୍ଶ କରୁଥାଆନ୍ତି । ଅପରାହ୍ନରେ ତାଙ୍କୁ ଗୁପ୍ତଚର ସମ୍ବାଦ ଦେଇଛି ଯେ ସେ ସ୍ଥାନରୁ ଏକ କ୍ରୋଶ ଦୂରରେ ଅନ୍ୟ ଏକ ପାର୍ବତୀୟ ସଂକୀର୍ଣ୍ଣ ମାର୍ଗ ମୁଖରେ ପ୍ରାୟ ଏକ ସହସ୍ର କିରାତ ସେନା ଶିବିର ପକାଇ ରହିଲେଣି ।

 

ଜଣେ ଉପ ସେନାପତି କହିଲେ :–ମହାରାଜ, ତାଙ୍କର ସଂଖ୍ୟା ଅତି ଅଧିକ ହେଲେ ଏକ ସହସ୍ର ହେବ । ଆମର ବିଶାଳ ସୁଶିକ୍ଷିତ ସୈନ୍ୟ ବାହିନୀର ସେମାନେ ମାର୍ଗ ଅବରୋଧ କରିବାରେ କଅଣ ସଫଳ ହୋଇପାରିବେ ?

 

ଆର୍ଯ୍ୟ ସମ୍ରାଟ ଟିକିଏ ହସିଲେ । ତା’ପରେ ସେନାପତିଙ୍କୁ କହିଲେ ।

 

: ସମସ୍ୟାଟା ସେମାନଙ୍କୁ ହରାଇବା ପାଇଁ ନୁହେଁ । ମୁଁ ସମ୍ବାଦ ପାଇଛି କିରାତ ବାହିନୀର ସେନାପତି ଅତି ଅଳ୍ପ ବୟସ୍କ ଯୁବକ, ମାତ୍ର ବିଚକ୍ଷଣ ଦୁଃସାହସୀ ଯୋଦ୍ଧା । ତାର ଆଦେଶରେ କିରାତ ବାହିନୀ ପ୍ରାଣ ବଳି ଦେବାକୁ ପଛାଇବ ନାହିଁ । ତାଙ୍କ ଦେଶର ପ୍ରକୃତ ସୈନିକ ମାନେ ଆମ ସହିତ ଯୁଦ୍ଧକୁ ଆସିବା ପର୍ଯ୍ୟନ୍ତ ଏମାନେ ଆମକୁ ଅଗ୍ରସର ହେବାକୁ ସହଜରେ ଛାଡ଼ିବେ ନାହିଁ ।

 

: ତା ହେଲେ ପ୍ରଥମେ ମାର୍ଗକୁ ତ ନିଷ୍କଣ୍ଟକ କରିବାକୁ ପଡ଼ିବ ।

 

: ନିଷ୍କଣ୍ଟକ କରିବାର ଦୁଇଟି ଉପାୟ କହୁଛି ଶୁଣ । ପ୍ରଥମେ ଚେଷ୍ଟା କରିବା, କିରାତ ସୈନ୍ୟ ବାହିନୀର ମୁଖ୍ୟ ସେନାପତି ଆମ ସହିତ ବନ୍ଧୁତ୍ୱ ସ୍ଥାପନ କରୁ । ଯେଉଁ ରାଜ୍ୟ ଆମେ ଜୟ କରିବା ସେଥିରୁ ଗୋଟାଏ ଅଂଶରେ ତାକୁ ରାଜା କରିଦେବା । ଯଦି ବୁଦ୍ଧି ବଳରେ ଆମେ ତାକୁ ଆୟତ୍ତ କରି ନ ପାରିବା ଅନିର୍ବାର୍ଯ୍ୟ ହୋଇ ପଡ଼ିବ ।

 

: ମହାରାଜଙ୍କ ଯୋଜନା ଅତି ଉତ୍ତମ ।

 

ସମସ୍ତ ସେନାପତି, ଉପସେନାପତି ଏବଂ ଗୁପ୍ତଚରଗଣ ମହାରାଜାଙ୍କ ପ୍ରସ୍ତାବରେ ଏକମତ ହେଲେ ।

 

ତେବେ କିରାତ ସେନାପତିଙ୍କୁ କରାଗତ କରିବାକୁ ହେଲେ ସେ ଦାୟିତ୍ୱ ପ୍ରଥମେ କିଏ ନେବ ? ଏ ସମ୍ପର୍କରେ କେତେଗୋଟି ଭିନ୍ନ ମତ ପ୍ରକାଶ ପାଇବାରୁ ଶେଷରେ ସମ୍ରାଟ ତ୍ରିଭୁବନ ଦେବ କହିଲେ ।

 

: ଶୁଣ, ଏ କାର୍ଯ୍ୟ ସମ୍ପାଦନ କରିବାକୁ ପାଞ୍ଚ ସାତ ଜଣ ଯିବା ଆବଶ୍ୟକ ନାହିଁ । ଗୁପ୍ତଚର ମୁଖ୍ୟଙ୍କୁ ସାଙ୍ଗରେ ନେଇ ମୁଁ ଯିବି । ମୋର ଅଙ୍ଗରକ୍ଷୀମାନେ ଦୂରରେ ରହିବେ କୌଣସି ବିପଦ ସଂକେତ ପାଇଲେ ସେମାନେ ଗୁପ୍ତଚର ମୁଖ୍ୟଙ୍କ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରିବେ ।

 

ଗୁପ୍ତଚର ମୁଖ୍ୟ, ଅଙ୍ଗରକ୍ଷୀଗଣ ଆଉ ମହାରାଜ ତ୍ରିଭୁବନ ଦେବ ଅଶ୍ୱପୃଷ୍ଠରେ ବସି ବାହାରିଲେ କିରାତ ଶିବିର ଉଦ୍ଦେଶ୍ୟରେ କିଛିଦୂର ଯିବାପରେ ସେମାନଙ୍କର ଶିବିର ଦୃଷ୍ଟି ପଥାରୁଢ଼ ହେଲା । ଡାଳପତ୍ରର ତିଆରି କୁଡ଼ିଆ ଘର ଝରଣା କୂଳରେ ଇତସ୍ତତଃ ହୋଇ ରହିଛି ।

 

ସମ୍ରାଟଙ୍କର ସୁଦ୍ର ଦଳଟି ଅଗ୍ରସର ହେଲା । ନିବିଡ଼ ଅରଣ୍ୟ, ପାର୍ବତୀୟ ଉଚ୍ଚନିଚ ମାର୍ଗ ମଧ୍ୟ ଦେଇ ଯିବାରେ ଆଦିକା ସମୟ ଲାଗୁଥାଏ । ସଂଧ୍ୟା ଆସନ୍ନ ପ୍ରାୟ । ରାତ୍ରି ହେବା ପୂର୍ବରୁ ଲେଉଟି ଆସିବାକୁ ହେବ ।

 

ଗୋଟିଏ ପାର୍ବତୀୟ ପ୍ରାକୃତିକ ଗୁମ୍ଫା ନିକଟରେ ଏମାନଙ୍କର ଗତି ବନ୍ଦ ହେଲା ମହାରାଜ କହିଲେ :—ତୁମ୍ଭେମାନେ ଏହିଠାରେ ଅପେକ୍ଷା କର । କେବଳ ଗୁପ୍ତଚର ମୁଖ୍ୟଙ୍କୁ ସାଙ୍ଗରେ ନେଇ ମୁଁ ଯାଉଛି । ଅଶ୍ୱ ଦୁଇଟିଙ୍କୁ ସେହିଠାରେ ଛାଡ଼ି ଚାଲି ଚାଲି ଅଗ୍ରସର ହେଲେ ତ୍ରିଭୁବନ ଦେବ । ଧୀର ସ୍ୱରରେ ବାର୍ତ୍ତାଳାପ କରି ଚାଲିଛନ୍ତି, ଦୁଇଟି ତୀର ‘ସାଇଁ’ କରି ସେମାନଙ୍କ ପାଖ ଦେଇ ଚାଲିଗଲା

 

: ବସିପଡ଼ି ବିଭାବସୁ । ଶତ୍ରୁ ପକ୍ଷର ପ୍ରହରୀଗଣ କେଉଁ ବୃକ୍ଷ ଅନ୍ତରାଳରେ ରହି ଅଛନ୍ତି-

 

ଉଭୟ ଗୋଟିଏ ବୃକ୍ଷ ନିକଟରେ ବସି ପଡ଼ିଲେ । ଅଳ୍ପ କ୍ଷଣ ମଧ୍ୟରେ ଚାରିଜଣ କିରାତ ସୈନିକ ବିଭିନ୍ନ ବୃକ୍ଷ ଅନ୍ତରାଳରୁ ବାହାରି ଆସିଲେ ।

 

: ସାବଧାନ, ସେହିଠାରେ ଠିଆ ହୁଅନ୍ତୁ ।

 

ସେହି ସ୍ଥାନରେ ତ୍ରିଭୁବନ ଦେବ ନିଶ୍ଚଳ ଠିଆ ହୋଇ ରହିଲେ । ଚାରିଜଣ ସୈନିକ ନିମିଷକ ମଧ୍ୟରେ ସେମାନଙ୍କ ନିକଟରେ ପହଞ୍ଚିଗଲେ ସେମାନଙ୍କ ମଧ୍ୟରୁ ବୟସ୍କ ସୈନିକ ଜଣେ କହିଲା ।

 

: ଆପଣମାନେ କିଏ ?

 

: ଆମେ ଆର୍ଯ୍ୟ ସମ୍ରାଟଙ୍କର ବାର୍ତ୍ତାବହ । ତୁମ୍ଭମାନଙ୍କର ସେନାପତିଙ୍କ ସହିତ ସାକ୍ଷାତ କରିବାକୁ ଇଚ୍ଛା କରିଛୁ । କେତେ ଦୂର ଯିବାକୁ ହେବ ।

 

: ଚାଲନ୍ତୁ; ସେନାପତି ଏଇ ନିକଟରେ ଅଛନ୍ତି ।

 

ଅଳ୍ପ ଦୂରରେ ଶିଳାଖଣ୍ଡ ଉପରେ ବସି କିରାତ ନାୟକ ପୁଷ୍ପକେତୁ ନିଜର ସଙ୍ଗୀମାନଙ୍କ ସହ ବାର୍ତ୍ତାଳାପ କରୁଥିଲେ । ମହାରାଜା ତ୍ରିଭୁବନ ଦେବଙ୍କୁ ଦେଖି ସେ ଆଗେଇ ଆସିଲେ ।

 

: ଆପଣଙ୍କ ପରିଚୟ ?

 

ବିଭାବସୁ କହିଲା :—ଏ ହେଉଛନ୍ତି ଆର୍ଯ୍ୟ ସମ୍ରାଟ ତ୍ରିଭୁବନ ଦେବ ।

 

: ଆର୍ଯ୍ୟ ସମ୍ରାଟ ତ୍ରିଭୁବନ ଦେବ ! ଏଠାକୁ ଆସିବାର ଉଦ୍ଦେଶ୍ୟ ?

 

ତ୍ରିଭୁବନ ଦେବ କହିଲେ : ଯୁବକ, ନିଜର ପରିଚୟ ଦିଅ ।

 

: ମୁଁ ହେଉଛି କିରାତ ବାହିନୀର ସେନାପତି ପୁଷ୍ପକେତୁ ।

 

: ପୁଷ୍ପକେତୁ ? ବାଃ...ସୁନ୍ଦର ନାମ । ଏଠାକୁ ତୁମ୍ଭେମାନେ ଆସିବାର ତାତ୍‍ପର୍ଯ୍ୟ ?

 

: ଆପଣଙ୍କର ପଥରୋଧ କରିବାକୁ ।

 

: ମୋର ପଥରୋଧ କରିବାକୁ ତୁମ୍ଭେମାନେ ଏତେ ଉତ୍ସୁକ କାହିଁକି ? କଅଣ ଏ ଦେଶର ରାଜା ତୁମ୍ଭମାନଙ୍କୁ ଏ କର୍ତ୍ତବ୍ୟ କରିବାକୁ ନିଯୁକ୍ତ କରିଛନ୍ତି ?

 

: ନା, ଆମେ ବନଚାରୀ କିରାତିଗଣ ସ୍ୱାଧୀନ ପ୍ରକୃତିର । ଆମର ଦେଶରକ୍ଷା କରିବାକୁ କର୍ତ୍ତବ୍ୟ ମନେକରି ସ୍ୱୟଂ ନିଯୁକ୍ତ ହୋଇଛୁ ।

 

: କିନ୍ତୁ, ମୁଁ ଆସିଛି ଏ ଦେଶ ସହିତ ମିତ୍ରତା ବନ୍ଧନରେ ବାନ୍ଧି ହେବା ନିମିତ୍ତ ।

 

: କିନ୍ତୁ ମହାରାଜ, ମିତ୍ରତା ସ୍ଥାପନ ନିମିତା ବିଶାଳ ସେନା ସାଙ୍ଗରେ ଆଣିବାର ତାତ୍‍ପର୍ଯ୍ୟ ? କଅଣ ବଳ ପ୍ରୟୋଗ କରି ବନ୍ଧୁତା ସ୍ଥାପନ କରିବା ଆପଣଙ୍କର ଇଚ୍ଛା ?

 

: ସେନାପତି, ତୁମ୍ଭର ବୁଦ୍ଧି ଚାତୁର୍ଯ୍ୟ ବାସ୍ତବିକ୍ ପ୍ରଶଂସନୀୟ । ଆମ୍ଭେମାନେ ଜମ୍ଭୁ ଦୀପକୁ ଆସିବାର ଦୁଇଟି କାରଣ ରହିଛି । ପ୍ରଥମ, ଆମର ଆର୍ଯ୍ୟ ଧର୍ମ ହେଉଛି ସଂସାରର ସର୍ବଶ୍ରେଷ୍ଠ ଧର୍ମ । ସେହି ଧର୍ମପ୍ରଚାର ଏବଂ ପ୍ରସାର ନିମିତ୍ତ ଆମର ଆଗମନ । ଦ୍ଵିତୀୟ କାରଣ, ଏହି ମହାଦେଶର ମଧ୍ୟଭାଗରେ ଆର୍ଯ୍ୟ ଜାତିର ବସବାସ କରିବାକୁ ସ୍ଥାନାଭାବ ଏବଂ ଚାରଣ ଭୂମିର ଅଭାବ । ତେଣୁ ଏଠାରେ କିଛି ପରିବାରଙ୍କର ବସତି ସ୍ଥାପନ କରିବା ଆମର ଇଚ୍ଛା ।

 

: କିନ୍ତୁ ନିଜ ଧର୍ମ ତ୍ୟାଗ କରି କିଏ କାହିଁକି ଆପଣଙ୍କ ଧର୍ମ ଆଉ ସଂସ୍କୃତିକୁ ଗ୍ରହଣ କରିବ ?

 

: ତୁମେ ଅଜ୍ଞାନତାବଶତଃ ଏପରି କହୁଛ ସେନାପତି ! ଆର୍ଯ୍ୟଧର୍ମ, ଆର୍ଯ୍ୟ-ସଭ୍ୟତା ଆଉ ସଂସ୍କୃତି ଶ୍ରେଷ୍ଠତମ: ଉତ୍କୃଷ୍ଟ ସଭ୍ୟତାକୁ ଗ୍ରହଣ କରିବା ସମସ୍ତଙ୍କର ପକ୍ଷରେ କଲ୍ୟାଣ କର ।

 

: ଯଦି ଏ ଦେଶର ମନୁଷ୍ୟ ଆଉ ରାଜା ଏଥିପାଇଁ ପ୍ରସ୍ତୁତ ନ ହୁଅନ୍ତୁ... ?

 

: ତା’ହେଲେ ରାଜନୀତିର ଅନ୍ୟତମ ସାଧନା ହେଉଛି ବଳ ପ୍ରୟୋଗ ।

 

: ଦେଖନ୍ତୁ ତ ବଳ ପ୍ରୟୋଗ କରି;ଏ କିରାତ ଜାତି ସ୍ୱାଧୀନତା ପାଇଁ ମରିଯିବା ଶିକ୍ଷା କରିଛି । ଦେହର ଶେଷ ବିନ୍ଦୁ ରକ୍ତ ଥିବା ପର୍ଯ୍ୟନ୍ତ ଆତ୍ମସମର୍ପଣର ପ୍ରଶ୍ନ ନାହିଁ ।

 

: ତୁମ୍ଭମାନଙ୍କର ସ୍ୱାଧୀନ ପ୍ରିୟତା ସ୍ୱଦେଶ ଭକ୍ତିକୁ ମୁଁ ସତବାର ପ୍ରଶଂସା କରୁଛି । ବୀର ଯୁବକ;ମୁଁ ତ ଆସି ନାହିଁ ତୁମର ସ୍ୱାଧୀନତା ଅପହରଣ କରିବାକୁ । ମୁଁ ଚାହୁଁଛି କେତେକ ପରିବାରର ବସତି ସ୍ଥାପନ ଏବଂ ଧର୍ମ ପ୍ରଚାର ନିମିତ୍ତ କିଛି ସୁବିଧା ସୁଯୋଗ । ଯଦି ଏ କାର୍ଯ୍ୟ ନମ୍ରତା ସହ ସାଧିତ ହୁଏ ତେବେ ଅଯଥା ରକ୍ତପାତ କରିବାର ପକ୍ଷପାତୀ ମୁଁ ନୁହେଁ ।

 

: ତା ହେଲେ....

 

: ମୁଁ ସେଇଥିପାଇଁ ପ୍ରଥମେ ତୁମ ପାଖକୁ ଆସିଛି । ମୋ କାର୍ଯ୍ୟରେ ତୁମର ସହାୟତା ଯାଚନା କରିବାକୁ ମୁଁ ଆସିଛି । ତୁମର ସେନା ବାହିନୀ ମୋ ସହିତ ମିଳିତ ହୋଇଯାଉ । ତାହେଲେ ଆମର ଶକ୍ତି ଦ୍ୱିଗୁଣିତ ହୋଇଯିବ । ପରେ ବିଜିତ ଭୁଭାଗରୁ ଅର୍ଦ୍ଧେକ ତୁମର ଶାସନାଧୀନ ରହିବ । ତୁମେ ହେବ ଜଣେ ସ୍ୱାଧୀନ ରାଜା । ତୁମର ବୀରତ୍ଵରେ ମୁଁ ମୁଗ୍‍ଧ, ତୁମର ବୁଦ୍ଧି ଚାତୁର୍ଯ୍ୟରେ ମୁଁ ଉତ୍ତମ ରୂପେ ପ୍ରଭାବିତ ।

 

: ମୁଁ କିନ୍ତୁ ଏ ପ୍ରସ୍ତାବ ସହିତ ଏକମତ ହୋଇପାରୁନି ।

 

: ମୋତେ ଚାହିଁ ଦେଖ ବୀର ଯୁବକ ! ଆର୍ଯ୍ୟ ସମ୍ରାଟ ତ୍ରିଭୁବନ ଦେବ ତୁମ ପାଖକୁ ଆସି ଏକ ତୁଚ୍ଛ ଭିକ୍ଷା ମାଗୁଛି, ମାତ୍ର ତୁମେ ସ୍ୱୀକାର କରୁନାହଁ । କ’ଣ ତୁମର ମା’ତୁମକୁ ଏହିପରି ସୁଶିକ୍ଷା ଦେଇଛି ଯେ ଅତିଥିମାନଙ୍କୁ ପାଦରେ ଆଡ଼େଇଦେବ । ସହାୟତା ପାର୍ଥୀଙ୍କୁ ଆପମାନିତ କରିବ, ତିରସ୍କୃତ କରିବ ? ଆମ୍ଭେମାନେ ବିଦେଶୀ, କେତେକଷ୍ଟ ସହ୍ୟ କରି ଆସିଛୁ ତୁମ୍ଭର ସାହାଯ୍ୟ ଭିକ୍ଷା କରିବାକୁ । କଅଣ ତୁମର ମା’ ଏହିପରି ଉପଦେଶ ଦେଇଛି ଯେ ସାହାଯ୍ୟ ପ୍ରାର୍ଥୀମାନଙ୍କୁ ନିରାଶ କରିଦେବ ?

 

ପୁଷ୍ପକେତୁ ପଡ଼ିଗଲା ଧର୍ମ ସଙ୍କଟରେ । ନିଜର ମା ପ୍ରତି ଆକ୍ଷେପ ତାକୁ ଅସହ୍ୟ ବୋଧ ହେଲା ।

 

: କୁହ ବୀର ଯୁବକ, ତୁମର ଶେଷ ନିର୍ଣ୍ଣୟ କଅଣ ?

 

: ମୋତେ ଟିକିଏ ଚିନ୍ତା କରିବାକୁ ସମୟ ଦିଅନ୍ତୁ । ଅଳ୍ପ ସମୟ ମଧ୍ୟରେ ମୋର ଅଧିନାୟକମାନଙ୍କ ସହ ପରାମର୍ଶ କରି ଉତ୍ତର ଦେବି ।

 

ପୁଷ୍ପକେତୁ ସେହି ଶିଳାଖଣ୍ଡ ଉପରେ ତ୍ରିଭୁବନ ଦେବଙ୍କୁ ବସାଇ ସେଠାରୁ ଅନ୍ତର ହୋଇଗଲା । ଅଳ୍ପ ଦୂରରେ ଗୋଟିଏ ବୃକ୍ଷ ମୂଳେ ବସି ନିଜର ସଙ୍ଗୀମାନଙ୍କ ସହ ବିଚାରବିମର୍ଷ ଚଳାଇଲା । ସଙ୍ଗୀମାନେ ଆର୍ଯ୍ୟ ରାଜାଙ୍କ ଯାଚନାକୁ ସ୍ୱୀକାର କରିବାକୁ ପରାମର୍ଶ ଦେରଲ । ପୁଷ୍ପକେତୁ ମନରେ ମଧ୍ୟ ସ୍ୱାଧୀନ ରାଜା ହେବା ପାଇଁ ଏକ ବଳବତୀ ଇଚ୍ଛା ଜାଗ୍ରତ ହେଲା । କିଛି ସମୟ ପରେ ତ୍ରିଭୁବନ ଦେବଙ୍କ ନିକଟକୁ ଲେଉଟି ଆସିଲା ପୁଷ୍ପକେତୁ । ମୁଖ ମଣ୍ଡଳରେ ହସ ଫୁଟାଇ ଆର୍ଯ୍ୟ ରାଜା ନିଜର ପ୍ରଶ୍ନକୁ ପୁନର୍ବାର ଉପସ୍ଥାପିତ କଲେ ।

 

: କୁହ ବୀର ଯୁବକ, କଅଣ ବିଚାର ?

 

: ଆପଣଙ୍କୁ ସହାୟତା କରିବା ପାଇଁ କିରାତ ବାହିନୀ ଏକମତ । ରାଜ୍ୟ ବିଜୟ ପରେ ଅର୍ଦ୍ଧେକ ରାଜ୍ୟରେ ମୁଁ ସ୍ୱାଧୀନ ନରପତି ହେବି, ଏ ବଚନ ଆପଣ ଯେପରି ଭୁଲି ନ ଯାନ୍ତି । ଏହା ବ୍ୟତୀତ ଆଉ ଗୋଟିଏ ପଣ ଅଛି ।

 

: କି ପ୍ରକାର ପଣ ?

 

: ଆପଣଙ୍କର ମୋର ଖଣ୍ଡ ଯୁଦ୍ଧ ହେବ, ଜଣେ ଏ ଖେଳରେ ପରାଜିତ ହେବା ପର୍ଯ୍ୟନ୍ତ-

 

: ତୁମର ପ୍ରସ୍ତାବକୁ ସ୍ୱୀକାର କରୁଛି ।

 

ଚଟ କରି କରବାଳକୁ କୋଷମୁକ୍ତ କଲା ପୁଷ୍ପକେତୁ । ଯୁବକର ଚଞ୍ଚଳତା ଦେଖି ଆର୍ଯ୍ୟ ସମ୍ରାଟ ଚକିତ ହେଲେ । ତାଙ୍କ ସହିତ ଆଜି ପର୍ଯ୍ୟନ୍ତ କେହି ହେଲେ ଏପରି ନିର୍ଭୟରେ ବାର୍ତ୍ତାଳାପ କରି ନ ଥିଲା । ଏପର୍ଯ୍ୟନ୍ତ କେହି ତାଙ୍କୁ ଦ୍ଵନ୍ଦ ଯୁଦ୍ଧ ନିମିତ୍ତ ଆହ୍ୱାନ ମଧ୍ୟ ଦେଇ ନ ଥିଲା । ହେଉ, ଏ ଯୁବକ ମଧ୍ୟ ଆର୍ଯ୍ୟ ସମ୍ରାଟର ହସ୍ତ କୌଶଳ ଦେଖିନେଉ । ଏଇ ଅବସରରେ ଜମ୍ଭୁ ଦୀପର ବୀରମାନଙ୍କ ବଳ ଓ କୌଶଳ ମଧ୍ୟ କିଛି ଅଭିଜ୍ଞତା ଅର୍ଜନ ହୋଇଯିବ ।

 

ଆର୍ଯ୍ୟ ସମ୍ରାଟ ତ୍ରିଭୁବନ ଦେବ ନିଜ ତରବାରିକୁ ଦୃଢ଼ ହସ୍ତରେ ଧାରଣ ପୂର୍ବକ ଚକ୍ଷୁ ଦ୍ୱାରା ସଙ୍କେତ ଦେଲେ । ବିରାଟ ବପୁଧାରୀ ଆର୍ଯ୍ୟ ମହାରାଜା, ଆକାର ପ୍ରକାରରେ ପୁଷ୍ପକେତୁର ତିନିଚାରି ଗୁଣ । ଦର୍ଶକକୁ ଲାଗିବ ଏପ୍ରକାର ଖଣ୍ଡା ଖେଳ ଦୁଇ ଜଣ ଅସମାନ ଯୋଦ୍ଧାଙ୍କ ମଧ୍ୟରେ ଚାଲିଛି ।

 

ଉଭୟଙ୍କ ମଧ୍ୟରେ ତରବାରି ଯୁଦ୍ଧ ଆରମ୍ଭ ହୋଇଗଲେ । ଜଣେ ଅନ୍ୟ ଜଣଙ୍କ କୌଶଳକୁ ବ୍ୟର୍ଥ କରିବାରେ ଲାଗିଲେ । ତରବାରିର ଝନତ୍‍କା ବୃଦ୍ଧି ପାଇବାକୁ ଲାଗିଲା । ଅଳ୍ପ ସମୟରେ ତ୍ରିଭୁବନ ଦେବ ଜାଣିଲେ ଯେ କିରାତ ନାୟକ ସାଧାରଣ ଯୋଦ୍ଧା ନୁହେଁ । ତା'ର ଅସ୍ତ୍ର ଚାଳନାରେ ଚଞ୍ଚଳତା, ବିଦ୍ୟୁତ୍ ଗତିରେ ସ୍ଥାନ ଓ କୌଶଳ ପରିବର୍ତ୍ତନ ଦେଖି ତ୍ରିଭୁବନ ଦେବ ମୁଗ୍ଧ ହୋଇଗଲେ । ନିଜକୁ ବଞ୍ଚାଇବା ସଙ୍ଗେ ସଙ୍ଗେ ପ୍ରତିପକ୍ଷକୁ ଆକ୍ରମଣ କରିବାର ଦୃଢ଼ତା ମଧ୍ୟ ପ୍ରଶଂସନୀୟ ଥିଲା !

 

କିଛି ସମୟ ଘମାଘୋଟ ଯୁଦ୍ଧ ଚାଲିବା ପରେ ତ୍ରିଭୁବନ ଦେବଙ୍କ ତରବାରି ଭାଙ୍ଗିଗଲା । ସେହି ଅବସରରେ ତାଙ୍କ ହାତରେ ସାମାନ୍ୟ ଆଘାତ ମଧ୍ୟ ଲାଗିଲା ।

 

Unknown

: ଅନ୍ୟ ଏକ ତରବାରି କରନ୍ତୁ ମହାରାଜ ।

 

: ଆବଶ୍ୟକ ନାହିଁ ବୀର ଯୁବକ ! ତୁମର ଅସ୍ତ୍ର ଚାଳନାରେ ମୁଁ ମୁଗ୍ଧ । ନିଜକୁ ପରାଜିତ କହିବାକୁ ମଧ୍ୟ ମୁଁ ସଙ୍କୋଚ ବୋଧ କରୁ ନାହିଁ ।

 

: ଆପଣଙ୍କର ସତ୍ୟ ଭାଷଣରେ ମୁଁ ଆନନ୍ଦିତ ।

 

: ବୀର ଯୁବକ, ତୁମେ ଆର୍ଯ୍ୟ ସମ୍ରାଟର ହୃଦୟକୁ ମଧ୍ୟ ଜୟ କରିଛ । ଆର୍ଯ୍ୟ ସେନାର ଅର୍ଦ୍ଧେକ ସୈନିକ ତୁମ ନିର୍ଦ୍ଦେଶରେ ପରିଚାଳିତ ହେବେ । ତୁମେ ସେମାନଙ୍କର ସେନାଧ୍ୟକ୍ଷ ।

 

ଆପଣଙ୍କର ଏ ପ୍ରସ୍ତାବକୁ ମୁଁ ସ୍ୱୀକାର କରୁଛି, କିନ୍ତୁ ଗୋଟିଏ କଥା, ଆପଣଙ୍କଠାରୁ କେବଳ ମୁଁ ଆଦେଶ ଗ୍ରହଣ କରିବି । କିରାତ ବାହିନୀର ମାନମର୍ଯ୍ୟାଦା ପ୍ରତି ଆପଣଙ୍କର ଦୃଷ୍ଟି ରହିବ ।

 

: ବିଶ୍ୱାସ ରଖ ସେନାପତି, ମୁଁ ବଚନ ଦେଉଛି ଯେତେ କଥା ଉଭୟ ପକ୍ଷ ମଧ୍ୟରେ ଆଜି ସ୍ଥିର ହେଲା, ସେଥିପ୍ରତି ମୁଁ ବିଶ୍ୱାସଘାତକତା କରିବି ନାହିଁ ।

 

ଆର୍ଯ୍ୟ ରାଜା ତ୍ରିଭୁବନ ଦେବ ଏବଂ ପୁଷ୍ପକେତୁର ଜୟ ଘୋଷରେ ବନଭୂମି ପ୍ରକମ୍ପିତ ହୋଇଉଠିଲା ।

 

ସରଳ ହୃଦୟ ପୁଷ୍ପକେତୁ, ଛଳକପଟ ହୀନ କିରାତ ବାହିନୀ ରାଜନୀତିକୁଶଳ ଆର୍ଯ୍ୟ ରାଜାର କଥା ଜାଲରେ ଛନ୍ଦି ହୋଇଗଲେ । ଏମାନେ ବାହାରିଥିଲେ ଦେବ ରକ୍ଷା କରିବାକୁ, ମାତ୍ର ତ୍ରିଭୁବନ ଦେବଙ୍କ କୂଟନୀତି ଏମାନଙ୍କୁ ଜୟ କରିଗଲା ।

 

ଦ୍ରାବିଡ଼ ରାଜା ପୁଷ୍ପାଙ୍ଗଧନୁଙ୍କ ରାଜସଭା ।

 

ଚତୁର୍ଦ୍ଦିଗରେ ଗମ୍ଭୀରତାର ବାତାବରଣ । କେତେ ସଦସ୍ୟଙ୍କର ମୁଖ ମଣ୍ଡଳର ଜ୍ୟୋତି ନିଷ୍ପ୍ରଭ, କେତେକ ଚିନ୍ତାମଗ୍ନ, ଆଉ କେତେକ ଭୟଭୀତ ଅବସ୍ଥାରେ ବସିଛନ୍ତି ।

 

ସ୍ୱର୍ଣ୍ଣ ସିଂହାସନ ଉପରେ ଉପବିଷ୍ଟ ଆଉ ଦ୍ରାବିଡ଼ ରାଜା । ନିକଟରେ ମନ୍ତ୍ରୀ, ମହାପୂଜାରୀ ଏବଂ ଯୁବରାଜ ଯଥା ସ୍ଥାନରେ ବସିଛନ୍ତି । ଆଜି ଗୋଟିଏ ମହତ୍ତ୍ୱପୂର୍ଣ୍ଣ ବିଷୟ ଉପରେ ମତାମତ, ପରାମର୍ଶ ଗ୍ରହଣ କରାଯାଉଛି । ରାଜଧାନୀ ଅମୃତ ନଗରର ମାନ୍ୟଗଣ୍ୟ ବ୍ୟକ୍ତିମାନେ ମଧ୍ୟ ସଭାରେ ଉପସ୍ଥିତ ଅଛନ୍ତି ।

 

ମହାମନ୍ତ୍ରୀ ଗୁପ୍ତଚର ଅଧ୍ୟକ୍ଷଙ୍କୁ ପଚାରିଲେ—

 

ଆର୍ଯ୍ୟମାନଙ୍କର ଏପ୍ରକାର ହଠାତ୍ ଆକ୍ରମଣର ଉଦ୍ଦେଶ୍ୟ କଅଣ ହୋଇପାରେ... ଗୁପ୍ତଚର ସଙ୍ଗଠନର ମୁଖ୍ୟ ଦଣ୍ଡାୟମାନ ହୋଇ କହିଲେ ।

 

ଗୁରୁଦେବ, ମୋର ସୈନିକମାନେ ଯାହା ସମାଚାର ସଂଗ୍ରହ କରିଛନ୍ତି ଶୁଣନ୍ତୁ । ଆର୍ଯ୍ୟମାନେ ମହାଦେଶର ମଧ୍ୟଭାଗରେ ଜୀବିକାନିର୍ବାହ କରିବାରେ ବିଶେଷ ଅସୁବିଧାର ସମ୍ମୁଖୀନ ହେବାରୁ ସେମାନେ ଦକ୍ଷିଣକୁ ଅଗ୍ରସର ହେଉଛନ୍ତି । ଆମ ଦେଶର କିଛି ଭୁଭାଗରେ ଆର୍ଯ୍ୟବସତି ସ୍ଥାପନ କରିବା ସଙ୍ଗେ ସଙ୍ଗେ ତାଙ୍କ ଧର୍ମ ଏବଂ ସଂସ୍କୃତିର ପ୍ରଚାର କରିବା ସେମାନଙ୍କର ଉଦ୍ଦେଶ୍ୟ ।

 

ମହାରାଜ ପୁଷ୍ପାଙ୍ଗଧନୁଙ୍କ ଭାଲପଟ କୁଞ୍ଚିତ ହୋଇଉଠିଲା । ସିଂହାସନରୁ ଉଠି ସେ ଦଣ୍ଡାୟମାନ ହେଲେ । ସଭାଜନମାନଙ୍କୁ ସମ୍ବୋଧନ କରି କହିଲେ ।

 

ସଭାଜନମାନଙ୍କୁ ଏ ପରିସ୍ଥିତିର ଗୁରୁତ୍ୱ ଉପଲବ୍‍ଧି କରିବାକୁ ମୁଁ ଅନୁରୋଧ କରୁଛି । ଆମର ଜାତି ବହୁକାଳ ଧରି ଜମ୍ବୁ ଦ୍ୱୀପରେ ଶାନ୍ତି ପୂର୍ବକ ବସ ବାସ କରି ଆସିଛି କିନ୍ତୁ ଶାନ୍ତି କେଉଁଠାରେ ହେଲେ ଚିରକାଳ ବିରାଜମାନ କରିନାହିଁ । ଦିନ ପରେ ରାତି ଆସିବା ପରି ଶାନ୍ତି ଆସେ । ଶାନ୍ତି ସମୟ ହେଲେ ଆଉ ଗୋଟିଏ ଯୁଦ୍ଧ ପାଇଁ ପ୍ରସ୍ତୁତିର ସମୟ ।

 

ବହୁ କାଳ ହେଲା ଆମେମାନେ ସ୍ୱାଧୀନ ରହି ଆସିଛୁ । ସେହି ସ୍ୱାଧୀନତାକୁ ଆମେ ଗୋଟାଏ ବିଦେଶୀ ଆକ୍ରମଣକାରୀ ହସ୍ତରେ କଅଣ ସମର୍ପଣ କରିଦେବା ?

 

ସମସ୍ତେ ସଭାଜନ ନିରବ ଏବଂ ଉଦ୍‍ଗ୍ରୀବ ହୋଇ ମହାରାଜାଙ୍କ ଭାଷଣ ଶୁଣୁଥାଆନ୍ତି । ରାଜାଙ୍କ କଥନ ଚାଲିଥାଏ ।

 

: ବିଦେଶ ସମ୍ରାଟର ଅନ୍ୟାନ୍ୟ ଆକ୍ରମଣର ପ୍ରତି-ଉତ୍ତର ଦେବାକୁ ପଡ଼ିବ । ଦ୍ରାବିଡ଼ ଜାତି ଭୀରୁ, କାପୁରୁଷ ନୁହେଁ । ଅନ୍ୟର ଦୟା ଉପରେ ବଞ୍ଚି ରହି, କୁକୁର ପରି ଜାତିର ହୋଇ ରହି ଆସିଛି ଏବଂ ରହିବ । ବଳ ପ୍ରୟୋଗ ଦ୍ୱାରା ଏଥିରୁ ସୂଚ୍ୟଗ୍ର ଭୂମି ସୁଦ୍ଧା କେହି ଅପହରଣ କରିପାରିବେ ନାହିଁ ।

 

ଜନ ସଭାରେ ଗୁଞ୍ଜନ ଉଠିଲା । ଗୁଞ୍ଜନ ଉଚ୍ଚା ସ୍ୱରରେ ପରିଣତ ହେଲା ।

 

: ମହାରାଜାଙ୍କ ନିର୍ଦ୍ଦେଶରେ ଆମ୍ଭେମାନେ ପ୍ରାଣପାତ କରିପାରୁ, ମାତ୍ର ପରାଧିନତାକୁ ବରଣ କରିବୁ ନାହିଁ ।

 

ମହାରାଜାଙ୍କ ତୀବ୍ର ଦୃଷ୍ଟି ସତେକି ସମସ୍ତଙ୍କ ଅନ୍ତରକୁ ବିଦ୍ଧ କରିବ । ଦ୍ଵିଗୁଣ ଉତ୍ସାହରେ ପୁଷ୍ପାଙ୍ଗଧନୁ ପୁଣି କହିବାକୁ ଲାଗିଲେ ।

 

: ଧନ୍ୟ ହିମଗିରିର ବୀର ପ୍ରଜାଗଣ ଧନ୍ୟ ! ଆଜି ଆମର ପରୀକ୍ଷା ସମୟ ଆସି ଉପସ୍ଥିତ । ଏ ଜାତିର ବୀରତ୍ୱର ପରାକାଷ୍ଠା ପ୍ରଦର୍ଶନ ନିମିତ୍ତ, ସମରାଙ୍ଗଣ ଆହ୍ୱାନ ଜଣାଉଛି । ସେନାପତି ଏବଂ ସେନାପତିମାନଙ୍କ ସହ ଗୁପ୍ତ ପରାମର୍ଶ କରି ମୁଁ ରଣ କୌଶଳ ସ୍ଥିର କରିବି । ପାର୍ବତୀୟ ଅଂଚଳରେ ଯୁଦ୍ଧ ଏତେ ସହଜସାଧ୍ୟ ନୁହେଁ । ଏ ଯୁଦ୍ଧରେ ସାହାସ, କଳ କୌଶଳ ସବୁକିଛି ଆବଶ୍ୟକ । ପବିତ୍ର ମାତୃଭୁମିର ମାନମର୍ଯ୍ୟାଦା ରକ୍ଷା କରିବାକୁ ସମସ୍ତେ ପ୍ରସ୍ତୁତ ହୁଅ । ନିଜ ନିଜର ସୁଖ ଶାନ୍ତି ଧନ ଜୀବନ କିଛି ତ୍ୟାଗ କଲେ ମର୍ଯ୍ୟାଦା ରହିବ ।

 

ଦ୍ଵାର ରକ୍ଷକ ଜଣେ ଆସି ଅଭିବାଦକ ଜଣାଇଲା । ମହାରାଜା ଚାହିଁଲେ ପ୍ରଶ୍ନ ସୂଚକ ଦୃଷ୍ଟିରେ ।

 

: ମହାରାଜ, ଆର୍ଯ୍ୟ ସମ୍ରାଟ ତ୍ରିଭୁବନ ଦେବଙ୍କ ଦ୍ୱାରା ପ୍ରେରିତ ଦୂତ ଆପଣଙ୍କର ଦର୍ଶନ ପ୍ରାର୍ଥୀ ।

 

: ଆସିବାକୁ କୁହ ।

 

ରାଜଦୂତ ପ୍ରବେଶ କଲା । ଦ୍ରାବିଡ଼ ରାଜାଙ୍କୁ ଅଭିବାଦନ ଜଣାଇ ଦଣ୍ଡାୟମାନ ହେଲା । ପୁଷ୍ପାଙ୍ଗଧନୁ ଗାମ୍ଭୀର୍ଯ୍ୟପୂର୍ଣ୍ଣ ମୁଦ୍ରାରେ ଚାହିଁ ରହିଲେ । ମହାମନ୍ତ୍ରୀ ଦୂତକୁ ଲକ୍ଷ କରି ପଚାରିଲେ ।

 

: ଆଗମନର କାରଣ ବ୍ୟକ୍ତ କର ।

 

: ଆର୍ଯ୍ୟ ସମ୍ରାଟ ତ୍ରିଭୁବନ ଦେବଙ୍କର ସନ୍ଦେଶ ନେଇ ଆସିଛି ମହାରାଜ !

 

: କି ସନ୍ଦେଶ ?

 

: ଆମର ମହାରାଜ ଆର୍ଯ୍ୟ ଜାତିର ପଞ୍ଚ ସହସ୍ର ପରିବାରଙ୍କର ଜମ୍ଭୁଦ୍ୱୀପରେ ବସତି ସ୍ଥାପନ କରାଇବାକୁ ଇଚ୍ଛା କରନ୍ତି । ଏହି ମହାଦେଶର ମଧ୍ୟ ଭାଗରେ ସ୍ଥାନାଭାବ ଏହାର କାରଣ । ଏଠାରେ ଯେଉଁ ଆର୍ଯ୍ୟ ପରିବାର ବାସ କରିବେ ସେମାନେ ଆର୍ଯ୍ୟ ଧର୍ମ ଏବଂ ସଂସ୍କୃତିର ପ୍ରଚାର କରିବେ । ଏହି କାର୍ଯ୍ୟ ପୂରଣ ନିମିତ୍ତ ନଦୀ ତଟବର୍ତ୍ତୀ କୌଣସି ଏକ ଭୁଭାଗ ଆବଶ୍ୟକ ।

 

: ଦ୍ରାବିଡ଼ ସଭ୍ୟତା ଏବଂ ସଂସ୍କୃତି, ତୁମ ସଭ୍ୟତା ଏବଂ ସଂସ୍କୃତି ଅପେକ୍ଷା ନିକୃଷ୍ଟ ନୁହେଁ-। ତେଣୁ ଏ ପ୍ରସ୍ତାବକୁ ମୁ ପ୍ରତ୍ୟାଖ୍ୟାନ କରୁଛି ।

 

: କିନ୍ତୁ ମହାରାଜ, ମିତ୍ରତାକୁ ଗ୍ରହଣ ନ କଲେ ଆମ ସମ୍ରାଟ ବଳ ପ୍ରୟୋଗ କରିବାକୁ ବାଧ୍ୟ ହେବେ ।

 

ଯୁବରାଜ ନିଜ ଆସନରୁ ଉଠି ଦଣ୍ଡାୟମାନ ହୋଇଗଲେ । ଆରକ୍ତ ନୟନରେ ଚାହିଁଲେ ଆର୍ଯ୍ୟ ଦୂତକୁ । ବଜ୍ର ଗମ୍ଭୀର ସ୍ୱରରେ କହିଲେ ।

 

: ବଳ ପ୍ରୟୋଗ ! ବାଃ....ଗୋଟିଏ ପଟେ ଭିକ୍ଷାର୍ଥୀ ପରି ଯାଚନା, ତାପରେ ବଳ ପ୍ରୟୋଗର ଧମକ ?

 

: ରୋଷ ପରିହାର କରନ୍ତୁ ଯୁବରାଜ, ମୁ ସନ୍ଦେଶ ବାହକ । ଶକ୍ତି ପ୍ରୟୋଗ ରାଜନୀତିର ଏକ ଅଂଶ ବିଶେଷ !

 

ଦ୍ରାବିଡ଼ ରାଜ ମୌନ ଭଙ୍ଗ କଲେ । ତିକ୍ଷ୍‍ଣ ଦୃଷ୍ଟିରେ ଦୂତକୁ ଚାହିଁ କହିଲେ, ‘‘ତୁମ ସମ୍ରାଟଙ୍କର ରାଜନୀତି ଆଉ ତୁମ ଦେଶ ସଂସ୍କୃତିର ପଟାନ୍ତର ନାହିଁ ।’’

 

: ମହାରାଜ, ଧୀର ସ୍ଥିର ହୃଦୟରେ ବିଚାର କରନ୍ତୁ । ସାମାନ୍ୟ କେତେ ଯୋଜନ ଭୁଭାଗ ନିମିତ୍ତ ତ୍ୟାଗ ସ୍ୱୀକାର କଲେ ଅଯଥା ରକ୍ତପାତରୁ ରକ୍ଷା ମିଳିବ । ଆର୍ଯ୍ୟ ସେନାର ପ୍ରଚଣ୍ଡ ଆକ୍ରମଣକୁ ଆପଣ ପ୍ରତିହତ କରିବା ସହଜସାଧ୍ୟ ନୁହେଁ ।

 

: ଦ୍ରାବିଡ଼ ସେନାର ଶକ୍ତି କେତେ, ସେ ସମ୍ପର୍କରେ ଭୁଲ ଅନୁମାନ କରିଛନ୍ତି ତୁମର ସମ୍ରାଟ । ରଣକ୍ଷେତ୍ରରେ ଜଣାପଡ଼ିବ କାହାର ଶକ୍ତି କେତେ ?

 

: ସୀମାନ୍ତ ଅଞ୍ଚଳର କିରାତ ବାହିନୀ ବର୍ତ୍ତମାନ ଆମର ସହାୟକ, ମାର୍ଗ ପ୍ରଦର୍ଶକ । ଆପଣମାନେ ପ୍ରସ୍ତୁତ ହେବା ପୂର୍ବରୁ ଆମର ସୈନ୍ୟ ବାହିନୀ ରାଜଧାନୀ ଅମୃତ ନଗରକୁ ନିଜର ଆୟତ୍ତ କରିନେବେ ।

 

ଯୁବରାଜ ପୁନର୍ବାର ଆସନ ତ୍ୟାଗ କରି ଦଣ୍ଡାୟମାନ ହେଲେ । କୃପାଣକୁ କୋଷ ମୁକ୍ତ କରି ଧରିଲେ । ଦୃଢ଼ ସ୍ୱରରେ କହିଲେ ।

 

: ଆର୍ଯ୍ୟଦୂତ, ତୁମେ ଏ ସ୍ଥାନରୁ ଯାଇ ତୁମର ସମ୍ରାଟଙ୍କୁ ସମ୍ବାଦ ଦେବା ପୂର୍ବରୁ ଦ୍ରାବିଡ଼ ସେନା ଖଟ୍ୱାଙ୍ଗ ଘାଟି ନିକଟରେ ପହଞ୍ଚିଯିବ । ତୁମର ସେନା କିମ୍ବା କିରାତ ବାହିନୀ କେହି ହେଲେ ଆମର ଗତିରୋଧ କରିପାରିବେ ନାହିଁ । ଯାଅ ତୁମ ସମ୍ରାଟଙ୍କୁ ସମ୍ବାଦ ଦିଅ । ଦ୍ରାବିଡ଼ ରାଜ୍ୟର ରଣସିଂହ ସେନାବାହିନୀ ନିଶ୍ଚିତ ତୁମର ଗର୍ବକୁ ଖର୍ବ କରିବ ।

 

: ମହାରାଜ; ଯୁବରାଜ ଯାହା କହିଲେ ତାହା କଅଣ ଆପଣଙ୍କର ଶେଷ ଉତ୍ତର ?

 

: ଶେଷ ଉତ୍ତର ରାଜଦୂତ !

 

ଦୂତ ନତମସ୍ତକ ହୋଇ ଅଭିବାଦନ ଜଣାଇ ସଭାରୁ ବାହାରକୁ ଚାଲିଗଲା ।

 

କିଛି ସମୟ ପର୍ଯ୍ୟନ୍ତ ରାଜସଭାରେ ନୀରବତାର ରାଜତ୍ୱ ରହିଲା । ସମସ୍ତେ ମନେ ମନେ କିଛି ଚିନ୍ତା କରୁଥାଆନ୍ତି । କିନ୍ତୁ କାହାରି ମୁଖମଣ୍ଡଳରେ ଭୟର ଲେଶମାତ୍ର ଚିହ୍ନ ବର୍ଣ୍ଣ ନ ଥାଏ-

 

ଦ୍ରାବିଡ଼ରାଜ ପୁଷ୍ପାଙ୍ଗଧନୁ ପ୍ରଧାନ ସେନାପତିଙ୍କୁ ସଙ୍କେତ ଦ୍ୱାରା ପାଖକୁ ଆସିବାକୁ କହିଲେ । ସେନାପତି ଆସନ ତ୍ୟାଗ କରି ଆସି, ମହାରାଜାଙ୍କର ବାମ ଭାଗରେ ଦଣ୍ଡାୟମାନ ହେଲେ ।

 

: ଶୁଣନ୍ତୁ ସେନାପତି, ବହୁକାଳ ଶାନ୍ତି ପରେ ଆଜି ଏ ଯୁଦ୍ଧରେ ଆହ୍ୱାନ ମୁ ଗ୍ରହଣ କରିଛି । ମୋ ସୈନିକମାନଙ୍କର ଚାରିଭାଗରେ ବିରକ୍ତ କରି ଏ ଯୁଦ୍ଧ ଚଳାଇବାକୁ ପଡ଼ିବ । ଗୋଟିଏ ଭାଗକୁ ଯଥାଶୀଘ୍ର ଗୁପ୍ତ ମାର୍ଗରେ ପଠାଇ ଦେବା । ରାଜଦୂତ ଆର୍ଯ୍ୟ ସମ୍ରାଟ ନିକଟରେ ପହଞ୍ଚିବା ପୂର୍ବରୁ ଆମର ସୈନ୍ୟ ସେଠାରେ ପହଞ୍ଚିଯିବେ । ଆଉ ଗୋଟିଏ କଥା; ଏ ଯୁଦ୍ଧର ସଞ୍ଚାଳନ ମୁଁ ସ୍ୱୟଂ କରିବି ।

 

ଯୁବରାଜ କହି ଉଠିଲେ : ନା ବାବା, ଆପଣ ବର୍ତ୍ତମାନ ଏ କଷ୍ଟ କାହିଁକି ସହ୍ୟ କରିବେ-? ମୁଁ ଭାବୁଛି ଏ ଯୁଦ୍ଧ ପରିଚାଳନା ସେନାପତିଙ୍କ ସହ ମିଶି ମୁଁ କରିପାରିବି । ଯଦି ଅତି ଆବଶ୍ୟକ ପଡ଼ିବ ତେବେ ଆପଣ ରାଜଧାନୀ ପରିତ୍ୟାଗ କରି ସମ୍ମୁଖ ସମରାଙ୍ଗନକୁ ଯିବେ ।

 

ପୁଷ୍ପାଙ୍ଗଧନୁ କିଛି ସମୟ ନିମିତ୍ତ ଉର୍ଦ୍ଧ୍ୱକୁ ଚାହିଁ କିଛି କଲେ ।

 

: ବତ୍ସ, ମୋ ନିମିତ୍ତ ଅବଶ୍ୟ ଗୌରବର କଥା ଯେ ମୋର ପୁତ୍ର ଆଜି ସ୍ୱଦେଶ ରକ୍ଷାର ଗୁରୁ ଦାୟିତ୍ୱ ନିଜେ ବହନ କରିବାକୁ ପ୍ରସ୍ତୁତ ।

 

ତଥାପି.....

 

: ମନରେ କିଛି ସଂଶୟ ରଖନ୍ତୁ ନାହିଁ ବାବା, ଦେବୀ ଯୋଗମାୟାଙ୍କ କୃପାରୁ ମୁଁ ନିଶ୍ଚୟ ବିଜୟର ଟୀକା ପିନ୍ଧି ଲେଉଟି ଆସିବି ।

 

ଯୁବରାଜ ଋତୁପର୍ଣ୍ଣଙ୍କୁ ସମର ପରିଚାଳନା ଦାୟିତ୍ୱ ଅର୍ପଣ କରାଯିବା ବିଷୟ ଘୋଷଣା କରାଯିବା କ୍ଷଣି ରାଜସଭାରେ ଆନନ୍ଦର ଲହରୀ ଖେଳିଗଲା । ଯୁବରାଜଙ୍କ ଜୟ ଜୟକାର ଧ୍ୱନିରେ ସଭାଗୃହ ମୁଖରିତ ହୋଇ ଉଠିଲା ।

 

ଯୁବରାଜ ଏବଂ ସେନାପତିଙ୍କୁ ସାଙ୍ଗରେ ନେଇ ମହାରାଜା ପୁଷ୍ପାଙ୍ଗଧନୁ ଦେବୀ ଯୋଗମାୟାଙ୍କ ମନ୍ଦିରକୁ ଗଲେ । ମହାପୂଜାରୀ ଦେବୀଙ୍କୁ ପ୍ରାର୍ଥନା କରି ସିନ୍ଦୁର ଏବଂ ସୁମନ ଆଣି ଯୁବରାଜ, ସେନାପତି ତଥା ମହାରାଜଙ୍କୁ ଅର୍ପଣ କଲେ । ତିନି ଜଣ ନତଜାନୁ ଅବସ୍ଥାରେ ବସି ଥାଆନ୍ତି । ମହାପୂଜାରୀ କହିଲେ ।

 

: ଯୁବରାଜ ଦେବୀଙ୍କ କୃପାରୁ ଆମର ସୈନ୍ୟଗଣ ଅବଶ୍ୟ ଜୟଯୁକ୍ତ ହେବେ କିନ୍ତୁ ଗୋଟିଏ କଥା ମନେରଖନ୍ତୁ; ଅତି ଆବଶ୍ୟକ ନ ପଡ଼ିବା ପର୍ଯ୍ୟନ୍ତ ନିଜେ ସମ୍ମୁଖ ସମରକୁ ଯିବେ ନାହିଁ । ଶିବିରରେ ରହି ଯୁଦ୍ଧ ପରିଚାଳନା କରିବେ । ଏକ ସପ୍ତାହ ପର୍ଯ୍ୟନ୍ତ ଆପଣଙ୍କ ଗ୍ରହ ଚକ୍ରରେ ଅଶୁଭ ଗ୍ରହଙ୍କର ପ୍ରଭାବ ଅଧିକ ରହିଛି ।

 

: ଆପଣଙ୍କ ଉପଦେଶ ଶିରୋଧାର୍ଯ୍ୟ, ତଥାପି ପରିସ୍ଥିତି ଯେପରି ହେବ ତାକୁ ଚାହିଁ କାର୍ଯ୍ୟ କରିବାକୁ ତ ପଡ଼ିବ ।

 

ମନ୍ଦିରରୁ ବାହାରି ଆସି ସୈନ୍ୟ ପ୍ରସ୍ତୁତିରେ ସମସ୍ତେ ଲାଗିଗଲେ ।

 

: ଚନ୍ଦ୍ରିକା...

 

: ହଁ ଚକୋର, ଯୁବରାଜ କଅଣ କହିଲେ ?

 

: ଯୁବରାଜ ବର୍ତ୍ତମାନ ଅତ୍ୟନ୍ତ କାର୍ଯ୍ୟବ୍ୟସ୍ତ । ରାତ୍ରିର ପ୍ରଥମ ପ୍ରହର ପରେ ସେ ଏଠାରୁ ପ୍ରସ୍ଥାନ କରିବେ ।

 

: ତା ହେଲେ...ଯୁବରାଜ ଯୁଦ୍ଧକୁ ଯିବା ସୁନିଶ୍ଚିତ ।

 

: ହଁ ଚନ୍ଦ୍ରିକା, ରାଜସଭାରେ ସେ ସ୍ୱେଚ୍ଛାକୃତ ଭାବରେ ସେନାଧିପତିର ଦାୟିତ୍ୱ ଗ୍ରହଣ କରିଛନ୍ତି । ଏଥିରେ ଆଉ କିଛି ସନ୍ଦେହର ଅବକାଶ ନାହିଁ ।

 

: ତା ହେଲେ ଯିବା ପୂର୍ବରୁ ସାକ୍ଷାତକାର କଅଣ ହୋଇପାରିବ ନାହିଁ ?

 

: ବ୍ୟଥିତ ହୁଅନା ଚନ୍ଦ୍ରିକା, ସେ କହିଛନ୍ତି ରାତ୍ରି ଦୁଇଘଡ଼ି ବିତିବା ପରେ ଉଦ୍ୟାନର ଦୋଳି ନିକଟରେ ସାକ୍ଷାତ ସମ୍ଭବ ହେବ ।

 

ଚକ୍ଷୁରେ ଲୋକତ ଢଳ ଢଳ ହେଉଥିଲା ମଧ୍ୟ ମୁଖ ମଣ୍ଡଳରେ କ୍ଷଣିକ ପ୍ରସନ୍ନତାର ଚିହ୍ନ ଫୁଟି ଉଠିଲା । ଗତ ଥର ଦୋଳି ଖେଳର ଦୃଶ୍ୟ ନାଚି ଉଠିଲା ଆଖି ଆଗରେ ।

 

: ହେଉ ଚକୋର, ତୁମେ କେବଳ ମୋର ଆଶା ଭରସାର ସ୍ଥଳ । ତୁମର ଅକପଟ ସ୍ନେହ ଶ୍ରଦ୍ଧା କେବେ ଭୁଲିପାରିବି ନାହିଁ । ଯୁବରାଜଙ୍କୁ ସନ୍ଧ୍ୟା ସମୟରେ ସାକ୍ଷାତ କରି ପୁନର୍ବାର ସ୍ମରଣ କରାଇ ଦେବ ।

 

: ନିଶ୍ଚୟ ସ୍ମରଣ କରାଇଦେବି । କିଛି ବ୍ୟଥିତ ହୁଅନା । ତୁମ ମୁହଁରେ ସର୍ବଦା ହସ ଫୁଟାଇବାକୁ ମୁଁ ଚେଷ୍ଟା କରି ଆସିଛି, ଆଉ ଦେବୀ ଯୋଗମାୟାଙ୍କ ଇଚ୍ଛା ଥିଲେ ଏ ଜୀବନ ଶେଷ ପର୍ଯ୍ୟନ୍ତ ମୁଁ ଗୀତ ଗାଉଥିବି ।

 

ଚକୋର ଚାଲିଗଲା । ଚନ୍ଦ୍ରିକା ଫେରି ଆସିଲା ନିଜ କକ୍ଷକୁ । ସନ୍ଧ୍ୟା ଆରତୀ ନିମିତ୍ତି ନିଜକୁ ପ୍ରସ୍ତୁତ କଲା । ହୃଦୟରେ ଅସହ୍ୟ ବେଦନା । ମନକୁ ଯେତେ ବୁଝାଇଲେ ମଧ୍ୟ ଅଜ୍ଞାତ କୋହ ଉଠୁଛି । ଯୁବରାଜଙ୍କ ଦର୍ଶନରୁ ବଂଚିତ ହୋଇ କିପରି ଜୀବନ ଧରିବି ଚନ୍ଦ୍ରିକା !

 

ନା ନା ସେ ଧୈର୍ଯ୍ୟ ରକ୍ଷା କରିବ । ମନ ପ୍ରାଣ ଦେଇ ଦେବୀ ଯୋଗମାୟାଙ୍କର ସେବାକରିବ, ସ୍ତୁତି କରିବ । ସେ ତାଙ୍କର ଚରଣ ଦାସୀ । ଚରଣ ଦାସୀର ଆକୁଳ ପ୍ରାର୍ଥନା ଦେବୀ ଅବଶ୍ୟ ଶୁଣିବେ । ଯୁବରାଜ ଅକ୍ଷତ ଶରୀରରେ ବିଜୟ ଧ୍ୱଜା ଉଡ଼ାଇ ସମରାଙ୍ଗଣରୁ ଲେଉଟି ଆସିବେ ।

 

ଦେବ ଭୁବନ ଭାସ୍କର ଗଗନ କଲେ ଅସ୍ତାଚଳକୁ । ସନ୍ଧ୍ୟା ନଇଁ ଆସିଲା । ଆକାଶରେ ଧାଡି ଧାଡି ଦୀପାଳି ଜଳିଲା । ଘଣ୍ଟ ଘଣ୍ଟା କାହାଳିଆର ଧ୍ୱନି ଶୁଣାଗଲା ଦେବୀ ଯୋଗମାୟାଙ୍କ ମନ୍ଦିରରେ । ପୂଜା ପରେ ଆରତୀ, ତାପରେ ବନ୍ଦନା ଗାୟନ ଏବଂ ଦେବଦାସୀର ନୃତ୍ୟ ।

 

ସେଦିନ କିନ୍ନରୀ ଚାରୁ ଚନ୍ଦ୍ରିକା ଭାବ ବିହ୍ଵଳ । ଦେବୀଙ୍କ ଭକ୍ତିରେ ନିଜର ଅସ୍ତିତ୍ଵକୁ ଭୁଲିଯାଇଛି । ଆବେଗଭରା କଣ୍ଠରେ ଗାୟନ କରିଚାଲିଛି ଦେବୀ ଯୋଗମାୟାଙ୍କର ବନ୍ଦନା । ଦର୍ଶକଗଣ ମଧ୍ୟ ବିହ୍ୱଳ । ଯୁଦ୍ଧ ଜୟ କରିବାକୁ ସମସ୍ତଙ୍କର ଆକୁଳ ପ୍ରାର୍ଥନା ।

 

ଯଥା ସମୟରେ ମନ୍ଦିରର କାର୍ଯ୍ୟକ୍ରମ ଶେଷ ହେଲା । ମହାପୂଜାରୀ ଚାଲିଗଲେ ନିଜର ବାସ ଭବନକୁ । ଚନ୍ଦ୍ରିକା ଶୀଘ୍ର ଶୀଘ୍ର ଯାଇ କକ୍ଷରେ ପହଞ୍ଚିଗଲା । ଚକୋର ଚାଲିଲା ଯୁବରାଜଙ୍କ ନିକଟକୁ । ବସ୍ତ୍ର ପରିବର୍ତ୍ତନ କରି ଚନ୍ଦ୍ରିକା ଅପେକ୍ଷା କଲା ଚନ୍ଦ୍ରର ଆଗମନକୁ ।

 

ଅଳ୍ପ ସମୟ ପରେ ସମ୍ବାଦ ନେଇ ଆସିଗଲା ଚକୋର । ଚନ୍ଦ୍ରିକା କିଛି ପ୍ରଶ୍ନ କରିବା ପୂର୍ବରୁ କହିଲା–ଚାଲ ଚନ୍ଦ୍ରିକା, ଆମେ ଯାଇ ଉଦ୍ୟାନ ମଧ୍ୟରେ ପ୍ରତୀକ୍ଷା କରିବା । ଯୁବରାଜ ନିଶ୍ଚୟ ଆସିବେ ।

 

କିଛି ଦିନ ପାଇଁ ବିଦାୟ ପୂର୍ବରୁ ଶେଷ ମିଳନର ଆଶା ନେଇ ଚନ୍ଦ୍ରିକା ଚାଲିଲା ଚକୋର ସହିତ ।

 

ରାଜ ଉଦ୍ୟାନର ସେହି ପୁରାତନ ଦୃଶ୍ୟ । ସୁବାସିତ କୁସୁମ ରାଜି, ମୃଦୁ ମନ୍ଦ ପବନ, କିଛି ହେଲେ ମନକୁ ଉଲ୍ଲସିତ କରିପାରୁ ନାହିଁ । ଏଇ ଦୃଶ୍ୟତ ମନ ମଧ୍ୟରେ କରି ପାରୁଥିଲା ଅପୂର୍ବ ପୁଲକର ସଞ୍ଚାର । କିନ୍ତୁ ଆଜି ତା'ର ସେ ସାମର୍ଥ୍ୟ ନାହିଁ । ପ୍ରିୟତମର ଭବିଷ୍ୟତ ବିଚ୍ଛେଦ ହୃଦୟ ମଧ୍ୟରେ ଭରି ଦେଇଛି ଅବ୍ୟକ୍ତ ବେଦନା । ଚନ୍ଦ୍ରିକା ଏବଂ ଚକୋର ଦୋଳି ନିକଟକୁ ଆସିଗଲେ । ଆଜି ଆଉ ଦୋଳିରେ ଝୁଲିବାକୁ ଆଗ୍ରହ ନାହିଁ । ଦୁହେଁ ଦୋଳି ନିକଟରେ ଦୁଇଟି ଶିଳାଖଣ୍ଡ ଉପରେ ବସି ପଡ଼ିଲେ । କାହାରି ମୁଖରେ ଭାଷା ନାହିଁ । କିଛି ସମୟ ପରେ ଚକୋର ମୌନ ଭଙ୍ଗ କଲା ।

 

: ଚନ୍ଦ୍ରିକା...

 

: କଅଣ କହୁଛ ଚକୋର ?

: କେତେକ କହନ୍ତି ଯେ ମନୁଷ୍ୟ ପରିସ୍ଥିତିର ଦାସ; କିନ୍ତୁ ଧୈର୍ଯ୍ୟ, ସାହସ ଆଉ ବୁଦ୍ଧି ବଳରେ ଯେ ପରିସ୍ଥିତିକୁ ନିଜର ଅନୁକୂଳ କରିନେଇ ପାରିଲା ସେ ଅସାଧାରଣ ବ୍ୟକ୍ତି । ବିଷମ ପରିସ୍ଥିତିରେ ଯେ ଧୈର୍ଯ୍ୟହରା ହେଲା, ତା'ର ଭାଗ୍ୟରେ କେବଳ ଦୁଃଖ ହିଁ ଲାଗି ରହିବ ।

: ତୁମେ ଯାହା କହୁଚ ଚକୋର, ମୁଁ ହୃଦୟଙ୍ଗମ କରୁଛି । ମାତ୍ର ମୋ ପକ୍ଷରେ ଏପରି ଅନୁଭୂତି ପ୍ରଥମ । ତେଣୁ ମୁଁ ଯେ କଅଣ କରିବି କିଛି ସ୍ଥିର କରିପାରୁନାହିଁ ।

: ସ୍ଥିରତା ହଠାତ୍ ଆସେ ନାହିଁ ଚନ୍ଦ୍ରିକା । ସମସ୍ତ ଶକ୍ତିର ଉର୍ଦ୍ଧ୍ୱରେ ଆଧ୍ୟାତ୍ମିକ ଶକ୍ତି । ତୁମେ କାଲିଠାରୁ ଅଧିକାଂଶ ସମୟ ଦେବୀ ଯୋଗମାୟାଙ୍କ ମନ୍ଦିରରେ ଅତିବାହିତ କର । ଦେବୀଙ୍କର ସେବା, ସ୍ତୁତି, ପ୍ରାର୍ଥନା ଓ ଧ୍ୟାନ ଦ୍ୱାରା ମନକୁ ଆୟତ୍ତ କରିବାକୁ ଚେଷ୍ଟା କର । ମୋର ବିଶ୍ୱାସ ଦିନେ ଦୁଇ ଦିନ ମଧ୍ୟରେ ତୁମେ ଆତ୍ମିକ ବଳ ଅନୁଭବ କରିବ । ଦେବୀ ସନ୍ତୁଷ୍ଟ ହେଲେ ଅନେକ ଅସାଧ୍ୟ କାର୍ଯ୍ୟ ସାଧିତ ହୋଇପାରିବ, ଏଥିରେ ସନ୍ଦେହ ନାହିଁ ।

ଏକାକୀ ବହୁ ସମୟ ମନ୍ଦିରରେ କିମ୍ବା ସମ୍ମୁ ଖସ୍ଥ ମଣ୍ଡପରେ ବ୍ୟୟିତ କରିବା ମୋ ପକ୍ଷରେ କଷ୍ଟସାଧ୍ୟ ହେବ ଚକୋର !

: ନା...ନା ମୁଁ ତା କହୁ ନାହିଁ । ମୁଁ ମଧ୍ୟ ତୁମ ସହିତ ସେଠାରେ ସର୍ବଦା ଉପସ୍ଥିତ ରହିବି । ପୁଷ୍ପ ଚୟନରେ, ମାଳା ଗୁନ୍ଥିବାରେ ତୁମକୁ ସାହାଯ୍ୟ କରିବି । ତୁମେ ଯେ ଏକାକୀ ଅଛ, ଏହା କେବେ ହେଲେ ଅନୁଭବ କରାଇ ଦେବୀ ନାହିଁ ।

ଯୁବରାଜ ଆସିବାର ପଦଶବ୍ଦ ଶୁଣାଇ ଦେଲା । ଉତ୍କଣ୍ଠାର ସହ ପ୍ରିୟ ମିଳନ ପାଇଁ ଯେଉଁ ପ୍ରତୀକ୍ଷା ତା'ର ଅବସାନ ହେଲା । ଦୂରରୁ ଯୁବରାଜଙ୍କୁ ଦେଖି ଚନ୍ଦ୍ରିକା ଆଉ ଚକୋର ନିଶ୍ଚଳ ଭାବରେ ଦଣ୍ଡାୟମାନ ହେଲେ । ଯୁବରାଜ ସେଠାରେ ପହଞ୍ଚିବା ମାତ୍ରେକେ ଚନ୍ଦ୍ରିକା ପାଦ ସ୍ପର୍ଶ କରି ଧୀର ସ୍ଥିର ହୋଇ ଠିଆ ହେଲା । ଚକୋର ମଧ୍ୟ ଅଭିବାଦନ ଜଣାଇଲା ।

ଚକୋର କହିଲା-ଯୁବରାଜ, ଆପଣ ବାର୍ତ୍ତାଳାପ କରନ୍ତୁ ମୁଁ ସରୋବରରୁ ଜଳପାନ କରି ଆସୁଛି । କେତେବେଳୁ ତୃଷା ଲାଗିଲାଣି, ମାତ୍ର ଆପଣଙ୍କ ପ୍ରତୀକ୍ଷାରେ...

: ହେଉ ଯାଅ, ଶୀଘ୍ର ଲେଉଟି ଆସିବ ।

ଚକୋର ଚାଲିଗଲା । ଚନ୍ଦ୍ରିକାର ହାତ ଧରି ଶିଳାଖଣ୍ଡ ଉପରେ ବସାଇଦେଲେ ଯୁବରାଜ । ଚନ୍ଦ୍ରିକା ଏକଲୟରେ ନିର୍ବାକ ରୂପେ ଚାହିଁଥାଏ ଋତୁପର୍ଣ୍ଣଙ୍କ ମୁଖ ମଣ୍ଡଳକୁ । ସତେ ଯେପରି ତାର ନେତ୍ର ପିତୁଳା ଦୁଇଟି ପଥରରେ ପରିଣତ ହୋଇଯାଇଛି ।

: ଚନ୍ଦ୍ରିକା...

: କୁମାର...

: ମିଳନ ପରେ ବିଚ୍ଛେଦ କିପରି କଷ୍ଟ ଦାୟକ ତା ପ୍ରଥମ କରି ଅନୁଭବ କରୁଛି । ବୀର ବସନ୍ତ ସିନା ଏହିପରି ? ଗୋଟାଏ ପଟେ ପ୍ରିୟା ନୁପୁରର ରୁଣ୍ ଝୁଣ୍ ଶଦ୍ଦ, ଅନ୍ୟ ଦିଗରେ ତରବାରିର ଝନତ୍‍କା । ପ୍ରିୟାକୁ ତ୍ୟାଗ କରି ସମରକୁ ଯିବାକୁ ହିଁ ପଡ଼ିବ ।

: କୁମାର, ଯୁଦ୍ଧ ପରିଚାଳନା ନିମିତ୍ତ ମହାରାଜ ପ୍ରସ୍ଥାନ କଲେ କଅଣ ଚଳନ୍ତା ନାହିଁ ?

 

କିନ୍ତୁ ଚନ୍ଦ୍ରିକା, ମୁଁ ସେନାଧିପତିର ଦାୟିତ୍ୱ ବହନ କରିବା ବିଷୟ ରାଜସଭାରେ ସ୍ଥିର ହୋଇସାରିଛି । ଅଗ୍ରଗାମୀ ସୈନ୍ୟ ଦଳ ଚାଲି ଗଲେଣି । ବର୍ତ୍ତମାନ ମୁଁ ପ୍ରସ୍ତୁତ ହୋଇସାରିଛି । କେବଳ ତୁମଠାରୁ ବିଦାୟ ନେବାକୁ ଆସିଛି । ଏ ପରିସ୍ଥିତିରେ ଆଉ କିଛି ପରିବର୍ତ୍ତନ ଅସମ୍ଭବ ।

 

: ବିଦାୟ ଦେବାକୁ ତ ହୃଦୟ ମନା କରୁଛି, କିନ୍ତୁ ପରିସ୍ଥିତି ଯେ ବାଧ୍ୟତା ମୂଳକ । ଯୁଦ୍ଧକୁ ନ ଯାଇ କଅଣ ରହିହେବ ? ସେପରି ସ୍ଥଳେ କେବଳ ଦେବୀଙ୍କୁ ଆଶ୍ରୟ କରି ଆପଣଙ୍କ ଲେଉଟିବା ପଥ ଚାହିଁ ରହିବାକୁ ପଡ଼ିବ । ଆଉ କିଛି ଉପାୟ ନାହିଁ ।

 

ଦୁଇଧାର ଲୁହ ବହି ଆସିଲା ଗଣ୍ଡ ଦେଶକୁ । ନିଜ ହାତରେ ଧୀରେ ପୋଛି ଦେଲେ କୁମାର ।

 

: ଚନ୍ଦ୍ରିକା, ଲୁହ ଝରାଅ ନାହିଁ । ଏ ଅଶ୍ରୁ ବିନ୍ଦୁ ମୋର ଶକ୍ତିକୁ କ୍ଷୀଣ କରିଦେବ । ଧେର୍ଯ୍ୟ ରଖ, ମୋତେ ଦେଖ କିପରି ସମସ୍ତ ସୁଖକୁ କଳାଞ୍ଜଳି ଦେଇ ମାତୃଭୂମିର ରକ୍ଷା ପାଇଁ ସମର ଭୂମିକୁ ବାହାରିଛି ।

 

ଦୁହେଁ ହାତରେ ହାତ ଛନ୍ଦି ସରୋବର ପର୍ଯ୍ୟନ୍ତ ଚାଲିଗଲେ । ମୁଖରେ ଆଉ କିଛି ଭାଷା ନାହିଁ । ବୋଧହୁଏ ବିଚ୍ଛେଦକୁ ସହ୍ୟ କରିବାକୁ ଉଭୟ ଧୈର୍ଯ୍ୟ ସଞ୍ଚୟ କରିବାକୁ ଚେଷ୍ଟା କରୁଛନ୍ତି, କିମ୍ବା ବେଦନାକୁ ବ୍ୟକ୍ତ କରିବାକୁ ଉପଯୁକ୍ତ ଭାଷାର ଅଭାବ ଅନୁଭୂତି ହେଇଛି । କେବଳ ହସ୍ତ ଅଙ୍ଗୁଳିର ସ୍ପର୍ଶ ଶକ୍ତି ମାଧ୍ୟମରେ ହୃଦୟର ଭାବ ଆଦାନ ପ୍ରଦାନ ଚାଲିଛି ।

 

ସରୋବରର ଶେଷ ପାବଚ୍ଛ ଉପରେ ଦୁହେଁ ବସିପଡ଼ିଲେ । ଚକୋର ଯେ ତୃଷା ନିବାରଣ କରିବାକୁ କହି ସରୋବର ପର୍ଯ୍ୟନ୍ତ ଆସିଥିଲା, କେଉଁ ଆଡ଼କୁ ଗଲା ଜଣା ପଡ଼ୁ ନାହିଁ । ଉଭୟେ ଚତୁର୍ଦ୍ଦିଗକୁ ଚାହିଁଲେ କାଳେ ଚକୋର ଆଖ ପାଖରେ ଥିବ । ଚକୋର ଯାଇ ଉଧ୍ୟାନକୁ ଆସିବ ମାର୍ଗରେ ପ୍ରହରୀର କାର୍ଯ୍ୟ କରୁଛି, ସେ କଥା ଯୁବରାଜ କି ଚନ୍ଦ୍ରିକା କେହି ହେଲେ ଜାଣି ନାହାନ୍ତି ।

 

: ଚନ୍ଦ୍ରିକା...

 

: କହନ୍ତୁ ଯୁବରାଜ...

 

: ଦେଖ କୁମୁଦିନିକୁ, କେତେ ଦୂରରେ ଚନ୍ଦ୍ରମା । ସ୍ନେହରେ ବନ୍ଧନ ସମ୍ମୁ ଖରେ ଦୂରତ୍ୱ କିଛି ବାଧା ସୃଷ୍ଟି କରିପାରେନା ।

 

: ଠିକ୍ କହିଛନ୍ତି ଯୁବରାଜ, ଆପଣଙ୍କ ଆଗମନ ପର୍ଯ୍ୟନ୍ତ ମୁଁ ପ୍ରତିକ୍ଷାର ଦୀପାଳି ଜାଳି ଦେବୀ ଯୋଗମାୟାଙ୍କ ମନ୍ଦିରରେ ରହିଥିବି ।

 

: ଉତ୍ତମ ବିଚାର ।

 

ଚାରୁ ଚନ୍ଦ୍ରିକାର ବାମହସ୍ତଟି ଧରି ଅନାମିକା ଅଙ୍ଗୁଳିରେ ନିଜର ରତ୍ନ ମୁଦ୍ରିକାଟି ପିନ୍ଧାଇ ଦେଲେ ଯୁବରାଜ ଋତୁପର୍ଣ୍ଣ । ଦୁଇଟି ହୃଦୟର ମିଳନ ଦୃଶ୍ୟ ଦେଖୁଥିଲେ ଆକାଶର ଅସଂଖ୍ୟ ତାରକା ସହ ତାରାପତି ।

 

ଆର୍ଯ୍ୟ ସମ୍ରାଟ ତ୍ରିଭୁବନ ଦେବଙ୍କ ଶିବିର ମଧ୍ୟରେ ବସିଛି ଗୁପ୍ତ ମନ୍ତ୍ରଣା ସଭା । ଅର୍ଦ୍ଧ ଚନ୍ଦ୍ରାକାର ଭାବରେ ବସିଛନ୍ତି ସେନାପତି, ଯୁଗ୍ମସେନାପତି, ଉପସେନା ନାୟକ ଏବଂ ଅଧିନାୟକଗଣ । ତ୍ରିଭୁବନ ଦେବ ସମସ୍ତଙ୍କ ସମ୍ମୁଖରେ ବସିଛନ୍ତି ।

 

ଅତ୍ୟନ୍ତ ଗୁପ୍ତ ରୀତିରେ ଯୁଦ୍ଧ ନିମିତ୍ତ ପ୍ରସ୍ତୁତି ଚାଲିଛି । ରାଜଦୂତକୁ ଦ୍ରାବିଡ଼ରାଜାଙ୍କ ପାଖକୁ ପଠାଇବା ପରେ ମଧ୍ୟ ଆର୍ଯ୍ୟ ସମ୍ରାଟଙ୍କର ପ୍ରସ୍ତୁତି ଚାଲିଛି । ସେ ଜାଣନ୍ତି ଯେ ଦ୍ରାବିଡ଼ ରାଜ ସହଜରେ ତାଙ୍କର ପ୍ରସ୍ତାବକୁ ଗ୍ରହଣ କରିବେ ନାହିଁ । ତେଣୁ ଶାନ୍ତି ବାତ୍ତାଳାପ ଚାଲିବା ସଙ୍ଗେ ସଙ୍ଗେ ସମର ପ୍ରସ୍ତୁତି ମଧ୍ୟ ଚଳାଇବା ତାଙ୍କ ରାଜନୀତିର ଏକ ଅଂଶ ବିଶେଷ ।

 

ନୂତନ ଯୁଗ୍ମ ସେନାଧ୍ୟକ୍ଷ ପୁଷ୍ପକେତୁ ଆଉ ସାଧାରଣ ବେଶଭୂଷାରେ ନାହିଁ । ମୂଲ୍ୟବାନ ବସ୍ତ୍ର ପରିଧାନ କରିଥିବାରୁ ତା'ର ବ୍ୟକ୍ତିତ୍ୱ ଆହୁରି ଦିପ୍ତିମନ୍ତ ଦେଖାଯାଉଛି । ମହାରାଜ ତ୍ରିଭୁବନ ଦେବଙ୍କ ବାମ ପାର୍ଶ୍ଵରେ ବସିଛି ପୁଷ୍ପକେତୁ ।

 

ମନ୍ତ୍ରଣାଶିବିର ଚତୁର୍ଦ୍ଦିଗରେ ସୈନିକ ମାନେ ପହରା ଦେଉଛନ୍ତି । ଏଇ କେତେ ଦିନ ଆର୍ଯ୍ୟ ମହାରାଜଙ୍କ ସମ୍ପର୍କରେ ରହିବା ଫଳରେ ପୁଷ୍ପକେତୁର ଚାଲିଚଳନ, ପ୍ରତ୍ୟୁତପନ୍ନମତିସମ୍ପନ୍ନ ବାର୍ତ୍ତାଳାପ ଦ୍ୱାରା ମହାରାଜ ଅତ୍ୟନ୍ତ ପ୍ରଭାବିତ । ପୁଷ୍ପକେତୁ ଯେ ସାଧାରଣତ କିରାତ ଯୁବକ, ଏ ବିଷୟରେ ତାଙ୍କର ସନ୍ଦେହ ଜାତ ହୋଇଛି । ତ୍ରିଭୁବନ ଦେବ ସମସ୍ତଙ୍କ ଉପରେ ଟିକିଏ ବିହଙ୍ଗମ ଦୃଷ୍ଟିପାତ କରି କହିଲେ—

 

: ଦ୍ରାବିଡ଼ ରାଜାଙ୍କ ନିକଟରୁ ଏପର୍ଯ୍ୟନ୍ତ ଆମ୍ଭର ଦୂତ ଲେଉଟିଲା ନାହିଁ । ଏଣେ ଗୁପ୍ତଚର ଠାରୁ ସମ୍ଭାଳି ମିଳିଲା ଯେ ଦ୍ରାବିଡ଼ ସେନା ଆସି ଏଠାରୁ ପ୍ରାୟ ଦୁଇ ଯୋଜନ ଦୂରରେ ପହଞ୍ଚି ଗଲେଣି । ସେମାନେ ଆଉ କିଛି ବାଟ ଆସିବା ପରେ ସେମାନଙ୍କର ଶିବିର ନିର୍ମାଣ କରିବେ ।

 

: କିନ୍ତୁ ମହାରାଜ, ଆମର ଦୂତ ନ ଆସିବା ପୂର୍ବରୁ ଦ୍ରାବିଡ଼ ସେନା ଏତେ ଶୀଘ୍ର ଆସିଗଲେ କିପରି ?

 

: ନିଶ୍ଚିତ ରୂପେ କିଛି କହିବା କଷ୍ଟକର । ଆମର ରାଜଦୂତକୁ ସେମାନେ ବନ୍ଦୀ କରିଥିବେ, ନଚେତ୍ ଅରଣ୍ୟ ମଧ୍ୟରେ କୌଣସି ଗୁପ୍ତ ମାର୍ଗ ରହିଛି ।

 

ପୁଷ୍ପକେତୁର ମୁଖ ମଣ୍ଡଳରେ ପ୍ରସନ୍ନତାର ଚିହ୍ନ ଫୁଟି ଉଠିଲା ।

 

: ମହାରାଜ, ଆମର ପ୍ରତିପକ୍ଷ ଯେତେବେଳେ ଯୁଦ୍ଧକୁ ଆସିଗଲେଣି, ସେତେବେଳେ ଆମେ ଆଉ ଅନ୍ୟ କଥା ଚିନ୍ତା ନ କରି ସମର କୌଶଳ ସ୍ଥିର କରିବା ଏକାନ୍ତ ଆବଶ୍ୟକ ।

 

: ଉଚିତ୍ କଥନ ତୁମର; ତେବେ ଦ୍ରାବିଡ଼ ସେନାର ପ୍ରକୃତ ସଞ୍ଚାଳକ କିଏ ଏ ପର୍ଯ୍ୟନ୍ତ ଜଣାପଡ଼ିଲା ନାହିଁ ।

 

ଗୁପ୍ତଚର ଅଧ୍ୟକ୍ଷ କହି ଉଠିଲେ : ମହାରାଜ, ରାଜ ପରିବାରର କେହି ସୁଯୋଗ୍ୟ ସଞ୍ଚାଳକ ଏହାର ଦାୟିତ୍ୱ ବହନ କରିଛନ୍ତି, କିନ୍ତୁ ଏ ପର୍ଯ୍ୟନ୍ତ ସେ ଆସି ନାହାନ୍ତି । ମହାରାଜ କହିଲେ ।

 

: ସେମାନଙ୍କର ସୈନ୍ୟବାହିନୀ ତ ଆମ ସୈନ୍ୟ ବାହିନୀର ଅର୍ଦ୍ଧେକ ହେବେ ।

 

: ମହାରାଜ, ବର୍ତ୍ତମାନ ସୁଦ୍ଧା ଯେତିକି ସୈନିକ ଆସିଛନ୍ତି, ସେମାନଙ୍କ ବ୍ୟତୀତ ଆହୁରି ସୈନ୍ୟ ପଶ୍ଚାତ୍ ଭାଗରେ ଲୁକ୍‍କାୟିତ ଅବସ୍ଥାରେ ଅଛନ୍ତି । ତେଣୁ ସେମାନଙ୍କର ପ୍ରକୃତ ସୈନ୍ୟ ଶକ୍ତି ଏ ପର୍ଯ୍ୟନ୍ତ କଳନା କରାଯାଇପାରିନାହିଁ ।

 

ଶିବିର ଦ୍ୱାର ଦେଶରେ ରାଜଦୂତ ଆସି ଅଭିବାଦନ ଜଣାଇଲା ।

 

: ଆସ, ଭିତରକୁ ଆସ, କଅଣ ସମାଚାର ?

 

ରାଜଦୂତ ଶିବିର ମଧ୍ୟକୁ ଆସି କିଛି ଦୂରରେ ଦଣ୍ଡାୟମାନ ହେଲା ।

 

: ମହାରାଜ, ଦ୍ରାବିଡ଼ ରାଜା ଆପଣଙ୍କର ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ତା ସଙ୍ଗେ ସଙ୍ଗେ ଆମର ଧର୍ମ, ସଭ୍ୟତା ଆଉ ସଂସ୍କୃତିର କଟୁ ସମାଲୋଚନା କରି ଯୁବରାଜ ଏବଂ ସଭାସଦବର୍ଗ ଅନେକ କଥା କହିଛନ୍ତି ।

 

: ତା ହେଲେ, ଯୁଦ୍ଧ ଅନିବାର୍ଯ୍ୟ । ଗୋଟାଏ କଥା, ତୁମେ ଏଠାରେ ପହଞ୍ଚିବା ପୂର୍ବରୁ ଦ୍ରାବିଡ଼ ସେନା ପହଞ୍ଚିଗଲେ କିପରି !

 

: ମହାରାଜ ମୁଁ ମଧ୍ୟ ଆଶ୍ଚର୍ଯ୍ୟ ହେଉଛି । ମୋ ଠାରୁ ସମ୍ବାଦ ପାଇବା ପରେ ଏତେ ଅଳ୍ପ ସମୟ ପରେ ଯେ ଦ୍ରାବିଡ଼ ସେନା ପ୍ରସ୍ତୁତ ହୋଇଯିବେ, ମୁଁ କେବେ ଅନୁମାନ କରି ନ ଥିଲି । ସେମାନଙ୍କର ଆଗମନ ତ ଆହୁରି ଆଶ୍ଚର୍ଯ୍ୟ ଜନକ । ମୁଁ ଭାବୁଛି ଘନ ଅରଣ୍ୟ ମଧ୍ୟରେ କୌଣସି ଏକ ଗୁପ୍ତ ମାର୍ଗ ରହିଛି ।

 

: ତୁମର ଅନୁମାନ ଯଥାର୍ଥ । ମୁଁ ଭାବୁଛି ଦୁଇଦିନ ମଧ୍ୟରେ ଦ୍ରାବିଡ଼ ସେନା ଯୁଦ୍ଧ ନିମିତ୍ତ ପ୍ରସ୍ତୁତ ହୋଇଯିବେ । ତେଣୁ ଆସନ୍ତା କାଲି ସନ୍ଧ୍ୟା ସୁଦ୍ଧା ଆମର ସୈନିକମାନେ ପ୍ରସ୍ତୁତ ହେବା ଆବଶ୍ୟକ । ତାହେଲେ ଆକ୍ରମଣ କିମ୍ବା ପ୍ରତିରକ୍ଷା କେଉଁଥିରେ ହେଲେ ଆମେ ନ୍ୟୂନ ରହିବା ନାହିଁ-

 

ଆର୍ଯ୍ୟମାନଙ୍କର ସୈନ୍ୟ ଛାଉଣୀଠାରୁ ପ୍ରାୟ ଅର୍ଦ୍ଧ ଯୋଜନ ଦୂରରେ ଦ୍ରାବିଡ଼ ସେନାର ଶିବିର । ପାର୍ବତୀୟ ଉପତ୍ୟକାର ଗୋଟିଏ କ୍ଷୁଦ୍ର ଝରଣା ନିକଟରେ ସେନାପତି, ସେନାଧିପତି ଆଦିଙ୍କର ଶିବିର ନିର୍ମିତ ହୋଇଛି ।

 

ଆର୍ଯ୍ୟସେନାର ଅର୍ଦ୍ଧେକ ପ୍ରାୟ ଦ୍ରାବିଡ଼ ସେନା; ତଥାପି ସେମାନଙ୍କର ମନବଳ ଦୃଢ଼ । କେତେ ବର୍ଷ ହେଲା ପାର୍ଶ୍ୱବର୍ତ୍ତୀ କୌଣସି ରାଜ୍ୟ ସହିତ ଯୁଦ୍ଧ ହୋଇ ନାହିଁ । କେବଳ ସମର ଅଭ୍ୟାସ କରିବା ଏବଂ ଖାଇ ପିଇ ବିଶ୍ରାମ କରିବା ଫଳରେ ସେମାନଙ୍କର ଶରୀରରେ ଅଫୁରନ୍ତ ଶକ୍ତି ଏବଂ ଯୁଦ୍ଧ ନିମିତ୍ତ ମନରେ ଭରିଯାଇଛି ପ୍ରବଳ ଆଗ୍ରହ ।

 

ଅପରାହ୍ନରେ ଯୁବରାଜ ଋତୁପର୍ଣ୍ଣ ତାଙ୍କ ଶିବିରରେ ପଦାର୍ପଣ କଲେ । ତାଙ୍କର ଆଗମନକୁ ଗୁପ୍ତ ରଖାଯାଇଛି । କେବଳ ସେନାପତି ଏବଂ ଅଧିନାୟକଗଣ ଯୁବରାଜଙ୍କ ଉପସ୍ଥିତି ବିଷୟ ଜାଣନ୍ତି ।

 

ରାତ୍ରିର ପ୍ରଥମ ପ୍ରହରରେ ଯୁବରାଜଙ୍କ ଶିବିରରେ ମନ୍ତ୍ରଣା ସଭା ବସିଛି । ଅଳ୍ପ କେତେକ ସୈନିକ ଉଚ୍ଚ ପଦାଧିକାରୀ ସେ ସଭାରେ ଉପସ୍ଥିତ ଅଛନ୍ତି । ଯୁବରାଜ ଋତୁପର୍ଣ୍ଣ ସମସ୍ତଙ୍କୁ ସମ୍ବୋଧିତ କରି କହିଲେ ।

 

: ଦେଶପ୍ରେମୀ ବୀରବୃନ୍ଦ, ଆଜି ଦ୍ରାବିଡ଼ ସଭ୍ୟତାର ମନ ରକ୍ଷା କରିବା ନିମିତ୍ତ ସମସ୍ତେ ରଣାଙ୍ଗନରେ ଅବତୀର୍ଣ୍ଣ । ମନେରଖନ୍ତୁ ଯେ ପର୍ଯ୍ୟନ୍ତ ସେନାର ଶେଷ ଯୋଦ୍ଧା ବୀରଗତିକୁ ପ୍ରାପ୍ତ ନ ହୋଇଛି, ସେ ପର୍ଯ୍ୟନ୍ତ ଯୁଦ୍ଧ ଚାଲିବ । ଆମ ଶକ୍ତିର ଉତ୍ସ ଦେବୀ ଯୋଗମାୟା, ସକଳ ଶକ୍ତିର ଆଧାର । ତେଣୁ ଆମଠାରୁ ସଂଖ୍ୟାଧିକ ଆର୍ଯ୍ୟ ସେନାପତି ଆମର ତିଳେ ହେଲେ ଭୟ ନାହିଁ । ସେମାନଙ୍କ ପାଖରେ ଅସ୍ତ୍ର ଶସ୍ତ୍ର ମଧ୍ୟ ଅଧିକ ରହିଛି ।

 

ଦ୍ରାବିଡ଼ ସେନାପତି ମୁର୍ଗେସନ୍‍ କହି ଉଠିଲେ ।

 

: ଯୁବରାଜ ଆପଣଙ୍କ କଥନ ସତ୍ୟ । ସେମାନେ ସଂଖ୍ୟାରେ ଅଧିକ ଏବଂ ଅସ୍ତ୍ର ଶସ୍ତ୍ର ବଳରେ ମଧ୍ୟ ବଳିୟାନ । ଏ ଯୁଦ୍ଧକ୍ଷେତ୍ର ଆମ ପରୀକ୍ଷାର ସ୍ଥଳ । ଆମେ ଯଦି ଧୈର୍ଯ୍ୟ ସାହସକୁ ତ୍ୟାଗ କରି ଭୀରୁ ହେବା ତେବେ ଆମର ସ୍ୱତନ୍ତ୍ରତା ଛିନ୍ନ ଭିନ୍ନ ହୋଇଯିବ । ମାତୃଭୂମିର ରକ୍ଷାନିମିତ୍ତ ଆମେ ଆତ୍ମବଳି ଦେବାକୁ ପ୍ରସ୍ତୁତ ।

 

: ଧନ୍ୟ ସେନାପତି, ଆପଣଙ୍କଠାରୁ ଦେଶ ଆଶାକରେ ଦକ୍ଷ ଓ ସାହସର ସହ ସୈନ୍ୟ ଚାଳନା । ମୁଁ କେବଳ ନାମ ମାତ୍ର ସେନାଧିପତି । ମହାପୂଜାରୀଙ୍କ ପରାମର୍ଶ ବଳରେ ମହାରାଜ ଆଜ୍ଞା ଦେଇଛନ୍ତି ଯେ ଏହି ଶିବିର ମଧ୍ୟରେ ଗୁପ୍ତରେ ରହି ମୁଁ ଯୁଦ୍ଧ ପରିଚାଳନା କରିବି; କିନ୍ତୁ ପ୍ରକୃତ କ୍ଷେତ୍ର ଉପରେ ଆପଣମାନଙ୍କ ବୀରତ୍ୱ ଏ ଦେଶକୁ ରକ୍ଷା କରିବ । ପିତାଙ୍କ ଆଦେଶ, ଅତି ଆବଶ୍ୟକ ସ୍ଥଳେ ମୁଁ ନିଜକୁ ପ୍ରକଟ କରି ସମ୍ମୁଖ ସମରକୁ ଯିବି ।

 

: ଆପଣ ନିଶ୍ଚିନ୍ତରେ ଗୁପ୍ତରୂପେ ରହି ପରିଚାଳନା ନିର୍ଦ୍ଦେଶ ମୋ ପାଖକୁ ପଠାଇବେ । ଯୁଦ୍ଧ କ୍ଷେତ୍ରରେ ପ୍ରତ୍ୟେକ ସମାଚାର ଆପଣଙ୍କୁ ବାରମ୍ବାର ପ୍ରାପ୍ତ ହେଉଥିବ ।

 

: ତା'ହେଲେ କାଲି ପ୍ରଭାତରୁ ଆକ୍ରମଣ ନିମିତ୍ତ ଆମର ସେନା ପ୍ରସ୍ତୁତ ହେବା ଆବଶ୍ୟକ ।

 

ଯୁବରାଜଙ୍କୁ ଯଥାରୀତି ସମ୍ମାନ ଜଣାଇ ସୈନିକ ପଦାଧିକାରୀଗଣ ଆୟୋଜନ ନିମିତ୍ତ ପ୍ରସ୍ଥାନ କଲେ ।

 

କେତେକ କହନ୍ତି ସ୍ନେହ, ଶ୍ରଦ୍ଧା, ପ୍ରେମ କରାଯାଏ ନାହିଁ, ସ୍ୱତଃ ହୋଇଯାଏ । କୌଣସି କ୍ଷେତ୍ରରେ ଏହା ଅସତ୍ୟ ହୋଇପାରେ, କିନ୍ତୁ ଆର୍ଯ୍ୟ ସମ୍ରାଟ ତ୍ରିଭୁବନ ଦେବଙ୍କ ଅପୂର୍ବ ସୁନ୍ଦରୀ କନ୍ୟା ଅନଙ୍ଗ ରେଖା ଏବଂ ନୂତନ ସେନାପତି ପୁଷ୍ପକେତୁଙ୍କ ସମ୍ପର୍କରେ ଏହା ଅକ୍ଷରେ ଅକ୍ଷରେ ସତ୍ୟ ।

 

ରାତ୍ରିରେ ଗୁପ୍ତଚର ବାହିନୀରେ ସୈନିକମାନେ କେଉଁଠି କେଉଁଠି ଲୁକ୍‍କାୟିତ ଭାବରେ ରହି ପାରିବେ, ସେସବୁ ସ୍ଥାନ ସ୍ୱୟଂ ପୁଷ୍ପକେତୁ ବୁଲି ବୁଲି ସ୍ଥିର କରି ଚାଲିଛନ୍ତି ।

 

ଗୋଟିଏ ପାର୍ବତୀୟ କ୍ଷୁଦ୍ର ଝରଣା ନିକଟରେ । ଘଞ୍ଚ ବୃକ୍ଷଲତା ଉହାଡ଼ରୁ ଦୁଇଜଣ ସହଚରୀଙ୍କ ସହ ବାହାରି ଆସିଲା ଅନଙ୍ଗ ରେଖା ତିନିଜଣ ବୀର ବେଶରେ ସଜ୍ଜିତା । କଟି ପ୍ରଦେଶରୁ ଝୁଲୁଛି ତରବାରି; ହାତରେ ବର୍ଚ୍ଛାଧରି ତିନି ଜଣ ଚାଲି ଆସୁଛନ୍ତି ।

 

ଆକସ୍ମିକ ସାକ୍ଷାତ ଅଳ୍ପ ସମୟ ନିମିତ୍ତ । ତା'ମଧ୍ୟରେ ଥରେ ଦୁଇଥର ମାତ୍ର ଚାରିଚକ୍ଷୁର ମିଳନ । ଉଭୟ ସେତିକିରେ ହୋଇପଡ଼ିଲେ ପରସ୍ପର ପ୍ରତି ଆକୃଷ୍ଟ । ଦୁହିଁଙ୍କର ମୁଖରୁ ଝରିଲା ସ୍ନେହସିକ୍ତ ବଚନ ।

 

ପୁଷ୍ପକେତୁ ଲେଉଟି ଆସିଲେ ନିଜ ଶିବିରକୁ । ଅନଙ୍ଗରେଖାକୁ ଦେଖିବା ସମୟରୁ ତାଙ୍କ ମନର ଭଲପାଇବାର କାଉଁରୀ କାଠି କିଏ ଛୁଆଁଇ ଦେଇଛି । କୌଣସି କାର୍ଯ୍ୟରେ ମନ ଲାଗୁ ନାହିଁ । ଯେଉଁ ଦିଗକୁ ଚାହିଁଲେ ସେ ଦିଗରେ ଅନଙ୍ଗ ରେଖାର ରୂପ ଦେଖାଯାଉଛି । ତା'ର ହସ ହସ ବଦନ, ସୁଲଳିତ କଣ୍ଠସ୍ୱର, ସରଳତା ପୂର୍ବକ ପ୍ରଶ୍ନ ପଚାରିବାର ଭଙ୍ଗୀ ସବୁକିଛି ମାନସ ପଟରେ ଆଙ୍କି ହୋଇଯାଇଛି ।

 

ପିତାମାତାଙ୍କ କଥୋପକଥନରୁ ଅନଙ୍ଗରେଖା ଶୁଣିଥିଲା ପୁଷ୍ପକେତୁର ବୀରତ୍ୱ ସମ୍ପର୍କରେ । ଆଜି କିନ୍ତୁ ସ୍ୱଚକ୍ଷୁରେ ଦର୍ଶନ କଲା ତା'ର ଦୀପ୍ତି ମନ୍ତ ରୂପ ।

 

ପରଦିନ ସନ୍ଧ୍ୟକାଳରେ ପୁନଃ ସେହି ସ୍ଥାନରେ ମିଳନ ଘଟିଲା । ଉଭୟ ସାକ୍ଷାତ ଆଶାରେ ଆସିଥିଲେ । କେହି ଆଗରୁ ବାର୍ତ୍ତା ଦେଇ ମିଳନର ସ୍ଥାନ ଏବଂ ସମୟ ନିରୂପଣ କରି ନ ଥିଲେ । ତେଣୁ ଦ୍ଵିତୀୟ ଥର ମିଳନ ସେମାନଙ୍କର ହୃଦୟର ବନ୍ଧନକୁ ଆହୁରି ଦୃଢ଼ କରିଦେଲା ।

 

ରାଜକୁମାରୀ ଅନଙ୍ଗରେଖା ଯେ ପୁଷ୍ପକେତୁକୁ ଭଲପାଏ, ଏକଥା ମହାରାଣୀ ମେଘମାଳା ଜାଣିପାରିଲେ । କନ୍ୟା ଯେ ମନେ ମନେ ତା’ର ଭାବି ସ୍ୱାମୀ ସ୍ଥିର କରିଛି, ଯେ କି ରୂପ ଏବଂ ଗୁଣରେ ଅତୁଳନୀୟ; ସେଥିରେ ବରଂ ମହାରାଣୀଙ୍କର ଆନନ୍ଦ ଅନେକ ।

 

ମହାରାଣୀ ମନେ ମନେ ଭାବୁଥାଆନ୍ତି ଉପଯୁକ୍ତ ଅବସର ଆସିଲେ ତ୍ରିଭୁବନ ଦେବଙ୍କୁ ଏ ବିଷୟ କହିବେ; କିନ୍ତୁ ଯୁଦ୍ଧ ଯେ ଆସନ୍ନ । ଯୁଦ୍ଧ ପରେ ଏ କଥା ସ୍ଥିର କରାଯିବ ବୋଲି ଭାବି ମହାରାଣୀ ନିଶ୍ଚିନ୍ତ ରହିଲେ ।

 

ପୁଷ୍ପକେତୁ ହୃଦୟରେ ମଧ୍ୟ ଅନୁରୂପ ଭାବନା । ଯୁଦ୍ଧ ସମୟରେ କୌଣସି କାରଣରୁ ଅନ୍ୟମନସ୍କ ହେଲେ ପରାଜୟ କିମ୍ବା ମୃତ୍ୟୁ ଯେ ସୁନିଶ୍ଚିତ; ନିଜ ବିବେକ ବଳରେ ପୁଷ୍ପକେତୁ ସ୍ଥିର କରିନେଲା ଯୁଦ୍ଧରେ ବିଜୟ ଘଟିଲେ ସେ ନିଶ୍ଚୟ ସମ୍ରାଟଙ୍କୁ ପୁରସ୍କାର ମାଗିନେବ କୁମାରୀ ଅନଙ୍ଗ ରେଖାର ପାଣିଗ୍ରହଣ ।

 

ଦୁଇଦିନ ପରେ ପ୍ରଥମେ ଆକ୍ରମଣ ଆରମ୍ଭ କରିଦେଲେ ଆର୍ଯ୍ୟ ସୈନ୍ୟବାହିନୀ । ଦୁଇ ଦିଗରୁ ଦୁଇଦଳ ସୈନ୍ୟ ଆଗେଇ ଚାଲିଲେ ।

 

ପ୍ରାୟ ଏକଘଣ୍ଟା ଅଗ୍ରସର ହେବା ପରେ ଦୁଇଦିଗରେ ସେମାନଙ୍କର ଅଗ୍ରଗତିକୁ ପ୍ରତିରୋଧ କଲେ ଦ୍ରାବିଡ଼ ସେନା ।

 

ଧନୁଶର, ତରବାରି, ବର୍ଚ୍ଛା ଆଉ ଭାଲି କୁନ୍ତ ସାହାଯ୍ୟରେ ଯୁଦ୍ଧ । ପ୍ରଥମ ଦିବସରେ ଉଭୟ ପକ୍ଷରେ ଅପୂର୍ବ ଉନ୍ମାଦ । ମୃତ୍ୟୁ ଯେ ସୈନିକର ବୀରଗତି; ତେଣୁ ମରଣ ପ୍ରତି ତିଳେ ହେଲେ ଭୟ ନ ଥାଏ କାହାରି ମନରେ । ଯୁଦ୍ଧରେ ଜୟ କଲେ ରାଜ୍ୟ ଲାଭ, ଇହ-ଲୋକର ସୁଖ । ରଣାଙ୍ଗନରେ ମୃତ୍ୟୁ ଲଭିଲେ ସ୍ୱର୍ଗ ପ୍ରାପ୍ତି । ସବୁ ଯୁଗରେ ସୈନିକମାନଙ୍କ ହୃଦୟରେ ଏହି ଭାବନା କାର୍ଯ୍ୟ କରି ଆସିଛି ।

 

ଦ୍ରାବିଡ଼ ସେନାପତି ମୁର୍ଗେସନ୍ ଦେଖିଲେ ଗୁପ୍ତଚର ବାହିନୀର ଅଧିନାୟକ ଦ୍ରୁତ ଗତିରେ ଅଶ୍ଵଚାଳନା କରି ତାଙ୍କ ଆଡ଼କୁ ଆସୁଛି ।

 

ଗୁପ୍ତଚର ଅଶ୍ୱରୁ ଅବତରଣ କରି ସେନାପତିଙ୍କୁ ଅଭିବାଦନ ଜଣାଇଲା ।

 

: ଯୁବରାଜଙ୍କର କଅଣ ନିର୍ଦ୍ଦେଶ ?

 

: ମଧ୍ୟ ସ୍ଥଳରୁ ପାଞ୍ଚ ଶତ ସୈନିକ ଉତ୍ତର ପଶ୍ଚିମ ‘ବୈଜାଙ୍ଗ’ ଘାଟି ନିକଟକୁ ପଠାଇ ଦିଅନ୍ତି । ପ୍ରାୟ ଏକ ସହସ୍ର ଶତ୍ରୁ ସୈନ୍ୟ ଗୁପ୍ତରେ ସେହି ପଟେ ଅଗ୍ରସର କରୁଅଛନ୍ତି ।

 

: ଉତ୍ତମ କଥା । ମୁଁ ନାୟକ ଚନ୍ଦ୍ରନ୍‍ର ନେତୃତ୍ୱରେ ସୈନ୍ୟ ପଠାଇବାର ତୁରନ୍ତ ବ୍ୟବସ୍ଥା କରୁଛି ।

 

ସେ ସମୟରେ ପୂର୍ବପଟେ ରଣାଙ୍ଗନରେ ଆର୍ଯ୍ୟ ଦ୍ରାବିଡ଼ ସେନା ମଦୋନ୍ମତ୍ତ ଭାବରେ ଗର୍ଜନ ତର୍ଜନ ସହ ଆକ୍ରମଣ ଚଳାଇଛନ୍ତି ।

 

ଉଭୟ ପକ୍ଷରେ ବୀର ସୈନିକଗଣ ବିଜୟ ପାଇବାର ଇଚ୍ଛା ପୋଷଣ କରି ଭୟଙ୍କରୀ ଯୁଦ୍ଧ ଚଳାଇଛନ୍ତି । କେଉଁଠାରେ ମସ୍ତକ ଭୁଲୁଣ୍ଠିତ ହେଉଅଛି ତ କେଉଁଠାରେ କବନ୍ଧ ନୃତ୍ୟ କରୁଛି । ପିଚ୍ ପିଚ୍ ରକ୍ତଧାରା ଛୁଟୁଛି ଚତୁର୍ଦ୍ଦିଗକୁ । ମୃତ ସୈନିକ ଉପରେ ପାଦ ଦେଇ ଲମ୍ପ ପ୍ରଦାନ କରୁଛି ଜୀବନ୍ତ ରଣ ଉନ୍ମତ୍ତ ସୈନିକ । କରବାଳର ଝନତ୍‍କାର, ଧନୁର୍ଗୁଣର ଝଙ୍କାର, ମାର ମାର ଧରଧର କୋଳାହଳ ଗଗନ ପବନକୁ ମୁଖରିତ କରୁଛି । ବନ୍ୟା ଜନ୍ତୁ ଇତସ୍ତତଃ ଧାବମାନ ହେଉଛନ୍ତି ପ୍ରାଣ ଭୟରେ । ବୃକ୍ଷ ଛାଡ଼ି ପକ୍ଷୀଗଣ ଉଡ଼ି ଯାଉଛନ୍ତି ଦୁରକୁ ।

 

ଦ୍ରାବିଡ଼ ସେନାପତି ପୁଣି ମନରେ କଅଣ ବିଚାର କଲେ । ନିଜ ସ୍ଥାନରେ ଅଧିନାୟକ ଚନ୍ଦ୍ରନକୁ ନେତୃତ୍ୱ ଦେଇ; ପାଞ୍ଚଶତ ସୈନିକ ନେଇ ଚାଲିଗଲେ, ଉତ୍ତର ପଶ୍ଚିମ ଦିଗରେ ଥିବା ‘ବୈଜାଙ୍ଗ’ ଘାଟି ନିକଟକୁ । ଉଭୟ ଦିଗରେ ପ୍ରାଚୀର ସମ ପର୍ବତ । ମଧ୍ୟ ଭାଗରେ ସଂକୀର୍ଣ୍ଣ ପଥ । ସେହି ମାର୍ଗ ଦେଇ ଆଗେଇ ଆସିବେ ଆର୍ଯ୍ୟ ସେନା । ସେନାପତି ମୁର୍ଗେସନ୍ ନିଜର ସୈନ୍ୟଙ୍କୁ ତିନିଭାଗରେ ବିଭକ୍ତ କରିଦେଲେ । ଉଭୟ ପଟ ପର୍ବତ ଉପରେ ଦୁଇଦଳ ରହିଲେ ଲୁକ୍‍କାୟିତ ଭାବରେ । ମାର୍ଗର ସମ୍ମୁଖସ୍ଥ ଶେଷ ଭାଗରେ ପ୍ରାୟ ଏକ ଶତ ପଚାଶ ସୈନ୍ୟ ଜଗି ରହିଲେ ବଡ଼ ବଡ଼ ଶିଳାଖଣ୍ଡ ଏବଂ ବୃକ୍ଷଲତା ଉହାଡ଼ରେ । ପର୍ବତ ଉପରେ ଥିବା ସୈନ୍ୟମାନେ ବଡ଼ ବଡ଼ ଶିଳାଖଣ୍ଡ ଗଡ଼ାଇ ଦେବା ନିମିତ୍ତ ପ୍ରସ୍ତୁତ ହୋଇ ରହିଲେ ।

 

କିଛି ସମୟ ପରେ ଆର୍ଯ୍ୟ ସେନା ପ୍ରବେଶ କଲେ ସଂକୀର୍ଣ୍ଣ ଘାଟି ମାର୍ଗରେ । ସଂପୂର୍ଣ୍ଣ ଦଳଟି ଦୁଇ ପର୍ବତର ମଧ୍ୟରେ ଥିବା ମାର୍ଗରେ କିଛି ଆଗେଇ ଯିବା ପରେ ପର୍ବତର ଉଭୟ ପାର୍ଶର ବଡ଼ ବଡ଼ ଶିଳାଖଣ୍ଡ ଘଡ଼ି ଘଡ଼ି ନାଦ କରି ଗଡ଼ିବାକୁ ଲାଗିଲା । ସମ୍ମୁଖ ଭାଗରେ ଲୁକ୍‍କାୟିତ ଥିବା ସୈନ୍ୟ ଦଳ ତୀର ବର୍ଷା କରିବାକୁ ଲାଗିଲେ ।

 

ଆର୍ଯ୍ୟ ସେନାବାହିନୀରେ କୋଳାହଳ ବୃଦ୍ଧି ପାଇବାକୁ ଲାଗିଲା । ସମସ୍ତେ ପ୍ରାୟ ନିଜର ମାନସିକ ଭାରସାମ୍ୟ ହରାଇ ବସିଲେ । ଓଃ, କି ବିଷମ ପରିସ୍ଥିତି ! ଉଭୟ ପାଶ୍ୱରୁ ବୃହର୍ତ୍ତ ଶିଳା ଖଣ୍ଡ ଗଡ଼ି ଗଡ଼ି ଆସି କେତେ ସୈନିକଙ୍କର ପ୍ରାଣ ନାଶ କଲାଣି । କେତେ ସୈନିକ ଆହତ ଅବସ୍ଥାରେ ପଡ଼ି ଚିତ୍କାର କରୁଛନ୍ତି । ଅନ୍ୟମାନେ କିଂକର୍ତ୍ତବ୍ୟ ବିମୁଢ଼ ଅବସ୍ଥାରେ । କେତେକ ବୃକ୍ଷ ଏବଂ ବିରାଟ ଶିଳାଖଣ୍ଡ ଆଢ଼ୁଆଳରେ ଆତ୍ମରକ୍ଷା ନିମିତ୍ତ ବ୍ୟସ୍ତ । ଏପରି ବିଶୃଙ୍ଖଳା ଉପୁଜିଲା ଯେ ସେନା ଅଧିନାୟକ କାହାକୁ କି ନିର୍ଦ୍ଦେଶ ଦେବେ ସ୍ଥିର କରିପାରୁ ନାହାନ୍ତି ।

 

ତାଙ୍କ ନିର୍ଦ୍ଦେଶକୁ ଭୟରେ ହୃଦୟଙ୍ଗମ କରି କାର୍ଯ୍ୟ କରିବାକୁ ମଧ୍ୟ ଅନ୍ୟମାନଙ୍କର ଧୈର୍ଯ୍ୟ ନାହିଁ । ପ୍ରାୟ ପାଞ୍ଚଶତ ସୈନିକ ମୃତାହତ ହେବ ପରେ ଅନ୍ୟମାନେ ଯେଉଁ ମାର୍ଗରେ ଅଗ୍ରସର ହୋଇଥିଲେ, ପୁଣି ସେହି ମାର୍ଗରେ ପ୍ରାଣ ଘେନି ପଳାୟନ କରିବାକୁ ବାଧ୍ୟ ହେଲେ । ଦ୍ରାବିଡ଼ ସେନା ବାହିନୀର ଜୟ ଧ୍ୱନିରେ ବନ ପର୍ବତ ପ୍ରତିଧ୍ୱନିତ ହେବାକୁ ଲାଗିଲା । ସେନାପତି ମୁର୍ଗେସେନ୍‍ଙ୍କ ଆନନ୍ଦ କହିଲେ ନସରେ । ତାଙ୍କର ଯୋଜନା ଯେ ଉପଯୁକ୍ତ ପ୍ରମାଣିତ ହୋଇଛି । ତେଣୁ ପ୍ରଥମ ଦିବସ ଯୁଦ୍ଧରେ ସେମାନେ ଜୟଲାଭ କରିଛନ୍ତି ।

 

ସୂର୍ଯ୍ୟଦେବ ଅସ୍ତାଚଳ-ଗାମୀ ହେବା କ୍ଷଣି ସେଦିନର ଯୁଦ୍ଧ ଶେଷ ହୋଇ ଆସିଲା ।

 

: ମହାନ୍ ଆଶ୍ଚର୍ଯ୍ୟ—ଅତୀବ ଆଶ୍ଚର୍ଯ୍ୟ; ସେନାପତି, ସୁଶିକ୍ଷିତ ବୀର ଆର୍ଯ୍ୟସେନା ଆଜି ପ୍ରଥମ ଦିବସରେ ପରାଜିତ ! ଆଜିର ସୈନ୍ୟବଳ ଆଉ ଅସ୍ତ୍ରବଳ ସମ୍ମୁଖରେ ଦ୍ରାବିଡ଼ ସେନାର ସୈନ୍ୟବଳ, ଅସ୍ତ୍ରବଳ ପ୍ରାୟ ଅର୍ଦ୍ଧେକ । ତଥାପି....

 

ମହାରାଜା ତ୍ରିଭୁବନ ସେନାପତି, ଯୁଗ୍ମ ସେନାଧ୍ୟକ୍ଷ, ନାୟକ ଅଧିନାୟକଙ୍କ ସହ ପରାମର୍ଶ କରୁଛନ୍ତି ଉଦ୍‍ବିଗ୍ନ ମନରେ । ରାତ୍ରିର ଦ୍ଵିତୀୟ ପ୍ରହରରେ ଚାଲିଛି ମନ୍ତ୍ରଣା । ଶିବିର ଚତୁର୍ଦ୍ଦିଗରେ ସଶସ୍ତ୍ର ପ୍ରହରୀ ଭ୍ରମଣରତ । କାହାରି ମନରେ ହର୍ଷ ନାହିଁ । ସମସ୍ତଙ୍କ ମୁଖ ମଣ୍ଡଳରେ ଉଦ୍‍ବିଗ୍ନତାର ଚିହ୍ନ । ପୁଷ୍ପକେତୁ କହି ଉଠିଲା ।

 

: ମହାରାଜ ଆମର ସମର କୌଶଳରେ କିଛି ପରିବର୍ତ୍ତନ ଆବଶ୍ୟକ । ବୈଜାଙ୍ଗ୍‍ ଘାଟି ମାର୍ଗରେ ଯେ ଆମ୍ଭେମାନେ ଅତର୍କିତ ଆକ୍ରମଣ କରିବା, ଏକଥା ଶତ୍ରୁ ପକ୍ଷ ଏତେ ଶୀଘ୍ର ଜାଣିଲେ କିପରି ! ସେମାନେ ବହୁ ଆଗରୁ ଆସି ଲୁକ୍‍କାୟିତ ଅବସ୍ଥାରେ ରହି-ପାରିଥିଲେ ।

 

: ଅରଣ୍ୟ ପର୍ବତ ମଧ୍ୟ ଦେଇ ଅନେକ ଗୁପ୍ତମାର୍ଗ ରହିଛି । ଆମର ଗୁପ୍ତଚର ସଂଗଠନକୁ ଅଧିକ ସକ୍ରିୟ କରିବାକୁ ପଡ଼ିବ ।

 

ପ୍ରଧାନ ସେନାପତିଙ୍କ ମତାମତ ଶୁଣି ପୁଷ୍ପକେତୁ କହିଲେ :— ତା ସତ୍ୟ ହୋଇପାରେ ତେବେ ଯେତେଦୂର ମୋର ଅନୁମାନ ସେମାନଙ୍କର ଗୁପ୍ତଚର ସାଧାରଣ ମେଷ ପାଳକ ଏକ ଚମରୀଗାଈ ରକ୍ଷକ ବେଶରେ ଆମ ଶିବିରର ଅନତି ଦୂରରେ ଯାତାୟାତ କରୁଛନ୍ତି ।

 

ମହାରାଜ ତ୍ରିଭୁବନ ଦେବ କହିଲେ:–ଆଉ ଗୋଟିଏ ସନ୍ଦେହ, ସେମାନଙ୍କର ପ୍ରକୃତ ସଞ୍ଚାଳକ କିଏ; ଏପର୍ଯ୍ୟନ୍ତ ପ୍ରଚ୍ଛନ୍ନ ଅବସ୍ଥାରେ ଅଛି ।

 

: ମହାରାଜ, ଆସନ୍ତା କାଲି ମଧ୍ୟାହ୍ନ ପୂର୍ବରୁ ମୁଁ ଆପଣଙ୍କର ଏ ସନ୍ଦେହ ଦୂର କରିବାରେ ସମର୍ଥ ହେବି ।

 

ଗୁପ୍ତଚର ନାୟକର କଥା ଶୁଣି ମହାରାଜା ପ୍ରସନ୍ନ ଜଣାପଡ଼ିଲେ ।

 

: କେବଳ ସେତିକି ନୁହେଁ, ଯେଉଁ ମାର୍ଗଦ୍ୱାରା ରାଜଧାନୀ ଅମୃତ ନଗରକୁ ଦ୍ରାବିଡ଼ ସେନା ଏତେ ଶୀଘ୍ର ଆସି ଖଟ୍ୱାଙ୍ଗ ଘାଟି ନିକଟରେ ପହଞ୍ଚି ପାରିଲେ; ସେ ମାର୍ଗ ମଧ୍ୟ ଖୋଜି ବାହାର କରିବାକୁ ପଡ଼ିବ ।

 

ପରଦିନ ଅପରାହ୍ନ ସମୟ । ଯୁବରାଜ ଋତୁପର୍ଣ୍ଣ ଉତ୍‍କଣ୍ଠିତ ଅବସ୍ଥାରେ ଯୁଦ୍ଧର ସମାଚାର ଶୁଣି ପରବର୍ତ୍ତୀ ନିର୍ଦ୍ଦେଶ ଦେବାକୁ ଅପେକ୍ଷା କରିଛନ୍ତି । ଶିବିର ଚତୁର୍ଦ୍ଦିଗରେ ଚାରିଜଣ ସଶସ୍ତ୍ର ପ୍ରହରୀ ଦଣ୍ଡାୟମାନ ।

 

ଅଧିନାୟକ ବାଳଚନ୍ଦ୍ରନ୍ ଆସି ଦ୍ୱାରା ଦେଶକୁ ଅନୁମତି ଯାଚଜ୍ଞ କଲା ।

 

: ଆସ ଚନ୍ଦ୍ରନ ।

 

: ଯୁବରାଜଙ୍କର ଜୟ ହେଉ, ଯୁଗ୍ମ ସେନାପତି ଆପଣଙ୍କର ନିର୍ଦ୍ଦେଶକୁ ଅପେକ୍ଷା କରିଛନ୍ତି ।

 

: କେଉଁ ବିଷୟରେ ।

 

: ଯୁଦ୍ଧ ବନ୍ଦୀମାନଙ୍କ ସମ୍ପର୍କରେ ।

 

: ଯୁଦ୍ଧ ବନ୍ଦୀମାନଙ୍କୁ ନିରସ୍ତ୍ର କରାଯାଇଛି ତ ।

 

: ଆଜ୍ଞା ଯୁବରାଜ !

 

: ଆମ ସୈନିକମାନଙ୍କୁ ଯେପରି ଭୋଜନ ଦିଆଯାଉଛି, ବନ୍ଦୀମାନଙ୍କୁ ସେହିପରି ଭୋଜନ ଦେବା ଉଚିତ୍ । ସେମାନଙ୍କ ସହିତ ସମ୍ମାନ ଜଣକ ବ୍ୟବହାର କରିବା ଆମ ସଭ୍ୟତାର ପରିଚାୟକ ।

 

: ଯଥା ଆଜ୍ଞା ଯୁବରାଜ !

 

: ତୁମର ବୀରତ୍ୱ ଏବଂ ସମର କୌଶଳର ସମାଚାର ମୁଁ ସେନାପତିଙ୍କ ମୁଖରୁ ଶ୍ରବଣ କରିଛି । ଯୁଦ୍ଧ ଶେଷରେ ତୁମକୁ ଉପଯୁକ୍ତ ପୁରସ୍କାର ଦ୍ୱାରା ସମ୍ମାନିତ କରାଯିବ ।

 

: ଉତ୍ତର ଚୟନ ଘାଟିରକ୍ଷା ନିମିତ୍ତ ଅନ୍ତତଃ କେତେ ସୈନ୍ୟ ଆମେ ପଠାଇବା; ସେ ସମ୍ପର୍କରେ କିଛି ନିର୍ଦ୍ଦେଶ ଦିଅନ୍ତୁ ।

 

: ମୁଁ ଭାବୁଛି ଏକଶତ ସୈନିକ ସହ ନାୟକ ବୀର ସ୍ୱାମୀକୁ ସେ ସ୍ଥାନକୁ ପ୍ରେରଣ କରାଯାଉ । ପରେ ପରିସ୍ଥିତିକୁ ଅନୁଧ୍ୟାନ କରି ଆଉ ଯାହା ବ୍ୟବସ୍ଥା କରିବା ।

 

ବାଲ୍‍ଚନ୍ଦ୍ରନ୍ ଆଜ୍ଞା ନେଇ ପ୍ରସ୍ଥାନ କଲା । ଶିବିର ବାହାରକୁ ଦୁଇ ଚାରି ପାଦ ଯାଇଛିକି ନାହିଁ, ପୁନଃ ଆସି ଯୁବରାଜଙ୍କୁ ଅଭିବାଦନ ଜଣାଇଲା ।

 

: କଅଣ ହେଲା ଚନ୍ଦ୍ରନ୍ ?

 

: ବର୍ତ୍ତମାନ ପର୍ଯ୍ୟନ୍ତ ଯୁଦ୍ଧର ସମାଚାର ନେଇ ମହାରାଜାଙ୍କ ନିକଟକୁ କାହାକୁ ପଠାଇବା ?

 

: ଏ ସମ୍ପର୍କରେ ଯୁଗ୍ମ ସେନାଧ୍ୟକ୍ଷ ତୁମକୁ କହିବେ ।

 

ଅଭିବାଦନ ଜଣାଇ ଶିବିର ବାହାରକୁ ନାୟକ ବାଲଚନ୍ଦ୍ରନ୍ ଚାଲିଗଲା । ଯୁବରାଜ କାହାର ପ୍ରତୀକ୍ଷାରେ ବସି ରହିଲେ ଶିବିର ମଧ୍ୟରେ ।

 

ରାଜଧାନୀ ଅମୃତ ନଗର ଉପରେ ଆଜି ମେଘାଚ୍ଛନ୍ନ ଆକାଶ । କୃଷ୍ଣକାୟ ମେଘମାଳା ଚକାଭଉଁରି ଖେଳୁଛି ଅମୃତ ନଗର ଆକାଶରେ । ଦେବୀ ଯୋଗମାୟାଙ୍କ ପ୍ରାଙ୍ଗଣରେ ମେଘମାଳାକୁ ଚାହିଁ ବସିଛି କିନ୍ନରୀ ଚାରୁଚନ୍ଦ୍ରିକା । ଚକୋର କରୁଣା ରାଗରେ ବୀଣା ବାଦନ କରିବା ସଙ୍ଗେ ସଙ୍ଗେ ଗୀତ ଗାଈ ଚାଲିଛି । ଚନ୍ଦ୍ରିକା ନେତ୍ରରୁ ବହି ଆସୁଛି ଅଶ୍ରୁ ଧାର । ମେଘମାଳାରେ ବିଦ୍ୟୁତ୍ ରେଖାର ସଂଚାର ତା’ପ୍ରାଣରେ ଭାବାନ୍ତର ସୃଷ୍ଟି କରୁଛି । ରାଜକୁମାରଙ୍କ ବିଚ୍ଛେଦ ଦୁଃଖ କେବଳ ବେଳ ବଢ଼ି ଚାଲିଛି । ଯୁଦ୍ଧଭୂମିର ସମାଚାର ଶୁଣିବାକୁ ମନ ବ୍ୟାକୁଳ ହୋଇଉଠୁଛି ।

 

ମହାପୂଜାରୀଙ୍କ କଠାଉର ଠକ୍ ଠକ୍ ଶଦ୍ଦ କର୍ଣ୍ଣ ପଟରେ ବାଜିଲା । ବୋଧହୁଏ ମନ୍ଦିର ଆଡ଼କୁ ଆସୁଛନ୍ତି । ଚନ୍ଦ୍ରିକାର ଏକାଗ୍ରତା ଭଗ୍ନ ହେଲା । ରାଜକୁମାରଙ୍କ ସମ୍ପର୍କରେ ଭାବୁଥିବା କଥା କିଛି କ୍ଷଣ ପାଇଁ ବାଧା ପ୍ରାପ୍ତ ହେଲା । ପଣତ କାନିରେ ଅଶ୍ରୁ ପୋଛିଲା ଚନ୍ଦ୍ରିକା । ଚକୋରର ବୀଣା ବାଦନ ବର ହୋଇ ଆସିଲା । ରାଜପ୍ରାସାଦର କିଛି ସମାଚାର ଶୁଣିବା ଉଦ୍ଦେଶ୍ୟରେ ଦୁହେଁ ନିଶ୍ଚଳ ହୋଇ ବସିଲେ ।

 

ମହାପୂଜାରୀ ମନ୍ଦିର ପ୍ରାଙ୍ଗଣକୁ ପ୍ରବେଶ କରିବା କ୍ଷଣି ଦୁଇଜଣ ଉଠି ଅଭିବାଦନ ଜଣାଇଲେ । ଚକୋର ପଚାରି ବସିଲା—

 

: ଗୁରୁଦେବ, ଯୁଦ୍ଧଭୂମିର ସମାଚାର କିଛି ଶୁଣିବାକୁ ପାଇଲେ ?

 

: ନା ଚକୋର ଏଠାରୁ ଯାଇଥିବା ସନ୍ଦେଶ ବାହକ ମଧ୍ୟ ଲେଉଟି ନାହିଁ ?

 

ଚନ୍ଦ୍ରିକାର ମନ ଆହୁରି ଉଦାସ ହୋଇ ଉଠିଲା ।

 

: ମହାରାଜ କିପରି ଅବସ୍ଥାରେ ଅଛନ୍ତି ?

 

: ଚିନ୍ତିତ ମୁଦ୍ରାରେ । ତୁମେ ବର୍ତ୍ତମାନ ବୀଣା ନେଇ ମହାରାଜଙ୍କ ନିକଟକୁ ଯାଅ । ଚେଷ୍ଟା କରିବା ମହାରାଜାଙ୍କ ମନ ପ୍ରସନ୍ନ କରିବା ନିମିତ୍ତ ।

 

ଯୁଗ୍ମ ସେନାଧ୍ୟକ୍ଷଙ୍କ ନିର୍ଦ୍ଦେଶରେ ଦୁଇଜଣ ପାଇକ ସନ୍ଦେଶ ନେଇ ବାହାରିଲେ ରାଜଧାନୀ ଅମୃତ ନଗର ଉଦ୍ଦେଶ୍ୟରେ । ପାଦରେ ରଣପା ଲଗାଇ ସେମାନେ ଦ୍ରୁତ ପଦକ୍ଷେପରେ ଚାଲିବାକୁ ଲାଗିଲେ । ଭୟାନକ ଅରଣ୍ୟ ପଥରେ ମାଡ଼ି ଚାଲିଛନ୍ତି ବୀର ସୈନିକ ଦୁଇଜଣ । ନିଜ ସେନାର କୃତିତ୍ୱ ସମ୍ପର୍କରେ ମହାରାଜାଙ୍କୁ ସମାଚାର ଶୁଣାଇବେ ବୋଲି ମନ ଆହୁରି ଚଞ୍ଚଳ । କୌଣସି ଦିଗକୁ ଲକ୍ଷ ନାହିଁ ଯେ ଯାହାର ଭାବନା ରାଜ୍ୟରେ ବିଚରଣ କରିବା ପାଇଁ ମନକୁ ଛାଡ଼ିଦେଇଛନ୍ତି ।

 

ପ୍ରଥମ ସୈନିକ ଟିକିଏ ଥମିଗଲା । ଅନ୍ୟ ଜଣକ ମଧ୍ୟ ଥମିଯାଇ ପଚାରିଲା

 

: କଅଣ ହେଲା ?

 

: ପୂର୍ବଦିଗକୁ ଟିକେ ଚାହିଁଲ ।

 

ସାଥି ଜଣକ କିଛି ସମୟ ଘନ ଅରଣ୍ୟ ମଧ୍ୟକୁ ଚାହିଁଲା ।

 

: କିଛି ଦେଖିଲ ?

 

: ନା, ଗଛପତ୍ର ବ୍ୟତୀତ ଆଉ କିଛି ତ ଦେଖାଯାଉନି ।

 

: ମୁଁ କିନ୍ତୁ ଅନୁଭବ କଲି କେହି ଜଣେ ଆମ ପିଛା ଧରିଛି ।

 

କିଛି ସମୟ ଦୁହେଁ ନିଶ୍ଚଳ ଭାବରେ ଠିଆହୋଇ ଚତୁର୍ଦ୍ଦିଗକୁ ଚାହିଁଲେ । କୌଣସି ସନ୍ଦେହ ଜଣକ ବସ୍ତୁ ସେମାନଙ୍କର ଦୃଷ୍ଟିଗୋଚର ହେଲା ନାହିଁ । ମଝିରେ ମଝିରେ ପକ୍ଷୀ ମାନଙ୍କର କଳରବ କିମ୍ବା ବନ୍ୟଜନ୍ତୁଙ୍କ ଶଦ୍ଦ ଶୁଣାଯାଉଥାଏ ।

 

: ନା ନା, ତୁମ ମନର ଭ୍ରମ । ଚାଲ ଆମେ ଗନ୍ତବ୍ୟ ପଥରେ ଆଗେଇ ଯିବା ।

 

ଦୁଇଜଣ ସୈନିକ ସାଥି ଧୀରେ ଧୀରେ କିଛି ସମୟ ଅଗ୍ରସର ହେଲେ । ତା’ପରେ ଲତା ଗୁଳ୍ମକୁ ଆଡ଼େଇ ରାଜଧାନୀକୁ ଯାଇଥିବା ଗୁପ୍ତମାର୍ଗର କନ୍ଦରା ଦ୍ୱାର ଦେଶରେ ପହଞ୍ଚିଗଲେ ପୁଣି ଥରେ ଚତୁର୍ଦ୍ଦିଗକୁ ଚାହିଁଲେ ସତର୍କ ଦୃଷ୍ଟିରେ ।

 

: ନା....କିଛି ନାହିଁ, ଚାଲ ଆଗକୁ ।

 

ପ୍ରକୃତରେ ଆର୍ଯ୍ୟ ସେନାର ଜଣେ ଗୁପ୍ତଚର ସେମାନଙ୍କର ପିଛା ଧରିଥିଲା । ସେମାନେ ଯେତେବେଳେ ଲତା ଗୁଳ୍ମ ଆଚ୍ଛାଦିତ କନ୍ଦରା ମାର୍ଗରେ ପ୍ରବେଶ କରିଗଲେ, ସେତେବେଳେ ସେ ଅଦୂରରେ ରହି ଗତିବିଧି ନିରୀକ୍ଷଣ କରୁଥିଲା । ଆର୍ଯ୍ୟ ସେନାର ଗୁପ୍ତଚର ଦେଖିଲା ଯେ ଦ୍ରାବିଡ଼ ସୈନିକ ଦୁଇଜଣ ଯେଉଁ ବୃକ୍ଷ ଗହଳ ମଧ୍ୟରେ ପ୍ରବେଶ କଲେ । ବହୁ ସମୟ ପର୍ଯ୍ୟନ୍ତ ଆଉ ଲେଉଟିଲେ ନାହିଁ । ତେଣୁ ଆର୍ଯ୍ୟ ସେନାର ଗୁପ୍ତଚର ମଧ୍ୟ ସେହି ବୃକ୍ଷ ଲତା ଆଚ୍ଛାଦିତ ବଡ଼ ବଡ଼ ଶିଳାଖଣ୍ଡ ନିକଟକୁ ଗଲା । ଯାହା ଦେଖିଲା, ସେଥିରେ ତାର ହର୍ଷର ସୀମା ରହିଲା ନାହିଁ । ବହୁ ପରିଶ୍ରମ ପରେ ଆଜି ସେ ଗୁପ୍ତ ମାର୍ଗର ଦ୍ୱାର ଦେଶ ଆବିଷ୍କାର କରିପାରିଛି, କିନ୍ତୁ ଗୋଟିଏ କଥା, ସେଠାରେ କେହିହେଲେ ପ୍ରହରୀ ନାହିଁ । କଅଣ କାରଣ ହୋଇପାରେ ! ବୋଧହୁଏ ପ୍ରହରୀ ଦ୍ୱାର ଦେଶରେ ରହିଲେ ସେ ସ୍ଥାନଟି ସହଜରେ ଅନ୍ୟର ଦୃଷ୍ଟି ଆକର୍ଷଣ କରିବ । ତେଣୁ ଦ୍ରାବିଡ଼ ସେନାର କେହି ପ୍ରହରୀ ସେ ସ୍ଥାନରେ ନାହାନ୍ତି ।

 

ଗୁପ୍ତଚର, ଆର୍ଯ୍ୟ ତ୍ରିଭୁବନ ଦେବଙ୍କ ଏପରି ଏକ ଉତ୍ତମ ସମ୍ବାଦ ଯୋଗାଇ ଦେବାକୁ ପ୍ରବଳ ଉତ୍ସାହର ସହ ଦ୍ଵିଗୁଣ ବେଗରେ ଅଗ୍ରସର ହେଲା ।

 

ସେତେବେଳକୁ ରାତ୍ରିର ପ୍ରଥମ ଶେଷ ହୋଇଆସୁଛି । ଆର୍ଯ୍ୟ ସମ୍ରାଟ ଯୁଗ୍ମ ସେନାଧ୍ୟକ୍ଷ ସହ ଗୁପ୍ତ ମନ୍ତ୍ରଣାରେ ରତ । ପ୍ରହରୀ ଆସି ସମ୍ବାଦ ଜଣାଇଲା ।

 

: ମହାରାଜ, ଜମ୍ବୁକ ଆପଣଙ୍କର ସାକ୍ଷାତ୍‍କାର ଇଚ୍ଛା କରୁଛି ।

 

: ଆସିବାକୁ ଦିଅ ।

 

ଅଭିବାଦନ ଜଣାଇ ଜମ୍ବୁକ ଆରମ୍ଭ କଲା—

 

: ମହାରାଜ ଦ୍ରାବିଡ଼ ସେନା ଯେଉଁ ଗୁପ୍ତ ମାର୍ଗରେ ଆସିଥିଲେ ତା’ର ପ୍ରବେଶ ଦ୍ୱାର ମୁଁ ଦେଖିଆସିଛି ।

 

ଏକ ନିଶ୍ୱାସକେ ସମାଚାର ଜଣାଇ ଜମ୍ବୁକ । ତୁମେ ଉପଯୁକ୍ତ ପୁରସ୍କାର ପାଇବ । ସେ ସ୍ଥାନର ଟିକିଏ ବର୍ଣ୍ଣନା ଦିଅ ତ ।

 

: ମହାରାଜ, ଲତା ଗୁଳ୍ମ ଘେରି ଗୋଟାଏ ଗିରୀକନ୍ଦରା ହେଉଛି ସେ ମାର୍ଗର ପ୍ରବେଶ ଦ୍ୱାର, କିନ୍ତୁ ଆଶ୍ଚର୍ଯ୍ୟ କଥା ସେଠାରେ ଦ୍ରାବିଡ଼ ସେନାର କେହି ପ୍ରହରୀ ନାହାନ୍ତି । ହୋଇପାରେ...ପ୍ରହରୀ ରହିଲେ କାଳେ ଅନ୍ୟର ଦୃଷ୍ଟି ଚଞ୍ଚଳ ଆକର୍ଷିତ ହେବ ।

 

: ଉପଯୁକ୍ତ ଭାବନା ତୁମର । ଯାଅ, ସେନାପତିଙ୍କୁ ମୋ ନିକଟକୁ ଆସିବାକୁ ସମ୍ବାଦ ଦିଅ ।

 

: ସମ୍ରାଟ ଦେବଙ୍କର ଜୟ ହେଉ ।

 

ଯୁଦ୍ଧ ଭୂମିରୁ ଆସିଥିବା ସମ୍ବାଦ ବାହକ ଦୁଇଜଣ ଅଭିବାଦନ ଜଣାଇଲେ; ମହାରାଜ ପୁଷ୍ପାଙ୍ଗଧନୁ ବସିଥିଲେ ଉତ୍କଣ୍ଠିତ ଅବସ୍ଥାରେ । ମହାପୂଜାରୀଙ୍କ ସହ ଆଲୋଚନା କରୁଥିଲେ ଯୁଦ୍ଧ ବିଷୟ । ନିଜର ଏକମାତ୍ର ପୁତ୍ରକୁ ସେନାଧିପତି ରୂପେ ସମର ପ୍ରାଙ୍ଗଣକୁ ପ୍ରେରଣ କରିବା ପରେ ମନ ତାଙ୍କର ବେଳେ ବେଳେ ଉଦ୍‍ବିଗ୍ନ ହୋଇଉଠୁଥିଲା ତା’ର କୁଶଳ ସମାଚାର ଜାଣିବା ନିମିତ୍ତ । ଦୂତ ଦୁହିଁଙ୍କୁ ପ୍ରଶ୍ନବାଚକ ମୁଦ୍ରାରେ ଚାହିଁଲେ ପୁଷ୍ପାଙ୍ଗଧନୁ ।

 

: ମହାରାଜ, ଯୁବରାଜ ଋତୁପର୍ଣ୍ଣ ଯୋଗମାୟାଙ୍କ ଆଶୀର୍ବାଦରୁ ସକୁଶଳ ଅଛନ୍ତି । ଦୁଇଦିନର ଯୁଦ୍ଧରେ ଆର୍ଯ୍ୟସେନାର ଦଳକୁ ଦଳ ବାରମ୍ବାର ପରାଜିତ ହୋଇଛନ୍ତି । ଆମ ଅପେକ୍ଷା ସେମାନଙ୍କର ମୃତାହତ ସଂଖ୍ୟା ଚତୁର୍ଗୁଣ ହେବ । ପ୍ରତି କ୍ଷେତ୍ରରେ ତାଙ୍କର ଆକ୍ରମଣକୁ ଆମର ସୈନ୍ୟ ବାହିନୀ ପ୍ରତିହତ କରିଛନ୍ତି । ଏପର୍ଯ୍ୟନ୍ତ କୌଣସି ଗୁରୁତ୍ୱପୂର୍ଣ୍ଣ ଘାଟି ସେମାନଙ୍କର ଅଧୀନକୁ ଯାଇ ନାହିଁ ।

 

: ଆର୍ଯ୍ୟ ରାଜା କଅଣ ସ୍ଵଂୟ ଯୁଦ୍ଧ ପରିଚାଳନା କରୁଛନ୍ତି ?

 

: ମୁଖ ଶିବିରରୁ ତାଙ୍କରି ନିର୍ଦ୍ଦେଶରେ ତ ଯୁଦ୍ଧ ଚାଲିଛି, କିନ୍ତୁ ଆଶ୍ଚର୍ଯ୍ୟର କଥା....

 

: କୁହ, ରୋକିଗଲ କାହିଁକି ?

 

: କଥା କଅଣ କି ମହାରାଜ, ଆମ ଦେଶର ଏକ କିରାତ ବାହିନୀ ଆର୍ଯ୍ୟ ସମ୍ରାଟଙ୍କୁ ସାହାଯ୍ୟ କରୁଛି । ସେମାନଙ୍କର ସର୍ଦ୍ଦାରଙ୍କୁ ଆର୍ଯ୍ୟ ରାଜା ଯୁଗ୍ମ ସେନାଧ୍ୟକ୍ଷଙ୍କର ପଦବୀ ପ୍ରଦାନ କରିଛନ୍ତି ।

 

: କିରାତ ବାହିନୀ ! ଆଚ୍ଛା, ତାଙ୍କର ସର୍ଦ୍ଦାରଙ୍କୁ ତୁମେ ସ୍ୱଚକ୍ଷୁରେ ଦେଖିଛ ?

 

: ଦେଖିଛି ମହାରାଜ, ଏପରି ଦୀପ୍ତିମାନ ଯୁବକ, କିରାତ ବୋଲି କେହି କେହି-ପାରିବେ ନାହିଁ । ତାଙ୍କୁ ଦେଖିଲେ ମନେହୁଏ ଯେପରି ଆମ ଯୁବରାଜଙ୍କର ସାନ ଭାଇ । ଆକୃତିରେ ଏତେ ସାମଞ୍ଜସ୍ୟ !

 

: କଅଣ କହିଲ ? ରାଜବଂଶର ଯୁବକ ପରି ତାର ଆକୃତି !

 

: ହଁ ମହାରାଜ !

 

: ଋତୁପର୍ଣ୍ଣ ଆଉ କିଛି ସାହାଯ୍ୟ କି ପରାମର୍ଶ ଲୋଡିଛି ?

 

: ଆଜ୍ଞା; ଏପତ୍ରଟି ଦେଖନ୍ତୁ ।

 

ଦୂତ ହସ୍ତରୁ ଭୂର୍ଜପତ୍ର ଲିଖିତ ସମାଚାରଟି ନେଇ ମହାରାଜ ମନେ ମନେ ପଠନ କରିବାକୁ ଲାଗିଲେ । ବେଳେ ଆନନ୍ଦରେ ଚକ୍ଷୁଦ୍ୱୟ ବିସ୍‍ଫାରିତ ଏବଂ ଅଧରରେ ସ୍ମିତ ହାସ୍ୟର ରେଖା ଦେଖାଯାଉଥାଏ । ବେଳେ ବେଳେ ଭୃଲତା କୁଞ୍ଚିତ ହୋଇ ଭାଲପଟରେ ଦେଖାଯାଉଥାଏ ଚିନ୍ତିତ ମୁଦ୍ରା । ପତ୍ର ପଠନ କରି କିଛି ସମୟ ପାଇଁ ମହାରାଜ ନେତ୍ର ଦୁଇଟି ମୁଦ୍ରିତ ଅବସ୍ଥାରେ ରଖି ବସି ରହିଲେ । ଏପର୍ଯ୍ୟନ୍ତ ମହାପୂଜାରୀ ନୀରବ ଦର୍ଶକ ହୋଇ ବସିଥିଲେ । ମହାରାଜାଙ୍କ ଚିନ୍ତିତ ମୁଦ୍ରା ଦେଖି କହି ଉଠିଲେ-

 

: ମହାରାଜ, ପତ୍ରର ସାରମର୍ମ କିଛି ଅଧିକ ଚିନ୍ତାର କାରଣ ?

 

ମହାରାଜାଙ୍କ ଧ୍ୟାନ ଭଗ୍ନ ହେଲା । ନେତ୍ର ଖୋଲି ଗମ୍ଭୀର ମୁଦ୍ରାର ଚାହିଁଲେ ମହାପୂଜାରୀଙ୍କୁ ।

 

: ନା...ନା ଗୁରୁଦେବ, କିଛି ବିଶେଷ ଚିନ୍ତାର କାରଣ ନାହିଁ ।

 

ଦୂତ ଦୁଇଟିଙ୍କୁ ଲକ୍ଷକରି ରାଜା ନିର୍ଦ୍ଦେଶ ଦେଲେ—

 

: ତୁମେ ଦୁହେଁ ଏକ ପ୍ରହର ବିଶ୍ରାମ କର । ହୁଏତ ତୁମମାନଙ୍କ ସହିତ ମୁଁ ଯିବି ।

 

ଦୂତ ଦୁଇଟି ନତ ମସ୍ତକରେ ଅଭିବାଦନ ଜଣାଇ କକ୍ଷ ମଧ୍ୟରୁ ପ୍ରସ୍ଥାନ କଲେ ।

 

: ଗୁରୁଦେବ, ଏକ ପ୍ରହର ପରେ ମୁଁ ନିଜେ ଯୁଦ୍ଧଭୂମି ପରିଦର୍ଶନରେ ବାହାରିବି । ରାଜଧାନୀରେ କିନ୍ତୁ ଏକଥା ଗୁପ୍ତ ରଖାଯିବ । ଏପର୍ଯ୍ୟନ୍ତ ଯେ ଯୁଦ୍ଧରେ ଆମର ବିଜୟ ଘଟି ଆସିଛି ସେ ବିଷୟ ରାଜଧାନୀରେ ପ୍ରଚାରିତ ହେବାର ବ୍ୟବସ୍ଥା କରିବା ବର୍ତ୍ତମାନ ଆବଶ୍ୟକ । ଆପଣଙ୍କର ଦାୟିତ୍ୱ ଦେବୀଙ୍କର ପୂଜା ଆରାଧନା ବିଧିବଦ୍ଧ ଯେପରି ଚାଲେ । ଯୋଗମାୟାଙ୍କର ପ୍ରସନ୍ନତା ଆମର ଯୁଦ୍ଧ ଜୟରେ ସହାୟକ ।

ମହାପୂଜାରୀ ଆଶିଷ ଜଣାଇ ପ୍ରସ୍ଥାନ କଲେ ।

ସନ୍ଧ୍ୟା ବିଗତ ପ୍ରାୟ । ରଜନୀ ରାଣୀ ନିଜର କଳା ପଣତରେ ପୃଥିବୀକୁ ଧୀରେ ଧୀରେ ଢାଙ୍କି ଆଣୁଛି । ଆକାଶର ମେଘମାଳା କୃଷ୍ଣବର୍ଣ୍ଣ ଧାରଣ କରିଛି । ହିମ ଶୀତଳ ପବନର ବେଗ ବୃଦ୍ଧି ପାଉଛି ସମୟ କ୍ରମେ । ଆର୍ଯ୍ୟ ସମ୍ରାଟ ତ୍ରିଭୁବନ ଦେବ ଜଣେ ମାତ୍ର ଗୁପ୍ତଚର ସଙ୍ଗରେ ନେଇ ଗୁପ୍ତମାର୍ଗର ଦ୍ୱାର ପରିଦର୍ଶନରେ ବାହାରିଛନ୍ତି । ତାଙ୍କର ଯୋଜନା ଗୁପ୍ତ ରାତିରେ ପାଞ୍ଚ ସହସ୍ର ସୈନ୍ୟ ସେ ମାର୍ଗରେ ପ୍ରେରଣ କରି ରାଜଧାନୀ ଅମୃତନଗର ଉପରେ ଆକ୍ରମଣ ଚଳାଇବାକୁ । ରାଜଧାନୀକୁ ନିଜର ଅଧୀନସ୍ଥ କରି ମହାରାଜ ପୁଷ୍ପାଙ୍ଗଧନୁଙ୍କୁ ବନ୍ଦୀ କଲେ ଏ ଯୁଦ୍ଧ ଜୟ ସହଜ ହୋଇପଡ଼ିବ ।

ସଘନ ଅରଣ୍ୟ ମାର୍ଗ ଦେଇ ମହାରାଜ ତ୍ରିଭୁବନ ଦେବ ଗୁପ୍ତଚର ସହ ସେହି ଗୁପ୍ତମାର୍ଗର ପ୍ରବେଶ ଦ୍ଵାରର ନିକଟବର୍ତ୍ତୀ ହୋଇପାରିଲେ । କିଛି ସମୟ ମହାରାଜ ନିଶ୍ଚଳ ଭାବରେ ରହିବା ପରେ ଗୁପ୍ତଚରକୁ ପ୍ରେରଣ କଲେ ।

: ଯାଅ, ସାବଧାନ ସହକାରେ ଦେଖିଆସେ ସେଠାରେ କେହି ପ୍ରହରୀ ଅଛନ୍ତି କି ନାହିଁ-

: ଉଚିତ କହିଛନ୍ତି ମହାରାଜ ! ଆପଣ ଏଠାରେ କିଛି ସମୟ ନିରବ ନିଶ୍ଚଳ ଭାବରେ ରହନ୍ତୁ । ମୁଁ ଫେରି ଆସିବା ପରେ ଆମର ପରବର୍ତ୍ତୀ କାର୍ଯ୍ୟ ପନ୍ଥା ସ୍ଥିର କରାଯିବ ।

ଆର୍ଯ୍ୟ ସମ୍ରାଟ ତ୍ରିଭୁବନ ଦେବ ଦୁଇଟି ବୃକ୍ଷ ଅନ୍ତରାଳରେ ନିଜକୁ ଲୁକ୍‍କାୟିତ ଭାବରେ ରଖି ଦଣ୍ଡାୟମାନ ହେଲେ । ମଧ୍ୟେ ମଧ୍ୟେ ଚତୁର୍ଦ୍ଦିଗକୁ ସତର୍କ ଦୃଷ୍ଟିପାତ କରୁ-ଥାଆନ୍ତି । କିଛି ସମୟ ପରେ ଗୁପ୍ତଚର ପ୍ରତ୍ୟାଗମନ କଲା । ମହାରାଜାଙ୍କର ଅତି ନିକଟକୁ ଆସି ଧୀର ସ୍ୱରରେ କହିଲା ।

: ମହାରାଜ, ଗୁପ୍ତ ମାର୍ଗରେ ସୁଡ଼ଙ୍ଗ ଦ୍ୱାରରେ କେହି ପ୍ରହରୀ ନାହାନ୍ତି ।

: ପ୍ରହରୀ ନାହାନ୍ତି ! ତା ହେଲେ...

: ଆସନ୍ତୁ, ଭିତରକୁ ପ୍ରବେଶ କରି ଦେଖିବା ।

ଗୁପ୍ତଚରକୁ ସଙ୍ଗରେ ନେଇ ଆର୍ଯ୍ୟ ସମ୍ରାଟ ଅଗ୍ରସର ହେଲେ । ସତର୍କ ଦୃଷ୍ଟିରେ ଏଣେ ତେଣେ ଚାହିଁ ଧୀର ପଦକ୍ଷେପରେ ଚାଲିଛନ୍ତି । କୌଣସି ଅଦୃଶ୍ୟ ବ୍ୟକ୍ତିର ଆହ୍ୱାନ ତାଙ୍କର ଶ୍ରୁତି ଗୋଚର ହେଲା ।

: ଠିଆ ହୁଅ ।

ବଜ୍ର ଗମ୍ବିର ଶବ୍ଦ ଶୁଣି ଦୁଇଜଣ ଚକିତ ଦୃଷ୍ଟିରେ ଉଭୟ ଦିଗକୁ ଚାହିଁଲେ । କେହି ଦୃଷ୍ଟିଗୋଚର ହେଉ ନାହାନ୍ତି । ପୁଣି ଧୀରେ ଆଗେଇବାକୁ ଲାଗିଲେ । ସେହି ଗୁପ୍ତମାର୍ଗ ତାଙ୍କୁ ବଡ଼ ରହସ୍ୟମୟ ବୋଧ ହେଲା । ପୁନର୍ବାର ସେହିପରି କର୍କଶ ସ୍ୱରରେ କେହି କହିଲା ।

: ଠିଆ ହୁଅ ।

 

ଏଥର ଦୁଇଜଣ ନିଶ୍ଚଳ ଭାବରେ ଠିଆ ହୋଇଗଲେ । ଘଡ଼ ଘଡ଼ ଶବ୍ଦ କରି ଗୋଟାଏ ପଥର ସେମାନଙ୍କର ଆଗମନ ପଥକୁ ରୁଦ୍ଧ କରିଦେଲା । ସେମାନେ ଆଗକୁ ଚାହିଁଲା ବେଳକୁ ଦଶଜଣକୁ ସଶସ୍ତ୍ର ସୈନିକ ମାଡ଼ି ଆସୁଛନ୍ତି । ସେମାନଙ୍କର ସମ୍ମୁଖ ଭାଗରେ ଥିବା ନାୟକ କର୍କଶ ସ୍ୱରରେ କହିଲା ।

 

: ଅସ୍ତ୍ରଶସ୍ତ୍ର ତଳେ ରଖି ଆତ୍ମ ସମର୍ପଣ କର ।

 

ମହାରାଜ କଣ କହିବେ, କଅଣ କରିବେ ଭାବିଲା ବେଳକୁ ଦଶଟା ଭାଲି ଏମାନଙ୍କୁ ଲକ୍ଷ୍ୟକରି ଦଶଜଣ ସୈନିକ ଆଗେଇ ଆସୁଛନ୍ତି । ବଡ଼ ବିଷମ ପରିସ୍ଥିତି । ଏ ଦୁହିଁଙ୍କ ନିକଟରେ କେବଳ ତରବାରି ଅଛି । ତଥାପି ସାହସ କରି ଦୁଇଜଣ ତରବାରିକୁ କୋଷ-ମୁକ୍ତ କରି ଯୁଦ୍ଧ କରିବାକୁ ମନସ୍ଥ କରିନେଲେ ।

 

କଥାରେ ଅଛି ଯୋଡ଼ାକୁ ଘୋଡ଼ା ସରି ନୁହେଁ । ଦୁଇଜଣ ବୀର ଯୋଦ୍ଧା ହେଲେ ମଧ୍ୟ ବିକଟ ପରିସ୍ଥିତିରେ ଦଶଜଣ ସୈନିକଙ୍କୁ ପରାସ୍ତ କରିବା ସହଜ କଥା ନୁହେଁ । ଅଳ୍ପ ସମୟ ଯୁଦ୍ଧ ପରେ ସମ୍ରାଟ ବନ୍ଦୀ ହେଲେ ।

 

ସେହି ଗୁମ୍ଫା ମଧ୍ୟରେ ଥିବା ଏକ ଗୁପ୍ତ କୋଠରୀରେ ଦୁଇଜଣଙ୍କୁ ପ୍ରହରୀମାନେ ବନ୍ଦୀ କରି ରଖିଲେ ।

 

ପୁଷ୍ପକେତୁର ଗୁପ୍ତଚର ସୈନିକ ପାଞ୍ଚଜଣ ସମସ୍ତ ବନ ପ୍ରଦେଶ ଖୋଜି ଖୋଜି ଥକିଗଲେ । ମାତ୍ର ସମ୍ରାଟ କେଉଁଆଡ଼େ ଅନ୍ତର୍ଦ୍ଧାନ ହୋଇଗଲେ କିଛି ପତା ମିଳିଲା ନାହିଁ । ସେନାପତି ଏବଂ ପୁଷ୍ପକେତୁ ବିଚାର କଲେ ଏ କଥାକୁ ଗୁପ୍ତ ରଖି ଯୁଦ୍ଧ ଚଳାଇ ରଖିବା ଭଲ । କଥା ପ୍ରଘଟ ହେଲେ ନିଜ ସୈନିକମାନଙ୍କର ମନୋବଳ କାଳେ ଭାଙ୍ଗିଯିବ, ଏହି ଆଶଙ୍କାରେ ଘଟଣାଟିକୁ ଗୁପ୍ତ ରଖିବା ବର୍ତ୍ତମାନ ପରିସ୍ଥିତିରେ ଶ୍ରେୟସ୍କର ।

 

ପୁଷ୍ପକେତୁର ମାତା ବନ ଜ୍ୟୋତ୍ସ୍ନାଦେବୀ ଯେତେବେଳେ ସମ୍ବାଦ ପାଇଲେ ଯେ ତାଙ୍କର ପୁତ୍ର ଆର୍ଯ୍ୟ ସମ୍ରାଟଙ୍କ ପକ୍ଷରେ ଦ୍ରାବିଡ଼ ସେନା ସହ ଯୁଦ୍ଧ ରତ; ବହୁତ ମର୍ମାହତ ହେଲେ । ଏ କଅଣ ହେଲା ! କିପରି ପରିସ୍ଥିତିରେ ପୁଷ୍ପକେତୁ ନିଜ ମାତୃଭୁମିର ସୁରକ୍ଷା ଭାବନାକୁ ତ୍ୟାଗ କରି ଆର୍ଯ୍ୟ ସମ୍ରାଟ ସହ-କିରାତବାହିନୀକୁ ନେଇ ଯୋଗଦାନ କଲା ! ସାରା ଶରୀର ତାଙ୍କର ପ୍ରଚଣ୍ଡ କ୍ରୋଧରେ କମ୍ପିତ ହେବାକୁ ଲାଗିଲା ।

 

ସମ୍ବାଦ ବାହକ ବନଜ୍ୟୋତ୍ସ୍ନା ଦେବୀଙ୍କୁ ସମସ୍ତ ପରିସ୍ଥିତି ବୁଝାଇ ଶାନ୍ତ ହେବାକୁ ଅନୁରୋଧ ଜଣାଇଲା । ଯୁଦ୍ଧର ସମସ୍ତ ଖବର ଶୁଣି ସାରିବା ପରେ ସେ ନିଜେ ପୁଷ୍ପକେତୁକୁ ଯଥା ଶୀଘ୍ର ସାକ୍ଷାତ କରିବାକୁ ଉତ୍‍କଣ୍ଠିତ ହୋଇ ଉଠିଲେ ।

 

ଆର୍ଯ୍ୟମାନଙ୍କର ଯୁଗ୍ମ ସେନାଧ୍ୟକ୍ଷ ପୁଷ୍ପକେତୁର ବୁଦ୍ଧି ଚାତୁର୍ଯ୍ୟ ଯୋଗୁ ସୈନ୍ୟବାହିନୀର ମନୋବଳ ଦୃଢ଼ ରହିଛି । ସେମାନେ ଦ୍ଵିଗୁଣ ଉତ୍ସାହର ସହ ଦ୍ରାବିଡ଼ ସେନା ସହିତ ଯୁଦ୍ଧରେ ସଂଲଗ୍ନ ଅଛନ୍ତି ।

 

ଆର୍ଯ୍ୟ ସମ୍ରାଟ ତ୍ରିଭୁବନ ଦେବ ହଠାତ୍ ଲୁପ୍ତ ହେବାର ସମାଚାର ଏପର୍ଯ୍ୟନ୍ତ ଗୁପ୍ତ ରଖାଯାଇଛି । ଗୁପ୍ତଚର ବାହିନୀ ଏବଂ ସୈନ୍ୟମାନଙ୍କର ଅଳ୍ପ କେତେକ ପଦସ୍ଥ କର୍ମଚାରୀ ଏ ସମ୍ପର୍କରେ ଜାଣନ୍ତି ।

 

ବର୍ତ୍ତମାନ ଯୁଦ୍ଧର ଅବସ୍ଥା ଅତି ଭୟଙ୍କର କହିଲେ ଅତ୍ୟୁକ୍ତି ହେବ ନାହିଁ । ପ୍ରତ୍ୟେକ ସୈନିକ ଇଚ୍ଛା କରୁଛି ବିପକ୍ଷ ସୈନିକ ଉପରେ କିପରି ବିଜୟ ଲାଭ କରିବ ।

 

ପୁଷ୍ପକେତୁ ଗୋଟିଏ କୃଷ୍ଣକାୟ ଅଶ୍ୱ ଉପରେ ବସି ଯୁଦ୍ଧ ଚଳାଇଛି । ଦ୍ରାବିଡ଼ ସେନାର ଜନୈକ ନାୟକ ସହ ଦ୍ଵନ୍ଦ୍ୱ ଯୁଦ୍ଧ ଲାଗିଛି ।

 

: କିରାତ ସର୍ଦ୍ଦାର, ତୁମେ ଦେଶଦ୍ରୋହୀ ।

 

: ଚୁପ୍‍କର, ଛୋଟ ମୁହଁରେ ବଡ଼ କଥା । ତୁମର ସଂଚାଳକ ଶିବିର ମଧ୍ୟରେ ଲୁଚି ଯୁଦ୍ଧ ସଂଚାଳନ କରୁଛି । ସେଇ ଭୀରୁ କାପୁରୁଷକୁ ସମ୍ବାଦ ଦିଅ, ମୋ ସହିତ ଯୁଦ୍ଧ କରୁ ।

 

କ୍ରୋଧିତ ଅବସ୍ଥାରେ ନାୟକ ଅଶ୍ୱ ଚଳାଇ ଯୁବରାଜଙ୍କ ଶିବିର ନିକଟରେ ପହଞ୍ଚିଲା ଯୁବରାଜ ଶିବିର ମଧ୍ୟରେ ଜଣେ ସୈନିକ ହାତରେ ସେନାପତି ମୁର୍ଗେସନ୍‍ଙ୍କ ପାଖକୁ କିଛି ସମାଚାର ପ୍ରେରଣା କରୁଥିଲେ ।

 

: ଯୁବରାଜଙ୍କର ଜୟ ହେଉ !

 

ଅଭିବାଦନ ଜଣାଇ ନାୟକ ଦଣ୍ଡାୟମାନ ହେଲା ।

 

: ଯୁଦ୍ଧଭୂମିର ସମ୍ବାଦ କଅଣ ?

 

: ମହାପ୍ରଳୟ ଅବତାର ଧରି ଆର୍ଯ୍ୟସେନାର ଯୁଗ୍ମ ସେନାପତି ଆଜି ଯୁଦ୍ଧରେ ଉଭା ହୋଇଛନ୍ତି ।

 

: କଅଣ ହେଲା !

 

: ସତ୍ୟ ଘଟଣା ଯୁବରାଜ ! ସେନାପତି ପୁଷ୍ପକେତୁ ନିଜର ଅଶ୍ୱକୁ ଯେଉଁ ଦିଗକୁ ଚଳାଇ ନେଉଛନ୍ତି, ସେ ଦିଗରେ ହାହାକାର ପଡ଼ିଯାଉଛି । ଅଳ୍ପ ସମୟ ପାଇଁ ମୋ ସହିତ ଯୁଦ୍ଧ ହୋଇଯାଇଛି । ଓଃ...କି ଭୟଙ୍କର ବେଗରେ ଅସ୍ତ୍ର ଚାଳନା ! ଆପଣଙ୍କୁ ସେ ସମ୍ମୁଖ ଯୁଦ୍ଧକୁ ଆହ୍ୱାନ କରୁଛନ୍ତି । ଆପଣଙ୍କ ପାଇଁ ଯେପରି ନିନ୍ଦାସୂଚକ ଶବ୍ଦ ସେ ପ୍ରୟୋଗ କରୁଛନ୍ତି, ସେ କଥା ଅତି ଅସହ୍ୟ । ଆଜିର ଯୁଦ୍ଧର ବିଜୟ ଆମ ପକ୍ଷରେ ରହିବା ବିଷୟ ସନ୍ଦେହ ଜନକ ।

 

ଏହି ସମୟରେ ଅନ୍ୟ ଏକ ସମ୍ବାଦ ବାହକ ଆସି ଯୁବରାଜଙ୍କ ନିକଟରେ ଉପସ୍ଥିତ ହେଲା ।

 

: ସର୍ବନାଶ, ସର୍ବନାଶ ଯୁବରାଜ ! ସେନା ନାୟକ ବାଳଚନ୍ଦ୍ରନ ଏବଂ ବୀରା ସ୍ୱାମୀ ଯୁଦ୍ଧରେ ବୀରଗତିକୁ ପ୍ରାପ୍ତ ହୋଇଛନ୍ତି । ବିଶୃଙ୍ଖଳିତ ଦ୍ରାବିଡ଼ସେନା ରଣଭୂମିରୁ ଛତ୍ରଭଙ୍ଗ ଦେଇ ପଳାୟନ କରୁଛନ୍ତି ।

 

: ଦ୍ରାବିଡ଼ ସେନାର ଛତ୍ରଭଙ୍ଗ ? ପଳାୟନ ? ଓଃ ...ମା ଯୋଗମାୟା !

 

: ସେନାପତି ମୁର୍ଗେସନ ଇଚ୍ଛା କରନ୍ତି, ଆପଣ ସ୍ୱୟଂ ପଶ୍ଚିମ ଦିଗର ରଣାଙ୍ଗନରେ ଅବତୀର୍ଣ୍ଣ ହୁଅନ୍ତୁ ।

 

ଯୁବରାଜ ଆଉ କାଳ ବିଳମ୍ବ ନ କରି ଅଶ୍ୱପୃଷ୍ଠରେ ବସି ପଶ୍ଚିମ ଦିଗରେ ଚାଲିଥିବା ଯୁଦ୍ଧକ୍ଷେତ୍ର ଆଡ଼କୁ ଅଗ୍ରସର ହେଲେ ।

 

ଯୁବରାଜ ନିଜର ସୈନ୍ୟମାନଙ୍କୁ ଏକତ୍ର କରି ଓଜଃପୂର୍ଣ୍ଣ ଭାଷାରେ ସେମାନଙ୍କୁ ଉତ୍ସାହିତ କରିବାକୁ ଲାଗିଲେ । ପଳାୟନରତ ଦ୍ରାବିଡ଼ ସେନାରେ ପୁନର୍ବାର ଶକ୍ତିର ସଂଚାର ହେଲା ।

 

ଅଳ୍ପ ସମୟ ପରେ ଉଭୟ ପକ୍ଷ ପୁଣି ଘମାଘୋଟ ଯୁଦ୍ଧରେ ବ୍ୟାପୃତ ହୋଇଗଲେ ।

 

ଯୁବରାଜ ଋତୁପର୍ଣ୍ଣଙ୍କ ତୀକ୍ଷ୍‍ଣ ତରବାରି ସୁଦର୍ଶନ ଚକ୍ରପରି ବୁଲିବାକୁ ଲାଗିଲା । ଆର୍ଯ୍ୟ ସେନାର ବିଜୟ ଉଲ୍ଲାସ ଆର୍ତ୍ତନାଦରେ ପରିଣତ ହେବାକୁ ଲାଗିଲା ।

 

ପୁଷ୍ପକେତୁ ନିଜ ସେନାବାହିନୀର ମଧ୍ୟଭାଗରୁ ଆଗକୁ ଅଗ୍ରସର ହେଲା । ଅଳ୍ପ କ୍ଷଣ ମଧ୍ୟରେ ସାକ୍ଷାତ ହେଲା ଯୁବରାଜ ଋତୁପର୍ଣ୍ଣ ସହ ।

 

: କିରାତ ଯୁବକ, ତୁମେ !

 

: ଆର୍ଯ୍ୟ ସେନାର ଯୁଗ୍ମ ସେନାପତି ପୁଷ୍ପକେତୁ ।

 

: ସେଦିନ ବନ ମଧ୍ୟରେ ଶିକାର କଥା ସ୍ମରଣ ଅଛି ତ ?

ସ୍ମରଣ ଅଛି ଯୁବରାଜ ! ଆଜି ନିର୍ଣ୍ଣୟ କରାଯିବ, ଏ ଭିତରେ ଅସ୍ତ୍ରଶସ୍ତ୍ର ଚାଳନାରେ କିଏ କେତେ ଦକ୍ଷତା ଲାଭ କରିଛି ।

 

: ତୁମେ ବର୍ତ୍ତମାନ ଦେଶର ପ୍ରଥମ ଶତ୍ରୁ । ନିଜ ଦେଶ ବିରୁଦ୍ଧରେ ବିଦେଶୀ ଶକ୍ତିକୁ ସାହାଯ୍ୟ କରିବ ଦେଶଦ୍ରୋହ ଅପରାଧ । ସମୁଚିତ ଶିକ୍ଷା ବର୍ତ୍ତମାନ ମିଳିଯିବ ।

 

: ବୃଥା ଆସ୍ଫାଳନ କରନ୍ତୁ ନାହିଁ । ବାକ୍‍ଶକ୍ତିର ପ୍ରଦର୍ଶନ ଅପେକ୍ଷା ଅସ୍ତ୍ରଶସ୍ତ୍ର ଶକ୍ତି ପ୍ରଦର୍ଶନ କରିବା ପ୍ରକୃତ ବିରର କର୍ତ୍ତବ୍ୟ ।

 

ଉଭୟ ଯୋଦ୍ଧାଙ୍କ ମନରେ ସଂଚିତ ଥିବା ବହୁଦିନର ଅଭିଳାଷ ଆଜି ପରିପୂର୍ଣ୍ଣ ହେବାକୁ ଯାଉଛି । କାଳ ବିଳମ୍ବ ନ କରି, ଦୁହେଁ ତରବାରିକୁ କୋଷମୁକ୍ତ କରି ପ୍ରବଳ ବେଗରେ ଚାଳନା ଆରମ୍ଭ କରିଦେଲେ । ସମକକ୍ଷ ଯୋଦ୍ଧାକୁ ପାଇ ଯୁବରାଜ ଯେତିକି ଉତ୍ସାହିତ ପୁଷ୍ପକେତୁ ମଧ୍ୟ ସେତିକି ପରିମାଣରେ ଆନନ୍ଦିତ ।

 

ମହାରାଜ ପୁଷ୍ପାଙ୍ଗଧନୁ ଗୁପ୍ତମାର୍ଗରେ ଅଗ୍ରସର ହେଉଛନ୍ତି ଯୁଦ୍ଧ ଭୂମି ପରିଦର୍ଶନ ଉଦ୍ଦେଶ୍ୟରେ । ସଙ୍ଗରେ ମାତ୍ର ପାଞ୍ଚ ଜଣ ଅଙ୍ଗରକ୍ଷୀ । ବହୁ ଅନୁନୟ ବିନୟ ଚାରୁଚନ୍ଦ୍ରିକା ଏବଂ ଚକୋର ନିଜକୁ ସୈନିକ ବେଶରେ ସଜାଇ କିଞ୍ଚିତ୍ ବ୍ୟବଧାନରେ ତାଙ୍କର ଅନୁଗମନ କରୁଛନ୍ତି ।

 

ସୁଡ଼ଙ୍ଗ ନିକଟରେ ପହଞ୍ଚି ମହାରାଜା ଯାହା ଶୁଣିଲେ ସେଥିରେ ତାଙ୍କର ଆଶ୍ଚଯ୍ୟର ସୀମା ରହିଲା ନାହିଁ । ଆର୍ଯ୍ୟ ସମ୍ରାଟ ତ୍ରିଭୁବନ ଦେବ ବନ୍ଦୀ ।

 

: ଆର୍ଯ୍ୟ ସମ୍ରାଟଙ୍କୁ ପରେ ସାକ୍ଷାତ୍ କରାଯିବ । ପ୍ରଥମେ ଯୁବରାଜର ଶିବିରରେ ପହଞ୍ଚିବା ନିହାତି ଆବଶ୍ୟକ । ଶୁଣ ନାୟକ, ଆର୍ଯ୍ୟ ସମ୍ରାଟଙ୍କର କୌଣସି ଅସୁବିଧା ସେପରି ନ ହୁଏ । ପରବର୍ତ୍ତୀ ସମାଚାର ପାଇଲେ ତାଙ୍କୁ ଏଠାରୁ ମୁକ୍ତ କରି ନିଆଯିବ ।

 

ମହାରାଜ ପୁଷ୍ପାଙ୍ଗଧନୁ ନିଜର କ୍ଷୁଦ୍ର ଦଳ ସହ ଶୀଘ୍ର ଶୀଘ୍ର ଅଗ୍ରସର ହେଲେ । ସଂଧ୍ୟା ହେବାର ଠିକ୍ ପରେ ପରେ ଏମାନେ ପହଞ୍ଚିଗଲେ ଦ୍ରାବିଡ଼ ସେନାର ଶିବିରରେ । ସେଦିନର ଯୁଦ୍ଧ ଶେଷ ହୋଇଯାଇଛି । ଦ୍ରାବିଡ଼ ସେନାର ମୃତାହତ ସଂଖ୍ୟା ସେଦିନ ହୋଇଛି ସର୍ବାଧିକ । ସବୁଠାରୁ ବଳି ମର୍ମନ୍ତୁଦ ସମାଚାର ହେଲା, ଆହତ ଅବସ୍ଥାରେ ଶତ୍ରୁପକ୍ଷ ଯୁବରାଜ ଋତୁପର୍ଣ୍ଣଙ୍କୁ ବନ୍ଦୀ କରି ନେଇ ଯାଇଛନ୍ତି । ଏ ସମାଚାର ପାଇବା ମାତ୍ରକେ ମହାରାଜ ଅତ୍ୟନ୍ତ ମର୍ମାହତ ହୋଇ ପଡ଼ିଲେ । ଚାରୁଚନ୍ଦ୍ରିକା ନିଜ ମସ୍ତିଷ୍କରେ ସତ ବୃଶ୍ଚିକର ଦଂଶନ ଅନୁଭବ କଲା ।

 

ସେନାପତି ମୁର୍ଗସେନ ଅତି ବ୍ୟଥିତ ଅବସ୍ଥାରେ ଆସି ସାକ୍ଷାତ କଲେ ମହାରାଜଙ୍କୁ । ଅଭିବାଦନ ଜଣାଇ ନତମସ୍ତକରେ ଦଣ୍ଡାୟମାନ ହେଲେ ।

 

: ସେନାପତି, ଯୁବରାଜ ଋତୁପର୍ଣ୍ଣ ବନ୍ଦୀ ହେବାଟା କିପରି ସମ୍ଭବ ହେଲା ?

 

ସେନାପତି ବ୍ୟଥିତ ସ୍ୱରରେ ଯୁଦ୍ଧର ଆମୁଳ ଚୁଳ ଘଟଣା ବର୍ଣ୍ଣନା କରିବାକୁ ଲାଗିଲେ । ସେନାପତିଙ୍କର ବର୍ଣ୍ଣନା ଶେଷ ହେବା ପୂର୍ବରୁ ଶିବିର ମଧ୍ୟରୁ ଚକୋର ଏବଂ ଚନ୍ଦ୍ରିକା ବାହାରକୁ ଚାଲି ଆସିଛନ୍ତି ।

 

ମହାରାଜ ଏପର୍ଯ୍ୟନ୍ତ ହତବାକ୍ ଅବସ୍ଥାରେ ବସି ସେନାପତିଙ୍କ ଯୁଦ୍ଧ ବର୍ଣ୍ଣନା ଶୁଣୁଥିଲେ-। ସେନାପତି ମୌନ ଧାରଣା କରିବା ପରେ ମଧ୍ୟ କିଛି ସମୟ ପର୍ଯ୍ୟନ୍ତ ପୁଷ୍ପାଙ୍ଗଧନୁର ବାକ୍‍ସ୍ଫୁରଣ ହେଲା ନାହିଁ ।

 

: ତା ହେଲେ ବର୍ତ୍ତମାନ କି ଉପାୟ କରିବା । ଆର୍ଯ୍ୟ ସମ୍ରାଟ ତ୍ରିଭୁବନଦେବଙ୍କୁ ବନ୍ଦୀ ଅବସ୍ଥାରେ ଦେଖି ମୁଁ ଯେତିକି ଆନନ୍ଦିତ ହେଉଥିଲି, ବର୍ତ୍ତମାନ ଋତୁପର୍ଣ୍ଣର ବନ୍ଦୀ ହେବା ଘଟଣା ଶୁଣି ତାର ଦ୍ଵିଗୁଣ ଦୁଃଖିତ । ତୁମେ କଅଣ ଭାବୁଛ ଆର୍ଯ୍ୟ ସେନା ଯୁଦ୍ଧରେ ଶେଷ ବିଜୟ ଲାଭ କରି ସମ୍ରାଟଙ୍କୁ ମୁକ୍ତ କରିନେବେ ।

 

: ମହାରାଜ ! ଏପରି ଏକ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହଠାତ୍ ହୋଇଯିବା ସହଜ ନୁହେଁ । ଆପଣ ଏକଘଡ଼ି ବିଶ୍ରାମ କରିବା ମଧ୍ୟରେ ମୁଁ କେତେକ ନାୟକ ଅଧିନାୟକଙ୍କୁ ଏଠାରେ ଏକତ୍ରିତ କରିବି । ବିଚାର ଆଲୋଚନା ପରେ ସମସ୍ତେ ମିଳିତ ଭାବରେ ନିଶ୍ଚୟ କୌଣସି ଉପାୟ ସ୍ଥିର କରିପାରିବା ।

 

ସେନାପତି ବିଦାୟ ନେଇ ଶିବିର ବାହାରକୁ ଆସିଲେ । ନିଜ ଶିବିର ଆଡ଼କୁ ଶହେ ହାତ ହେବ ଯାଇଛନ୍ତି କି ନାହିଁ ମଶାଲ ଆଲୋକରେ ଦେଖାଗଲା ଚାରିଜଣ ପ୍ରହରୀ ଗୋଟିଏ ସ୍ତ୍ରୀ ଲୋକ ଏବଂ ଜଣେ କିରାତ ଯୁବକକୁ ଧରି ମହାରାଜାଙ୍କ ଶିବିର ଆଡ଼କୁ ଆସୁଛନ୍ତି । ସେନାପତି ଦ୍ରୁତ ପଦରେ ସେଇଆଡ଼କୁ ଅଗ୍ରସର ହେଲେ ।

 

: ଏ କିଏ, ଏମାନଙ୍କୁ କେଉଁଠାରୁ ଧରି ଆଣିଛ ?

 

ଜଣେ ସୈନିକ ଅଭିବାଦନ ଜଣାଇ କହିଲା ।

 

: ଏ ହେଉଛନ୍ତି କିରାତ ନାୟକଙ୍କର ମାତା । ଆମ୍ଭେମାନେ ଏହାକୁ ବନ୍ଦୀ କରି ଆଣିଛୁ ଅରଣ୍ୟ ମାର୍ଗରୁ; କିନ୍ତୁ ସେ ଚାହାନ୍ତି ମହାରାଜାଙ୍କ ସାକ୍ଷାତ୍‍କାର ।

 

: ମହାରାଜାଙ୍କ ସାକ୍ଷାତ୍‍କାର !

 

ସେନାପତି ଅଳ୍ପସମୟ ଚିନ୍ତା କରି କହିଲେ ।

 

: ଆସ, ମହାରାଜ ବର୍ତ୍ତମାନ ବିଶ୍ରାମ କରୁଛନ୍ତି । ତୁମ୍ଭେମାନେ ଶିବିର ଦ୍ୱାରରେ ଅପେକ୍ଷା କରିବ । ଅନୁମତି ନ ମିଳିଲେ ସାକ୍ଷାତ୍‍କାର ହୋଇପାରିବ ନାହିଁ ।

 

ସେନାପତିଙ୍କୁ ଲେଉଟି ଆସିବା ଦେଖି ମହାରାଜ ବିସ୍ମୟ ସୂଚକ ନେତ୍ରରେ ଚାହିଁଲେ ।

 

: କଅଣ ହେଲା ସେନାପତି ?

 

: ମହାରାଜ, କିରାତ ନାୟକ ପୁଷ୍ପକେତୁଙ୍କର ମାତା ଆପଣଙ୍କର ସାକ୍ଷାତ୍‍କାର ନିମିତ୍ତ ଶିବିର ଦ୍ୱାରରେ ଅପେକ୍ଷା କରିଛନ୍ତି ।

 

: କିରାତ ନାୟକର ମାତା ? ଭିତରକୁ ସସମ୍ମାନେ ନେଇଆସ ।

 

ଶିବିର ମଧ୍ୟରେ ପ୍ରବେଶ କଲେ ବନଜ୍ୟୋତ୍ସ୍ନା ଦେବୀ । ମଶାଲ ଆଲୋକରେ ଦୃଷ୍ଟି ପଡ଼ିଲା ମହାରାଜାଙ୍କ ଉପରେ ମହାରାଜ ମଧ୍ୟ ଚାହିଁଲେ ବନଜ୍ୟୋତ୍ସ୍ନା ଦେବୀଙ୍କୁ ।

 

: ରାଣୀ ବନଜ୍ୟୋତ୍ସ୍ନା !

 

ଆଶ୍ଚର୍ଯ୍ୟ ସ୍ୱରରେ ଡାକିଲେ ମହାରାଜ ।

 

: ମହାରାଜ, ମୋର ପ୍ରିୟତମ, ଓଃ.....ଅଭାଗିନୀଙ୍କୁ ଚିହ୍ନି ପାରୁଛନ୍ତି ?

 

ମହାରାଣୀ ଦ୍ରୁତ ପଦରେ ଆଗେଇ ଆସି ମହାରାଜାଙ୍କ ଚରଣ ଧରି ଭୂମିରେ ଲୋଟି ପଡ଼ିଲେ । ଦୁଇ ଚକ୍ଷୁରୁ ମିଳନର ଆନନ୍ଦାଶ୍ରୁ ବହି ଚାଲିଲା ଅବିରାମ ଗତିରେ । ପଦଦ୍ଵୟ ଭିଜିବାକୁ ଲାଗିଲା ଉସ୍ମ ଅଶୃଜଳରେ । ଦର୍ଶକ ଗଣ ହତବାକ୍ । ମହାରାଜ ପାରିପାର୍ଶିକ ଅବସ୍ଥାକୁ ଭୁଲିଗଲେ-। ବର୍ଷ ବର୍ଷ ଧରି ଯେଉଁ ପ୍ରାଣପ୍ରିୟାର ବିଚ୍ଛେଦ ଦୁଃଖକୁ ସେ ସହ୍ୟ କରି ଆସିଥିଲେ, ଏପରି ନାଟକୀୟ ରୀତିରେ ତା’ର ଅନ୍ତ ହେବ, ଏକଥା ଥିଲା ତାଙ୍କ ପରିକଳ୍ପନାର ବାହାରେ । ଦୁଇ ବାହୁ ମୂଳକୁ ଧରି ମହାରାଣୀଙ୍କୁ ଉଠାଇ ନେଲେ । ଅତିରିକ୍ତ ଆନନ୍ଦରେ ନୟନ ଯୁଗଳରୁ ଧାର ଧାର ଅଶ୍ରୁ ବହି ଆସିଲା । ନିଜ ବକ୍ଷ ଦେଶରେ ମହାରାଣୀଙ୍କ ମସ୍ତକଟିକୁ ଦୁଇ ହସ୍ତରେ ଆଲିଙ୍ଗନ ବଦ୍ଧ କଲେ ।

 

: ମୋର ଦୋଷା ଦୋଷ କ୍ଷମା କରି ଦିଅନ୍ତୁ ମହାରାଜ !

 

: କ୍ଷମା...କ୍ଷମା ତ ତୁମେ କରିବା କଥା ଜ୍ୟୋତ୍ସ୍ନାରାଣୀ । ମୁଁ ସ୍ୱାମୀର କର୍ତ୍ତବ୍ୟ ନିର୍ବାହ କରିପାରି ନଥିଲି । ରାଜଦଣ୍ଡରେ ଦଣ୍ଡିତ କରିବା ପରେ ପରେ ମୋର ଉଚିତ ଥିଲା ତୁମ ସହିତ ବନ ଗମନ । ମନ୍ତ୍ରୀଙ୍କୁ ରାଜ୍ୟସଭା ଦେଇ ମୁଁ ତାହା କରିପାରି ନାହିଁ । ତେଣୁ ବର୍ଷ ବର୍ଷ ଧରି ତୁମକୁ ସ୍ମୃତି ପଟରେ ରଖି ବିରହ ଯନ୍ତ୍ରଣା ଭୋଗ କରିଛି ।

 

ଆଲିଙ୍ଗନକୁ ଶିଥିଳ କରି ମହାରାଣୀଙ୍କୁ ଆସନରେ ବସାଇଦେଲେ ।

 

: କିନ୍ତୁ ଜ୍ୟୋତ୍ସ୍ନାରାଣୀ, ଏ ମିଳନ ଘଟିଲା ଏକ ବିଷମ ପରିସ୍ଥିତି ସମୟରେ । ଯୁବରାଜ ଋତୁପର୍ଣ୍ଣ ବର୍ତ୍ତମାନ ପୁଷ୍ପକେତୁ ଦ୍ୱାରା ବନ୍ଦୀ, ସେ ପୁଣି ଆହତ ଅବସ୍ଥାରେ ।

 

: କଅଣ କହିଲେ, ପୁଷ୍ପକେତୁ ବନ୍ଦୀ କରିଛି ଋତୁପର୍ଣ୍ଣକୁ ? ସାନଭାଇ ବନ୍ଦୀକରିଛି ବଡ଼ ଭାଇକୁ ? ମୁଁ ବର୍ତ୍ତମାନ ଅଙ୍ଗରକ୍ଷୀ ପାଞ୍ଚଜଣ ନେଇ ଆର୍ଯ୍ୟ ସେନାର ଶିବିରକୁ ଯିବି । ନିଜ ଦେଶରକ୍ଷା ପରିବର୍ତ୍ତେ ପୁଷ୍ପକେତୁ କିପରି ବିଦେଶୀ ସୈନ୍ୟ ବାହିନୀର ସେନାପତି ସାଜିଛି ଦେଖିବି-

 

: ଉତ୍ତେଜିତ ହୁଅନା ଜ୍ୟୋତ୍ସ୍ନାରାଣୀ; କାଲି ପ୍ରଭାତରୁ ଦୂତ ପ୍ରେରଣା କରି ଏ ଯୁଦ୍ଧର ଶେଷ ସମାଧାନ ମୁଁ କରାଇଦେବି ।

 

ହିମାଳୟର ଗିରିସୃଙ୍ଗମାନଙ୍କରେ ଚନ୍ଦ୍ର କିରଣ ଝଲମଲ କରୁଛି । ହେମାଳ ପବନ ବହୁଛି ଦ୍ରୁତବେଗରେ । ପରିତ୍ୟକ୍ତ ଯୁଦ୍ଧ ଭୂମିରେ ଶୁଣା ଯାଉଛି ଶ୍ଵାନ ଶିବାର ଚିତ୍‍କାର । ଗୋଟିଏ ପଟେ ପ୍ରକୃତିର ମନୋରମ ଦୃଶ୍ୟ, ଅନ୍ୟପଟେ ଯୁଦ୍ଧ ଭୂମିର ଯନ୍ତ୍ରଣାଦାୟକ ବାତାବରଣ ।

 

କିନ୍ତୁ ଏସବୁ ପ୍ରତି ତିଳେ ହେଲେ ଭ୍ରୁକ୍ଷେପ ନକରି ଦ୍ରୁତ ପଦରେ ଆଗେଇ ଚାଲିଛି ଚନ୍ଦ୍ରିକା । ସାଙ୍ଗରେ ଏକମାତ୍ର ସାଥି ଚକୋର । ଯାହାର ପ୍ରିୟତମ ଆହତ, ପୁଣି ଯୁଦ୍ଧ ବନ୍ଦୀ; ତା’ର ଆଉ ଭ୍ରୁକ୍ଷେପ କାହାପାଇଁ ? ନିଜ ଜୀବନର ମାୟା ମମତାକୁ ପରିତ୍ୟାଗ କରି ସେ ଚାଲିଛି ପ୍ରିୟତମାକୁ କୌଣସି ଉପାୟରେ ମୁକ୍ତ କରିବାକୁ । କୋମଳାଙ୍ଗ ଦେବଦାସୀ ଆଜି ସାଜିଛି ବିରାଙ୍ଗନା । କଣ୍ଟାଝୁଣ୍ଟା, ପାହାଡ଼, ହିଂସ୍ର ପଶୁ କାହାରି ପ୍ରତି ଭୟ ନାହିଁ । ଆଖି ଆଗରେ ନାଚି ଯାଉଛି କେବଳ ନିଜର ପ୍ରିୟତମର ପ୍ରତିମୂର୍ତ୍ତି । ଲୈହଦଣ୍ଡକୁ ଚୁମ୍ବକ ଆକର୍ଷିକ କରିବା ପ୍ରାୟେ ସେ ଆଗେଇ ଚାଲିଛି । ଅଙ୍ଗପ୍ରତ୍ୟଙ୍ଗରେ ତାର ଭରିଯାଇଛି ଅଫୁରନ୍ତ ଶକ୍ତି । ହୃଦୟ ଆକାଶରେ ପ୍ରତିଧ୍ୱନିତ ହେଉଛି-ଜୟଦେବୀ ଯୋଗମାୟା

 

ଆର୍ଯ୍ୟ ସେନାର ଧାଡ଼ି ଧାଡ଼ି ଶିବିର ଦୃଷ୍ଟିଗୋଚର ହେଲା । ଚନ୍ଦ୍ରିକା ମନରେ ଜାଗିଲା ଅପୂର୍ବ ଆନନ୍ଦ । ପୁଷ୍ପକେତୁକୁ ସାକ୍ଷାତ କରି ସେ ପ୍ରିୟତମକୁ ମୁକ୍ତ କରିବ । ଗୋଟିଏ ପଟେ ଆର୍ଯ୍ୟ ସମ୍ରାଟ ବନ୍ଦୀ, ଅନ୍ୟ ପଟେ ଯୁବରାଜ । ଏପରି ଅବସ୍ଥାରେ କେବଳ ସନ୍ଧି ସ୍ଥାପନ ହେଉଛି ସବୁଠାରୁ ଉତ୍କୃଷ୍ଟ ପନ୍ଥା । ଏହି ଯୋଜନାକୁ ନିଜ ବୁଦ୍ଧି ବଳରେ । କଥା ସ୍ଥଳରେ ରୂପାୟିତ କରିବ ଚାରୁ ଚନ୍ଦ୍ରିକା-

 

ଆର୍ଯ୍ୟସେନା ଶିବିରରେ ମହାରାଣୀ ମେଘମାଳା ଆଉ ରାଜକୁମାରୀ ଅନଙ୍ଗରେଖା ସହ ପୁଷ୍ପକେତୁ ଆଲୋଚନା ରତ । ଯୁବରାଜ ଋତୁପର୍ଣ୍ଣକୁ ବନ୍ଦୀ କରି ପୁଷ୍ପକେତୁ ଅସୀମ ବୀରତ୍ୱ ଏବଂ ଦୁଃସାହସର ପରିଚୟ ଦେଇଛି । ଏପରି ବୀର ଯୁବକକୁ ହୃଦୟ ଆସନରେ ସ୍ଥାନ ଦେଇଛି କୁମାରୀ ଅନଙ୍ଗରେଖା । ମହାରାଜ ତ୍ରିଭୁବନ ଦେବଙ୍କର ମାତ୍ର ପାଞ୍ଚବର୍ଷର ପୁତ୍ର ସନ୍ତାନ । ଏକମାତ୍ର କନ୍ୟା ଅନଙ୍ଗରେଖା । ତାର ଉପଯୁକ୍ତ ଇଚ୍ଛାକୁ ମହାରାଜ ଅବଶ୍ୟ ପୂରଣ କରିବେ, ଏ ବିଶ୍ୱାସ ଅନଙ୍ଗ ରେଖାର ରହିଛି ।

 

: ସମ୍ରାଟଙ୍କ ବିଷୟରେ କିଛି ସଠିକ ସୂଚନା ମିଳିଲା ?

 

: ନା, ମହାରାଣୀ ! କେବଳ ଅନୁମାନ ମାତ୍ର । ଶତ୍ରୁ ପକ୍ଷ ତାଙ୍କୁ ବନ୍ଦୀକରି କୌଣସି ଏକ ଗୁପ୍ତ ସ୍ଥାନରେ ରଖିଛନ୍ତି ।

 

: ତା’ହେଲେ...ମୁକ୍ତିର ଉପାୟ ?

 

: ଆମ୍ଭମାନେ ଯୁଦ୍ଧରେ ଜୟ ଲାଭ କରି ମହାରାଜାଙ୍କୁ ମୁକ୍ତ କରିବୁ ।

 

: ସେ ବିଶ୍ୱାସ ମୋର ଅଛି, ତଥାପି...

 

ସେହି ବିଶ୍ୱାସ ରଖନ୍ତୁ ମହାରାଣୀ ! କାଲିର ଯୁଦ୍ଧ ନିର୍ଣ୍ଣୟାତ୍ମକ ହେବ ।

 

: ଈଶ୍ୱର ତୁମକୁ ଶକ୍ତି ଦିଅନ୍ତୁ ବତ୍ସ ! ମହାରାଜ ମୁକ୍ତହେଲେ ତୁମକୁ...

 

ମହାରାଣୀ ହଠାତ୍ ରୋକି ଗଲେ । ପୁଷ୍ପକେତୁ ଚାହିଁଲା ଅନଙ୍ଗ ରେଖାକୁ । ଚାରିଚକ୍ଷୁର ମିଳନ ଘଟିଲା କ୍ଷଣକ ନିମିତ୍ତ । ମନର କଥା ମନ ବୁଝିଲା । ପୁଷ୍ପକେତୁ ଜାଣି ଯେ ଯୁଦ୍ଧ ପରେ ତା’ର ପ୍ରଥମ ପୁରସ୍କାର ଅନଙ୍ଗ ରେଖାର ପାଣିଗ୍ରହଣ ।

 

ଶିବିର ଦ୍ୱାରଦେଶରେ କୋଳାହଳ ଶୁଣାଗଲା । ପୁଷ୍ପକେତୁ ବାହାରକୁ ଆସି ଦେଖେ ତ ଅପୂର୍ବ ରୂପଲାବଣ୍ୟ ସମ୍ପନ୍ନା ଯୁବତୀ ସହ ଯୁବକକୁ ପ୍ରହରୀଗଣ ବନ୍ଦୀକରି ଆଣିଛନ୍ତି ।

 

: କିଏ ଏମାନେ ।

 

: ଆମର ସନ୍ଦେହ । ଏମାନେ ଦ୍ରାବିଡ଼ ସେନାର ଗୁପ୍ତଚର ।

 

: ନା ମହାଶୟ, ଆମେ ଗୁପ୍ତଚର ନୋହୁଁ ।

 

ନିର୍ଭୟ କଣ୍ଠରେ ଚନ୍ଦ୍ରିକା କହିଲା ।

 

: ତା ହେଲେ ?

 

: ଆମେ ଦୁହେଁ ଦ୍ରାବିଡ଼ ରାଜାଙ୍କ ଦୂତ । ସେନାପତି ପୁଷ୍ପକେତୁଙ୍କ ସହ ସାକ୍ଷାତ କରିବାକୁ ଆସିଛୁ ।

 

: ପ୍ରକାଶ କର, ସାକ୍ଷାତର ଉଦ୍ଦେଶ୍ୟ କଅଣ ?

 

: କେବଳ ସେନାପତି ପୁଷ୍ପକେତୁଙ୍କୁ କହିପାରିବୁ ।

 

: ଯାହାଙ୍କ ସହ ବାର୍ତ୍ତାଳାପ କରୁଛି ସେ ସ୍ୱୟଂ ପୁଷ୍ପକେତୁ ।

 

ଅଭିବାଦନ ଜଣାଇଲେ ଚନ୍ଦ୍ରିକା ଆଉ ଚକୋର । ମୁଖମଣ୍ଡଳରେ ଲେଶମାତ୍ର ଭୟର ଚିହ୍ନ ନାହିଁ ।

 

: ଆପଣଙ୍କ ସହ ଏକାନ୍ତରେ ଆମ୍ଭେ ଦୁହେଁ ବାର୍ତ୍ତାଳାପ କରିବାକୁ ଇଚ୍ଛା କରୁଛୁ । ଅତି ଗୋପନୀୟ ଆଲୋଚନା ।

 

ମହାରାଣୀଙ୍କୁ ସୂଚନା ଦେଇ ପୁଷ୍ପକେତୁ ସେ ଦୁହିଁକୁ ନିଜ ଶିବିରକୁ ନେଇଗଲେ । ଆସନରେ ବସାଇ ପ୍ରଶ୍ନ କଲେ—

 

: ଏଥର କୁହ, କି ପ୍ରକାର ଗୁପ୍ତ କଥା ।

 

: ଆପଣ ଜାଣନ୍ତି ସମ୍ରାଟ ତ୍ରିଭୁବନ ଦେବ ଦ୍ରାବିଡ଼ ସେନାମାନଙ୍କ ଦ୍ୱାରା ବନ୍ଦୀ ।

 

: କେବଳ ଅନୁମାନ କରୁଥିଲୁ ।

 

: ଆପଣଙ୍କର ଅନୁମାନ ସତ୍ୟ । ତାଙ୍କୁ ଏକ ଗୁପ୍ତ ସ୍ଥାନରେ ବନ୍ଦୀ ରୂପେ ରଖା ଯାଇଛି । ବର୍ତ୍ତମାନ ଦ୍ରାବିଡ଼ ରାଜ ସ୍ୱୟଂ ଯୁଦ୍ଧ ପରିଚାଳନା ପାଇଁ ଶିବିରରେ ଉପସ୍ଥିତ ।

 

: ଦ୍ରାବିଡ଼ ରାଜ କେବେ ଆସିଲେ !

 

: ଆଜି ସନ୍ଧ୍ୟା ସମୟରେ । କଲି ପ୍ରଭାତରେ ପ୍ରାୟ ବିଂଶସହସ୍ର ସେନା ଆସି ଶିବିରରେ ଯୋଗଦାନ କରିବେ ।

 

: ବିଂଶ ସହସ୍ର ସୈନ୍ୟଙ୍କୁ ଭୟ ନାହିଁ । ତୁମର ନାମ ଏ ପର୍ଯ୍ୟନ୍ତ ଜାଣିଲି ନାହିଁ ?

 

: ମୋର ନାମ ଚନ୍ଦ୍ରିକା, ଏ ମୋର ସାଥି ଚକୋର ।

 

: ତେବେ ଆଗମନର ଅସଲ ଉଦ୍ଦେଶ୍ୟ ବ୍ୟକ୍ତ କରନ୍ତୁ ।

 

: ଦେଖନ୍ତୁ, ସେନାପତି ମହାଶୟ !

 

ପୁଷ୍ପକେତୁରେ ଚକ୍ଷୁରେ ଚକ୍ଷୁ ମିଳାଇ ଓଜସ୍ୱିନୀ ସ୍ୱରରେ ଚନ୍ଦ୍ରିକା କହିଲା ।

 

: ଗୋଟିଏ ପଟେ ବନ୍ଦୀ ଆର୍ଯ୍ୟ ସମ୍ରାଟ, ଅନ୍ୟପଟେ ବନ୍ଦୀ ଯୁବରାଜ । ଏପରି ଅବସ୍ଥାରେ ଆଉ ଅଯଥା ରକ୍ତପାତ ନ କରି ସନ୍ଧି ସ୍ଥାପନ କରିବା ଉଭୟ ପକ୍ଷରେ ମଙ୍ଗଳ କର ।

 

ପୁଷ୍ପକେତୁ ଦକ୍ଷିଣ ହସ୍ତ ହଲାଇ କହି ଉଠିଲା ।

 

: ନା...ନା ସନ୍ଧି ପ୍ରସ୍ତାବ ଆଗ୍ରାହ୍ୟ । ମହାରାଜାଙ୍କ ବ୍ୟତୀତ ଅନ୍ୟ କିଏ କିପରି ସନ୍ଧି ସ୍ଥାପନ କରିବ ?

 

ପୁଷ୍ପକେତୁର ମଣି ବନ୍ଧ ଉପରେ ଚିତା କୁଟା ହୋଇଥିବା ସର୍ପ ଚିହ୍ନ ଦେଖି ଚନ୍ଦ୍ରିକା ଆଶ୍ଚର୍ଯ୍ୟ ହେଲା ।

 

: ସେନାପତି ମହାଶୟ, ଆପଣଙ୍କ ମଣିବନ୍ଧରେ ଏ ସର୍ପ ଚିହ୍ନ ?

 

: ଏହା ଆମର ବଂଶର ପରିଚୟ ଚିହ୍ନ । କାହିଁକି ? ଏଥିରେ ତୁମର କଅଣ ଭାବିବାର ଅଛି ?

 

: ଆପଣଙ୍କ ବଂଶର ପରିଚୟ ଚିହ୍ନ ? ଆପଣଙ୍କ ମାତାପିତାଙ୍କ ନାମ ଦୟାକରି କହିବେ କି ?

 

: ମାତା ବନଜ୍ୟୋତ୍ସ୍ନା ଦେବୀ ।

 

: ବନଜ୍ୟୋତ୍ସ୍ନା ଦେବୀ ! ଆଶ୍ଚର୍ଯ୍ୟ, ସେତ ଆମର ନିର୍ବାସିତା ମହାରାଣୀଙ୍କ ନାମ । ହେ ଭଗବାନ, ଏ କି ଲୀଳା !

 

: କଅଣ କହୁଛ ଚନ୍ଦ୍ରିକା ?

 

: ଠିକ୍ କହୁଛି ସେନାପତି ମହାଶୟ । ମହାରାଣୀ ବନଜ୍ୟୋତ୍ସ୍ନା ଗର୍ଭ ଅବସ୍ଥାରେ ନିର୍ବାସନ ଦଣ୍ଡ ପାଇଁ ଅରଣ୍ୟକୁ ଚାଲି ଯାଇଥିଲେ । ମହାରାଜଙ୍କ ଶ୍ରୀମୁଖରୁ ଚକୋର ଶୁଣିଛି, ପ୍ରାୟ ପଚିଶ ବର୍ଷ ତଳର ଘଟଣା ହେବ ।

 

: ଆପଣ ପିତାଙ୍କ ନାମ କୁହନ୍ତୁ ନା ।

 

କହିପାରିବି ନାହିଁ ଚନ୍ଦ୍ରିକା ! ପିଲାଦିନରୁ ମୁଁ କେବଳ ମାଙ୍କୁ ଜାଣେ ।

 

: ଆପଣ ଯାହାଙ୍କୁ ବନ୍ଦୀ କରିଛନ୍ତି, ସେ ହେଉଛନ୍ତି ଆପଣଙ୍କର ଜ୍ୟେଷ୍ଠ ଭ୍ରାତା ଋତୁପର୍ଣ୍ଣ-। ଚାଲନ୍ତୁ, ଦେଖିବେ ତାଙ୍କ ମଣିବନ୍ଧରେ ଏହି ସର୍ପ ଚିହ୍ନ ଥିବ ।

 

ସେନାପତି ପୁଷ୍ପକେତୁଙ୍କର ମନ ଅସ୍ଥିର ହୋଇଉଠିଲା । ତତ୍‍କ୍ଷଣାତ୍ ଚକୋର ଆଉ ଚନ୍ଦ୍ରିକାକୁ ସାଙ୍ଗରେ ନେଇ ବନ୍ଦୀ ଶିବିର ଆଡ଼କୁ ଆଗେଇ ଗଲେ ।

 

ଯୁବରାଜ ବନ୍ଦୀ ଥିଲେ ସ୍ୱତନ୍ତ୍ର ଶିବିରରେ । କ୍ଷତସ୍ଥାନଗୁଡ଼ିକରେ ଔଷଧ ଲଗାଇ ପଟି ବାନ୍ଧି ଦେବା ପରେ ଚିକିତ୍ସକ ତାଙ୍କୁ କିଛି ପତ୍ର ରସ ପିଆଇ ଦେଇଥିଲେ । ଫଳରେ ଅଳ୍ପ ସମୟ ମଧ୍ୟରେ ଋତୁପର୍ଣ୍ଣ ନିଦ୍ରାଦେବୀଙ୍କୁ ଆଲିଙ୍ଗନ କଲେ ।

 

ଶିବିରରେ ପ୍ରବେଶ କରି ପୁଷ୍ପକେତୁ ଦେଖିଲେ ଋତୁପର୍ଣ୍ଣ ସୁପ୍ତ । ମଶାଲ ଆଲୋକ ପାଖକୁ ନେଇ ମଣିବନ୍ଧ ଦେଖିଲେ ସର୍ପଚିହ୍ନ ଅଙ୍କିତ ହୋଇଛି । ମନ ତାଙ୍କର ବିସ୍ମୟ ଏବଂ ଆନନ୍ଦରେ ପୂର୍ଣ୍ଣ ହୋଇଉଠିଲା ।

 

: ଚନ୍ଦ୍ରିକା, ଯୁବରାଜଙ୍କର ଧୀରେ ନିଦ୍ରାଭଙ୍ଗ କରିବାକୁ ଚେଷ୍ଟାକର । ଚନ୍ଦ୍ରିକା ଯୁବରାଜଙ୍କ ଶର୍ଯ୍ୟା ଉପରେ ବସି ଧୀରେ ଧୀରେ ପାଦ ଚିପିବାକୁ ଲାଗିଲା । ଅଳ୍ପ ସମୟ ପରେ ଚନ୍ଦ୍ରିକା କରସ୍ପର୍ଶର ଶିହରଣ ଅନୁଭବ କରି ଋତୁପର୍ଣ୍ଣଙ୍କ ନିଦ୍ରା ଭଂଗ ହେଲା । ଅର୍ଦ୍ଧ ନିମୀଳିତ ଚକ୍ଷୁରେ ଚାହିଁଲେ ଶର୍ଯ୍ୟା ଉପରେ ବସିଛି ଚନ୍ଦ୍ରିକା । ସ୍ୱପ୍ନ ନା ସତ୍ୟ ! ଯୁଦ୍ଧବନ୍ଦୀ ଶିବିରରେ ତାଙ୍କର ପରମ ପ୍ରେୟସୀ ଚନ୍ଦ୍ରିକା !

 

: ହଠାତ୍ ଯୁବରାଜ ବସିପଡ଼ି ଆଖି ମକଚିବାକୁ ଲାଗିଲେ ।

: ଯୁବରାଜ, ଯୁବରାଜ...ସ୍ୱପ୍ନ ନୁହେଁ ସତ୍ୟ । ମୁଁ ଚନ୍ଦ୍ରିକା, ସେନାପତି ପୁଷ୍ପକେତୁଙ୍କୁ ସଂଗରେ ନେଇ ଆସିଛି ।

ଯୁବରାଜଙ୍କର ସମସ୍ତ ନିଦ୍ରା ଅନ୍ତର୍ଦ୍ଧାନ ହୋଇଗଲା ନିମିଷକ ମଧ୍ୟରେ ।

: ଚନ୍ଦ୍ରିକା ! ତୁମେ ଏଠାକୁ କିପରି ଆସିଲ ?

: ସେନାପତିଙ୍କ ଦୟାରୁ ।

ସେନାପତି ପୁଷ୍ପକେତୁ ଆଉ ଥୟ ଧରି ରହିପାରିଲେ ନାହିଁ । ଶଯ୍ୟା ନିକଟରେ ଆଣ୍ଠୁ ମାଡ଼ି ବସି ଋତୁପର୍ଣ୍ଣଙ୍କ ପାଦ ଦୁଇଟିକୁ ଧରି ପକାଇଲେ ।

: ଭାଇ, କ୍ଷମାକର । ମୁଁ ନ ଚିହ୍ନି କେତେ ଅପରାଧ କରିଛି ।

ଚନ୍ଦ୍ରିକା ସମସ୍ତ ଘଟଣା ସମ୍ପର୍କରେ ବୁଝାଇଦେଲେ ଯୁବରାଜ ଋତୁପର୍ଣ୍ଣଙ୍କୁ ।

ପରଦିନ ଅପରାହ୍ନ ।

ଦ୍ରାବିଡ଼ ରାଜ ପୁଷ୍ପାଙ୍ଗଧନୁ ଶିବିର ନିକଟସ୍ଥ ଝରଣା ତଟରେ ବସିଛି ମିଳିତ ରାଜସଭା । ଦେବଦାରୁ ବନର ଘଞ୍ଚ ଛାୟାରେ ସମସ୍ତେ ବସିଛନ୍ତି ସୁକୋମଳ ହରିତ୍ ପତ୍ରାସନ ଉପରେ । କେବଳ ଆର୍ଯ୍ୟ ସମ୍ରାଟ ତ୍ରିଭୁବନ ଦେବ ଏବଂ ଦ୍ରାବିଡ଼ ସମ୍ରାଟ ପୁଷ୍ପାଙ୍ଗ ଧନୁଙ୍କ ନିମିତ୍ତ ଉଚ୍ଚ ଆସନ ପ୍ରସ୍ତୁତ କରାଯାଇଛି । ରାଜସଭାର ଏକ ପାର୍ଶ୍ୱରେ ଝିନ ପରଦା ଅନ୍ତରାଳରେ ବସିଛନ୍ତି ମହାରାଣୀ ମେଘମାଳା, ମହାରାଣୀ ବନଜ୍ୟୋତ୍ସ୍ନା, ରାଜକୁମାରୀ ଅନଙ୍ଗ ରେଖା, ଦେବଦାସୀ ଚାରୁଚନ୍ଦ୍ରିକା ଏବଂ ପରିଚାରିକା ଦୁଇଜଣ ।

ମହାରାଜା ପୁଷ୍ପାଙ୍ଗଧନୁ ପ୍ରଥମେ ସମସ୍ତଙ୍କୁ ସମ୍ବୋଧନ କରି କହିଲେ :—

ମହାମାନ୍ୟ ଅତିଥି ସମ୍ରାଟ ତ୍ରିଭୁବନ ଦେବ ଏବଂ ଉପସ୍ଥିତ ସଭାଜନମାନଙ୍କୁ ଯୁଦ୍ଧ ବିରତି ଉପଲକ୍ଷେ ଧନ୍ୟବାଦ ଅର୍ପଣ କରୁଛି । ପ୍ରଭାତରୁ ଏପର୍ଯ୍ୟନ୍ତ ଯାହାକିଛି ଘଟଣା ତାହା ସମସ୍ତଙ୍କୁ ବିଦିତ । ଯୁଦ୍ଧ ବିରତିର ସମସ୍ତ ସର୍ତ୍ତ ନ୍ୟୂନାଧିକେ ସମସ୍ତଙ୍କୁ ଜଣା । ତଥାପି ସମସ୍ତଙ୍କ ସମକ୍ଷରେ ପୁନର୍ବାର ସେନାପତି ତାହା ବର୍ଣ୍ଣନା କରିବେ । ତା ପୂର୍ବରୁ ଦୁଇଟି ଆନନ୍ଦ ଦାୟକ ସମାଚାର ମୁଁ ସର୍ବଜନ ସମକ୍ଷରେ ଘୋଷଣା କରୁଛି ।

ମୋର ଜ୍ୟେଷ୍ଠ ପୁତ୍ର ଋତୁପର୍ଣ୍ଣ ଏବଂ କନିଷ୍ଠ ପୁତ୍ର ପୁଷ୍ପକେତୁଙ୍କର ମିଳନ ସମ୍ଭବ ହୋଇଥିଲା ଦେବଦାସୀ ଚନ୍ଦ୍ରିକା ସକାଶେ । ନିଜର ଜୀବନକୁ ବିପନ୍ନ କରି ଶତ୍ରୁ ସେନାର ଶିବିରରେ ରାତ୍ରି କାଳରେ ସେ ପହଞ୍ଚିଥିଲା ଗାୟକ ଚକୋରକୁ ସଙ୍ଗରେ ଧରି ।

ମୁଁ ଅନୁଭବ କରିପାରିଛି ମୋର ଜ୍ୟେଷ୍ଠ ପୁତ୍ର ନିମିତ୍ତ ତା’ର ସ୍ନେହ ଶ୍ରଦ୍ଧା ସ୍ୱର୍ଗୀୟ । ଚକୋର ଦ୍ୱାରା ତା’ର ମନୋଭାବ ହୃଦୟଙ୍ଗମ କରିବା ପରେ ମୁଁ ତାକୁ ଜ୍ୟେଷ୍ଠ ପୁତ୍ରବଧୁ ରୂପେ ଗ୍ରହଣ କରୁଛି ।

କରତଳ ଧ୍ୱନି ଏବଂ ଜୟ ଜୟକାରରେ ସଭାସ୍ଥଳ ଉଛୁଳି ଉଠିଲା । ମହାରାଜ ଅଳ୍ପ ସମୟ ମୌନ ରହି ପୁନଃ ଆରମ୍ଭ କଲେ—ଦ୍ଵିତୀୟ କଥା, ମୁଁ ଯେତେବେଳେ ଜାଣିବାକୁ ପାଇଲି ଯେ ଆର୍ଯ୍ୟ ସମ୍ରାଟଙ୍କ କନ୍ୟା ଅନଙ୍ଗ ରେଖା ପୁଷ୍ପକେତୁକୁ ମନେ ମନେ ପତି ପଦରେ ବରଣ କରିଛି, ମୋର ଆନନ୍ଦର ସୀମା ରହିଲା ନାହିଁ । କୁମାରୀ ଅନଙ୍ଗ ରେଖାକୁ ମୋର କନିଷ୍ଠ ପୁତ୍ର ବଧୁ ରୂପେ ମୁଁ ସାଦରେ ଗ୍ରହଣ କରୁଛି ।

ଆନନ୍ଦ ଉଲ୍ଲାସ ଧ୍ୱନିରେ ସଭାସ୍ଥଳ ପୁନଃ ପ୍ରକମ୍ପିତ ହୋଇ ଉଠିଲା ।

: ବର୍ତ୍ତମାନ ସେନାପତି ମୁର୍ଗେସନ୍ ସନ୍ଧି ସର୍ତ୍ତଗୁଡ଼ିକ ସଭାରେ ପ୍ରକାଶ କରନ୍ତୁ ।

ସେନାପତି ମୁର୍ଗେସନ୍ ଭୁର୍ଜପତ୍ର ଲିଖିତ ସନ୍ଧି ପତ୍ର ଧରି ଦଣ୍ଡାୟମାନ ହେଲେ । ଉଭୟ ସମ୍ରାଟଙ୍କୁ ସମ୍ମାନ ଜଣାଇ ଗମ୍ଭୀର ସ୍ୱରରେ ପଠନ କରିବାକୁ ଲାଗିଲେ ।

: ସମ୍ରାଟ ତ୍ରିଭୁବନ ଦେବ ଏବଂ ସମ୍ରାଟ ପୁଷ୍ପାଙ୍ଗଧନୁ ବନ୍ଧୁତା ସୂତ୍ରରେ ଆବଦ୍ଧ ହେବା ପରେ ଆଉ ରକ୍ତପାତ ଅନାବଶ୍ୟକ ମଣି ଏ ସନ୍ଧିପତ୍ର ଲିଖିତ ହୋଇଛି ।

ରାଜ୍ୟର ଉତ୍ତର ପଶ୍ଚିମ ସିମାନ୍ତଠାରୁ ଆରମ୍ଭ କରି ସିନ୍ଧୁ ନଦୀର ପଶ୍ଚିମ ତଟ ପର୍ଯ୍ୟନ୍ତ ଭୂଭାଗରେ ଦଶ ସହସ୍ର ଆର୍ଯ୍ୟ ପରିବାର ବସତି ସ୍ଥାପନ କରିବେ । ଉକ୍ତ ଭୂଭାଗ କୁମାର ପୁଷ୍ପକେତୁଙ୍କ ଶାସନାଧୀନ ରହିବ । ସେ ଅଂଚଳରୁ କୌଣସି ଦ୍ରାବିଡ଼ ପରିବାରକୁ ସ୍ଥାନାନ୍ତରିତ କରାଯିବ ନାହିଁ ।

ଆର୍ଯ୍ୟ ସମ୍ରାଟ ତ୍ରିଭୁବନ ଦେବ ଖଟ୍ୱାଙ୍ଗ ଘାଟିର ଦକ୍ଷିଣ ଦିଗକୁ ବିଂଶ ଯୋଜନ ବ୍ୟାପି ଭୂଭାଗ ଶାସନାଧୀନ ରଖିବେ । ଆର୍ଯ୍ୟ ଧର୍ମ ତଥା ସଂସ୍କୃତିର ପ୍ରଚାର ନିମିତ୍ତ କୌଣସି ବଳ ପ୍ରୟୋଗ ଘଟଣା ଯେପରି ନ ଘଟେ ସେଥିପ୍ରତି ଦୃଷ୍ଟି ରଖାଯିବ ।

ସଭାଜନମାନଙ୍କର ଆନନ୍ଦ ଉଲ୍ଲାସମୟ କରତାଳ ଧ୍ୱନିରେ ଦେବଦାରୁ ବନ ମୁଖରିତ ହୋଇଉଠିଲା ।

ହସ ହସ ବଦନରେ ଆର୍ଯ୍ୟ ସମ୍ରାଟ ତ୍ରିଭୁବନ ଦେବ ଦଣ୍ଡାୟମାନ ହୋଇ ନିଜର ସମ୍ମତି ଘୋଷଣା କଲେ ।

: ଅପାର ଆନନ୍ଦର ସହିତ ଏ ସମସ୍ତ ସର୍ତ୍ତକୁ ମୁଁ ଗ୍ରହଣ କରୁଛି । ଅଯଥା ରକ୍ତପାତର ପକ୍ଷପାତୀ ମୁଁ ନୁହେଁ । ସ୍ଥାୟୀ ବନ୍ଧୁତ୍ୱ ମୁଁ କାମନା କରୁଛି । ଦ୍ରାବିଡ଼ରାଜ ପୁଷ୍ପାଙ୍ଗଧନୁଙ୍କ ଉଦାର ହୃଦୟର ମହନତା ଏବଂ ଯୁବରାଜ ଦ୍ଵୟଙ୍କ ସହ ଦ୍ରାବିଡ଼ ସେନା ବାହିନୀର ବୀରତ୍ୱକୁ ମୁଁ ମୁକ୍ତ କଣ୍ଠରେ ପ୍ରଶଂସା କରୁଛି । ପରମେଶ୍ୱରଙ୍କର ଅସୀମ କୃପାରୁ ଏ ଦୁଇ ଜାତିର ମିତ୍ରତାର ବନ୍ଧନ ସୁଦୃଢ଼ ହେଉ ।

ଆର୍ଯ୍ୟ ସମ୍ରାଟ ଆସନ ଗ୍ରହଣ କରିବା ମାତ୍ରେ ଦ୍ରାବିଡ଼ ସେନାପତି ପୁନର୍ବାର ଦଣ୍ଡାୟମାନ ହୋଇ ଉଭୟ ମହାରାଜାଙ୍କର ନାମରେ ତ୍ରିବାର ଜୟଧ୍ୱନୀ ଦେଲେ । ସଭାଜନ ମାନଙ୍କର ଆନନ୍ଦ ଉଲ୍ଲାସ ରୋଳରେ ଗଗନ ପବନ ମୁଖରିତ ହୋଇ ଉଠିଲା ।

ସେତେବେଳକୁ ଚାରୁଚନ୍ଦ୍ରିକାର ଗଣ୍ଡ ଦେଶରେ ଦୁଇଧାର ଆନନ୍ଦାଶ୍ରୁ ବହି ଆସିଲାଣି ।

Image